ଏ ବିଶ୍ବକପ୍‌ ସବୁଦଳ ପାଇଁ ମୁକୁଳା: ପଣ୍ଟିଂ

ସିଡ୍‌ନି: ଚଳିତ ମାସରେ ହେବାକୁ ଥିବା ବିଶ୍ବକପ୍‌ ସବୁ ଦଳ ଲାଗି ସମ୍ପୂର୍ଣ୍ଣ ମୁକୁଳା ରହିବ ବୋଲି କହିଛନ୍ତି ୫ ଥର ବିଶ୍ବକପ୍‌ ଖେଳିଥିବ‌‌ା ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ରିକି ପଣ୍ଟିଂ। ୩ ବିଶ୍ବକପ୍‌ (୧୯୯୯, ୨୦୦୩, ୨୦୦୭) ବିଜେତା ଏବଂ ୧୯୯୬ ସଂସ୍କରଣ ଉପବିଜେତା ଦଳର ସଦସ୍ୟ ଥିବା ପଣ୍ଟିଂଙ୍କ ମତରେ ନିଜ ମାଟିରେ ଇଂଲଣ୍ଡ ଖେଳୁଥିବାରୁ ପ୍ରଥମ ପସନ୍ଦର ଦଳ‌। ହେଲେ ଭାରତ ଓ ଅଷ୍ଟ୍ରେଲିଆ ବି ସବୁଦଳକୁ ପଛରେ ପକାଇବାର କ୍ଷମତା ରଖିଛନ୍ତି। ଡେଭିଡ୍‌ ୱାର୍ନର ଏବଂ ଷ୍ଟିଭ୍‌ ସ୍ମିଥ୍‌ ଦଳକୁ ଫେରିଥିବାରୁ ପୁରା ଅଷ୍ଟ୍ରେଲିଆ ଦଳ ଉତ୍ସାହିତ ରହିଛି। ସେମାନେ ଦଳ ବାହାରେ ଥିବାରୁ ଅଷ୍ଟ୍ରେଲିଆ ଭଲ କରିନଥିଲା। ଏବେ ବିଶ୍ବକପ୍‌କୁ ଫେରିଥିବାରୁ ଦଳ ନିଶ୍ଚିତ ସେମାନଙ୍କ ଉପରେ ଆସ୍ଥା ରଖିବ ବୋଲି କହିଛନ୍ତି ଦୁଇ ଥର ବିଶ୍ବକପ୍‌ (୨୦୦୩, ୨୦୦୭) ବିଜେତା ଦଳର ଏହି ଅଧିନାୟକ। ସେମାନେ ଗୋଟିଏ ବର୍ଷ ଅନ୍ତର୍ଜାତୀୟ ଖେଳି ନଥିଲେ। ସଦ୍ୟ ସମାପ୍ତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ଦେଇ ଭଲ ଅଭ୍ୟାସ କରିଛନ୍ତି। ମୋର ବିଶ୍ବାସ ସେମାନେ ବିଶ୍ବକପ୍‌ରେ ଭଲ କରିବେ। ଅଷ୍ଟ୍ରେଲିଆ ଭଲ ଖେଳିବା ସହ ବିଶ୍ବକପ୍‌କୁ ନିଜ ପାଖରେ ରଖିବା ଲାଗି ପୁରା ଦମ୍‌ ଲଗାଇ ଦେବ। ‌ସବୁ ଦଳକୁ ମଧ୍ୟ କଡ଼ା ଆହ୍ବାନ ଦେବାକୁ ପ୍ରସ୍ତୁତ ରହିଛି ଏହି କଙ୍ଗାରୁ ଦଳ। ସଂପ୍ରତି ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କମିନ୍ସ ଭଲ ବୋଲିଂ କରୁଛନ୍ତି। ଯାହାଫଳରେ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ଦୃଢ଼ ରହିଛି। ଦଳରେ ମାର୍କସ ‌ଷ୍ଟୋଇନିସ୍‌ ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଭଳି ଦୁଇଜଣ ଆଗଧାଡ଼ିର ଅଲ୍‌ରାଉଣ୍ଡର୍ ରହିଛନ୍ତି। ବିଶ୍ବକପ୍‌ ସମୟରେ ଇଂଲଣ୍ଡରେ ଗ୍ରୀଷ୍ମ ଥିବାରୁ ଦୁଇ ଜଣ ସ୍ପିନର୍‌ ଆଦାମ ଜାମ୍ପା ଓ ନାଥନ ଲିଅନ୍‌ଙ୍କୁ ଅଷ୍ଟ୍ରେଲିଆ ଖେଳାଇବାର ସମ୍ଭାବନା ରହିଛି। ବିଶ୍ବକପ୍‌ ଜିତିବା ଲାଗି ଅଷ୍ଟ୍ରେଲିଆ ସବୁ କୌଶଳ ଲଗାଇଦେବ ବୋଲି ପଣ୍ଟିଂ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର