ମେଲ୍ବର୍ନ: ଚଳିତ ତୃତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପେନ୍ ସ୍ଲେଜିଂ ଜାରି ରଖିଛନ୍ତି। ପ୍ରଥମେ ରୋହିତ ଶର୍ମାଙ୍କୁ ସ୍ଲେଜିଂ କରିବା ପରେ ଏଥର ତାଙ୍କ ଶିକାର ହୋଇଛନ୍ତି ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍। ରୋହିତ ଭାରତ ପ୍ରଥମ ପାଳିରେ ବ୍ୟାଟିଂ କରୁଥିଲା ବେଳେ ସେ ଛକା ମାରିଲେ ତାଙ୍କ ମୁମ୍ବାଇ ଆଇପିଏଲ୍ ଦଳରେ ଯୋଗଦେବେ ବୋଲି ପେନ୍ ସ୍ଲିପ୍ରେ ଥିବା ଆରୋନ୍ ଫିଞ୍ଚ୍ଙ୍କୁ କହୁଥିବା ଷ୍ଟମ୍ପ୍ ମାଇକ୍ରୋଫୋନ୍ରୁ ଧରାପଡ଼ିଥିଲା। ତେବେ ଖେଳ ଉପରୁ ଭାରତୀୟ ଖେଳାଳିଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ପେନ୍ଙ୍କ ଏଭଳି ଛିଗୁଲାଇବା ଘଟଣାରେ ଉତ୍ତେଜିତ ନହୋଇ ରୋହିତ କେବଳ ମୁରୁକିହସା ଦେଇଥିଲେ। ତେବେ ଶୁକ୍ରବାର ତୃତୀୟ ଦିବସରେ ପନ୍ତ୍ଙ୍କୁ ଚିଡ଼ାଇବା ପାଇଁ ପେନ୍ ପୁଣି ପ୍ରୟାସ କରିଥିଲେ। ପନ୍ତ୍ ଯଦି ଚାହିଁବେ ସେ ତାଙ୍କୁ ବିଗ୍ବାସ୍ ଲିଗ୍ (ବିବିଏଲ୍)ରେ ଯୋଗଦେବାକୁ ଆମନ୍ତ୍ରିତ କରିବେ ବୋଲି ପେନ୍ ସାଥୀ ଖେଳାଳି ଫିଞ୍ଚ୍ଙ୍କୁ କହୁଥିବା ଶୁଣିବାକୁ ମିଳିଛି। ପନ୍ତ୍ ଭାରତୀୟ ଦିନିକିଆ ଦଳରେ ସ୍ଥାନ ନପାଇଲେ ଟେଷ୍ଟ୍ ଶୃଙ୍ଖଳା ପରେ ତାଙ୍କୁ ବିବିଏଲ୍ ଫ୍ରାଞ୍ଚାଇଜ୍ ହୋବାର୍ଟ ହରିକେନ୍ସ ପାଇଁ ଖେଳିବାର ସୁଯୋଗ ମିଳିବ ବୋଲି ପେନ୍ ତାତ୍ସଲ୍ୟଭରା ମନ୍ତବ୍ୟ ଦେଇଥିଲେ। ଦିନିକିଆ ଦଳକୁ ମହେନ୍ଦ୍ର ସିଂହ ଧୋନି ଫେରିଥିବାରୁ ତୁମକୁ ହୁଏତ ସ୍ଥାନ ମିଳିନପାରେ। ତେଣୁ ଏହି ସମୟରେ ବିବିଏଲ୍ରେ ଆମେ ତୁମକୁ ଖେଳାଇବୁ ବୋଲି ପେନ୍ କହୁଥିବା ଷ୍ଟମ୍ପ୍ ମାଇକ୍ରୋଫୋନ୍ରୁ ଧରାପଡ଼ିଛି। କେବଳ ସେତିକି ନୁହେଁ, ପନ୍ତ୍ଙ୍କୁ ସେ ଅଷ୍ଟ୍ରେଲିଆରେ ଛୁଟି କଟାଇବାକୁ ଅଧିକ ସମୟ ରହିଯାଅ, ହୋବାର୍ଟ ସହର ଖୁବ୍ ସୁନ୍ଦର, ଚାହିଁଲେ ତୁମେ ସେଠାରେ ଗୋଟେ ଆପାର୍ଟମେଣ୍ଟ୍ ପାଇଯାଇପାରିବ ବୋଲି ପେନ୍ ପ୍ରଲୋଭନ୍ ଦେଖାଇଥିଲେ। ପୁଣି ମୁଁ ମୋ ପତ୍ନୀ ସହ ମୁଭି ଦେଖିବାକୁ ଗଲେ ତୁମେ ଗୋଟିଏ ରାତି ଆମ ପିଲାର ଯତ୍ନ ନେଇପାରିବ କି ବୋଲି ମଧ୍ୟ ପନ୍ତ୍ଙ୍କୁ ପେନ୍ କହୁଥିବା ଷ୍ଟମ୍ପ୍ ମାଇକ୍ରୋଫୋନ୍ରୁ ସ୍ପଷ୍ଟ ହୋଇଥିଲା। ହେଲେ ପେନ୍ ସବୁକିଛି ତାତ୍ସଲ୍ୟର ଉତ୍ତର ଦେବାକୁ ପନ୍ତ୍ ଉଚିତ ମନେ କରିନଥିଲେ।
ପେନ୍ଙ୍କ ପୁଣି ସ୍ଲେଜିଂ: ଏଥର ପନ୍ତ୍ ଶିକାର
/sambad/media/post_attachments/wp-content/uploads/2018/07/5-Rishabh-pant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)