ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷର ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ରେ ଚର୍ଚ୍ଚାର ବିଷୟ ହୋଇପାରନ୍ତି। ହେଲେ ଏହି ସଫଳତମ ପୂର୍ବତନ ଭାରତୀୟ ଅଧିନାୟକଙ୍କ ପାଇଁ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇପିଏଲ୍-୧୩ ଚୟନ ମାନଦଣ୍ଡ ହୋଇପାରିବନି ବୋଲି ଆକଳନ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା। ଧୋନି ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇସାରିଥିଲା ବେଳେ ଗତବର୍ଷ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତ ହାରିବା ପରଠାରୁ ଆଉ ଦେଶ ପାଇଁ ସୀମିତ ଓଭର ଫର୍ମାଟ୍ରେ ଖେଳିନାହାନ୍ତି। ତେଣୁ ତାଙ୍କ ପ୍ରତ୍ୟାବର୍ତନ ଓ ଅବସର କଳ୍ପନାଜଳ୍ପନାକୁ ନେଇ ଚର୍ଚ୍ଚା ଜୋରସୋର୍ ଚାଲିଛି। ଚେନ୍ନାଇ ସୁକର କିଙ୍ଗ୍ସ ସହ ଆଗାମୀ ଆଇପିଏଲ୍ରେ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତନ ଆଶା କରାଯାଉଛି। ଯାହାକି ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। କିନ୍ତୁ ମୋ ମତରେ ଧୋନିଙ୍କ ଖେଳରେ କିଛି ବି କମ୍ ହୋଇନି ବୋଲି ଷ୍ଟାର୍ ସ୍ପୋର୍ଟସ ସୋ' ''କ୍ରିକେଟ୍ କନେକ୍ଟେଡ୍ରେ କହିଛନ୍ତି ନେହରା।
ଧୋନି ଭଲ ଭାବେ ଜାଣନ୍ତି ଦଳକୁ କିପରି ପରିଚାଳନା କରାଯାଏ। ସେ ମଧ୍ୟ ଆହୁରି ଜାଣନ୍ତି ଯେ ଯୁବ ପ୍ରତିଭାମାନଙ୍କୁ କିପରି ଆଗକୁ ଠେଲିବାକୁ ହେବ। ଆଉସବୁ ବିଷୟ ବାରମ୍ବାର କହିବାକୁ ମୁଁ ଆବଶ୍ୟକ ମନେକରେନି। ହେଲେ ଏଥରର ଆଇପିଏଲ୍ ଜଣେ ଖେଳାଳି ଭାବେ ଧୋନିଙ୍କ ମହାନତା କିମ୍ବା ଭାବମୂର୍ତ୍ତିରେ କୌଣସି ଫରକ ଆଣିପାରିବ ବୋଲି ମୁଁ ଭାବୁନି। ଏକଥା କହିଛନ୍ତି ଭାରତ ପାଇଁ ୧୭ ଟେଷ୍ଟ୍ ଏବଂ ୧୨୦ ଦିନିକିଆ ଆନ୍ତିର୍ଜାତିକ ମ୍ୟାଚ୍ ଖେଳିଥିବା ୪୧ ବର୍ଷ ବୟସ୍କ ନେହରା। ସେ ଆହୁରି ମଧ୍ୟ କହିଛନ୍ତି, ଆଇପିଏଲ୍ ଭଳି ଏକ ପ୍ରତିଯୋଗିତା ଯେ ଧୋନିଙ୍କ ଚୟନ ମାନଦଣ୍ଡ ହେବା ଉଚିତ ତାହା ମୁଁ ଭାବୁନାହିଁ। ଏହା କେବଳ ଏକ ଚର୍ଚ୍ଚା ମାତ୍ର। ଧୋନିଙ୍କ ଆନ୍ତର୍ଜାତିକ କ୍ୟାରିୟରରକୁ ଦେଖିଲେ ମୁଁ କାହିଁକି ଭାବୁନି ଯେ ଏଥରର ଆଇପିଏଲ୍ ତାଙ୍କ ପାଇଁ ବିଶେଷ କିଛି ମହତ୍ବ ରଖିବ। ଯଦି ତୁମେ ଜଣେ ଚୟନକର୍ତା, ତୁମେ ଜଣେ ଅଧିନାୟକ, ତୁମେ ଜଣେ ପ୍ରଶିକ୍ଷକ ଏବଂ ମହେନ୍ଦ୍ର ସିଂହ ଧୋନି…..ଯଦି ସେ ଖେଳିବାକୁ ପ୍ରସ୍ତୁତ ତାହାଲେ ଧୋନି ହିଁ ସେହି ତାଲିକାରେ ମୋର ଏକ ନମ୍ବର ନାମ ରହିବ ବୋଲି ନେହରା କହିଛନ୍ତି।
ଏହି ପୂର୍ବତନ ବାମହାତୀ ଦ୍ରୁତ ବୋଲର ନେହରାଙ୍କ କହିବା କଥା ହେଲା ନିକଟରେ ଶେଷ ହୋଇଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ବେଳେ କୋଭିଡ୍-୧୯ ପ୍ରୋଟୋକଲ୍ (ବିଶେଷକରି ଜୈବ ସୁରକ୍ଷିତ) ଉଲଂଘନ କରି ଯେପରି ଜୋଫ୍ରା ଆର୍ଚର ଗୋଟିଏ ଟେଷ୍ଟ୍ରୁ ବାଦ୍ ପଡ଼ିଥିଲେ ସେଥିରୁ ସମସ୍ତେ ଶିକ୍ଷାଲାଭ କରିଥିବେ। ତେଣୁ ଆଇପିଏଲ୍ ବେଳେ ଖେଳାଳିମାନେ ନିଜ ନିଜ ବ୍ୟବହାରକୁ ସଂଜତରେ ରଖିବା ଏବଂ ଦାୟିତ୍ବକୁ ସୂଚାରୁରୂପେ ନିର୍ବାହ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dhoni.jpeg)