ଗତବର୍ଷ ୪ ଅଧିନାୟକଙ୍କୁ ଫିିକ୍ସିଂ ଅନୁରୋଧ ଆସିଥିଲା: ଆଇସିସି

ଦୁବାଇ: ଗତ ବର୍ଷକ ମଧ୍ୟରେ ୪ ଜଣ ଅନ୍ତର୍ଜାତୀୟ ଅଧିନାୟକଙ୍କୁ ମ୍ୟାଚ୍‌ ଫିକ୍ସିଂ ପାଇଁ ଅନୁରୋଧ ପ୍ରସ୍ତାବ ମିଳିଥିବା ଆଇସିସି ଶୁକ୍ରବାର ଏକ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୧୭ ଜୁନ୍‌ ପହିଲାରୁ ୨୦୧୮ ମେ’ ୩୧ ତାରିଖ ମଧ୍ୟରେ ଏଭଳି ହୋଇଥିବା ଆଇସିସିର ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ) ପକ୍ଷରୁ କୁହାଯାଇଛି। ଏସିୟୁର ମହାପ୍ରବଂଧକ ଭାବେ ଆଲେକ୍ସ ମାର୍ଶାଲ୍‌ ଗତବର୍ଷ ସେପ୍ଟେମ୍ବର ପହିଲାରେ ଯୋଗଦେବା ପରେ ମୋଟ ୧୮ଟି ମାମଲାର ତଦନ୍ତ ହୋଇଥିଲା। ସବୁଗୁଡ଼ିକ ସନ୍ତୋଷଜନକ ସ୍ଥିତିରେ ରହିଛି। ଏସିୟୁକୁ ଅବଗତ କରାଇବା ଲାଗି ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିଛି। କୌଣସି ସନ୍ଦେହଜନକ କଥା ଘଟିଲେ କି ସଂଦିଗ୍ଧ ବ୍ୟକ୍ତି ଯୋଗାଯୋଗ କଲେ ସେମାନେ ଏସିୟୁକୁ ଅବଗତ କରିବାରେ ଦ୍ୱିଧା ଅନୁଭବ କରୁନାହାନ୍ତି। ତଦନ୍ତ ପରିସରଭୁକ୍ତ ୧୮ ମାମଲାରୁ ୫ଟି ସମାପ୍ତ ହୋଇଯାଇଛି। ୪ଟିରେ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଛି। ଅବଶିଷ୍ଟ ୧୩ଟି ମାମଲାର ତଦନ୍ତ ଜାରି ରହିଛି। ଏହା ମଧ୍ୟରୁ ୨ଟି ଗଣମାଧ୍ୟମ ଷ୍ଟିଙ୍ଗ୍‌ ଅପରେସନ୍‌ ପରିସରଭୁକ୍ତ। ବିଶ୍ୱବ୍ୟାପୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ ଗୁଡ଼ିକ ଛତୁ ଫୁଟିବା ଭଳି ବଢ଼ି ଚାଲିଥିବାରୁ ପୂର୍ବାପେକ୍ଷା କ୍ରିକେଟ୍‌ରୁ ଦୁର୍ନୀତି ହଟାଇବା ଆଇସିସି ପାଇଁ ବଡ଼ ଆହ୍ଵାନ ଭଳି ହୋଇଥିବା ସ୍ୱୀକାର କରାଯାଇଛି। ସେ ଦୃଷ୍ଟିରୁ ନୂଆ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଲିଗ୍‌କୁ ଅନ୍ୟୁନ ଦୁର୍ନୀତି ନିବାରଣ ୟୁନିଟ୍‌ ପରିସରଭୁକ୍ତ କରିବାକୁ ଉଦ୍ୟମ ହୋଇଛି। ଆଇସିସିର ବାର୍ଷିକ ବିବରଣୀରେ ଏସବୁ କୁହାଯାଇଛି। ୨୦୧୭-୧୮ ଋତୁ ପର୍ଯ୍ୟନ୍ତ ମୋଟ ୧୪୬୮ ଜଣ ସପୋର୍ଟ ଷ୍ଟାଫ୍‌ ଏବଂ ମ୍ୟାଚ୍‌ ଅଧିକାରୀଙ୍କୁ ୧୨ଟି ଅନ୍ତର୍ଜାତୀୟ ଇଭେଣ୍ଟ୍‌ ଅବସରରେ ପ୍ରଶିକ୍ଷିତ କରାଯାଇଛି ବୋଲି ଆଇସିସି କହିଛି। ଏଗୁଡ଼ିକ ମଧ୍ୟରେ ୨୦୧୭ ଚାମ୍ପିଅନ୍‌ସ ଟ୍ରଫି ଏବଂ ମହିଳା ବିଶ୍ୱକପ୍‌ ସାମିଲ ଥିଲା।

ସମ୍ବନ୍ଧିତ ଖବର