ଚଳିତ ବର୍ଷଠୁ ଫାଓ ସୁପର କପ୍‌

କଟକ: ରାଜ୍ୟ ଫୁଟ୍‌ବଲ୍‌ ସଂଘ (ଫାଓ) ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ସୁପର କପ୍‌ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ସଂଧ୍ୟାବେଳେ ବାରବାଟୀ ଅତିଥି ଭବନରେ ଫାଓର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ବେଳେ ଫାଓ ଲିଗ୍‌କୁ ଅଧିକ ସଂପ୍ରସାରିତ ଓ ଲୋକପ୍ରିୟ କରାଇବା ଭଳି ଏକାଧିକ ନିଷ୍ପତ୍ତି ନିଆଯାଇଛି। ଫାଓ ଲିଗ୍‌ରେ ପରିବର୍ତ୍ତନ କରାଯାଇ ଡାଇମଣ୍ଡ ଲିଗ୍‌, ଗୋଲ୍ଡ ଲିଗ୍‌ ଓ ସିଲ୍‌ଭର ଲିଗ୍‌ ଭାବେ ତିନିଟି ପର୍ଯ୍ୟାୟରେ ପ୍ରତିଯୋଗିତାକୁ ଆୟୋଜନ କରାଯିବ। ସେମାନଙ୍କ ମଧ୍ୟରୁ ଡାଇମଣ୍ଡର ଶ୍ରେଷ୍ଠ ୪ ଦଳ, ଗୋଲ୍ଡ ଲିଗ୍‌ର ଶ୍ରେଷ୍ଠ ୩ ଦଳ ଏବଂ ସିଲ୍‌ଭର ଲିଗ୍‌ର ବିଜେତା ଦଳକୁ ନେଇ ପ୍ରସ୍ତାବିତ ସୁପର କପ୍‌ ଖେଳାଯିବ। ସୁପର କପ୍‌ର ବିଜେତାକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ଉପ ବିଜେତାକୁ ଟ୍ରଫି ସହ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରତ୍ୟେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ଯୋଜନା ରହିଥିବା କୁହାଯାଇଛି। ପ୍ରାୟ ୬ ଲକ୍ଷ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଥିବାବେଳେ ସଂପୂର୍ଣ୍ଣ ପ୍ରତିଯୋଗିତା ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି। ଫାଓ ଲିଗ୍‌ର ଡାଇମଣ୍ଡ ଲିଗ୍‌ରେ ଶ୍ରେଷ୍ଠ ୮ ଦଳ ଅଂଶଗ୍ରହଣ କରିବେ। ରାଧାରମଣ, ସନ୍‌ସାଇନ୍‌, ରାଇଜିଂ ଷ୍ଟୁଡେଣ୍ଟ୍‌, କ୍ରୀଡ଼ା ଛାତ୍ରାବାସ, ବିଡ଼ାନାସୀ, ରେଳବାଇ, ଜୟଦୁର୍ଗା ଏବଂ ଓଡ଼ିଶା ପୁଲିସ୍‌ଙ୍କୁ ନେଇ ଏହି ଲିଗ୍‌ ଅନୁଷ୍ଠିତ ହେବ। ରାଉଣ୍ଡ ରବିନ୍‌ ଭିତ୍ତିରେ ମୋଟ ୨୮ ମ୍ୟାଚ୍‌ ଖେଳାଯିବା ପରେ ସର୍ବାଧିକ ପଏଣ୍ଟ ପାଇଥିବା ଦଳକୁ ବିଜେତା ଘୋଷଣା କରାଯିବ। ସେହିପରି ସର୍ବନିମ୍ନରେ ଥିବା ଦଳ ପରବର୍ତ୍ତୀ ବର୍ଷଠୁ ଗୋଲ୍ଡ ଲିଗ୍‌ରେ ଖେଳିବ। ଡାଇମଣ୍ଡ ଲିଗ୍‌ର ଶ୍ରେଷ୍ଠ ୪ ଦଳ ସୁପର କପ୍‌ ସହିତ କଳିଙ୍ଗ କପ୍‌ରେ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ।

୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ
ନୂଆ ଢାଞ୍ଚାରେ ଫାଓ ଲିଗ୍‌
ଅକ୍ଟୋବରରୁ ଅନ୍ତଃଜିଲ୍ଲା କ୍ଲବ୍‌
ବିଦେଶୀ ଖେଳାଳି ଖେଳିପାରିବେନି

ଗୋଲ୍ଡ ଲିଗ୍‌ରେ ଦ୍ୱିତୀୟ ଶ୍ରେଷ୍ଠ ୮ ଦଳ ରାଇଜିଂ ଷ୍ଟାର୍‌, ମର୍ଣ୍ଣିଂ, ୟଙ୍ଗ ଉତ୍କଳ, ରାଧାଗୋବିନ୍ଦ, ଇଣ୍ଡିପେଣ୍ଡେଣ୍ଟ, କିଶୋର, ମଙ୍ଗଳା ଓ ରୋଭର୍ସ କ୍ଲବ୍‌ ଅଂଶଗ୍ରହଣ କରିବେ। ଏଥିରେ ମଧ୍ୟ ସମାନ ଧରଣର ମ୍ୟାଚ୍‌ ଖେଳାଯିବା ପରେ ସର୍ବାଧିକ ପଏଣ୍ଟଧାରୀକୁ ବିଜେତା ଘୋଷଣା କରାଯିବ ଏବଂ ଏହି ଦଳ ପରବର୍ତ୍ତୀ ବର୍ଷଠୁ ଡାଇମଣ୍ଡ ଲିଗ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ବିଜେତା ଦଳକୁ ଟ୍ରଫି ସହ ୭୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସର୍ବନିମ୍ନରେ ରହିଥିବା ଦଳ ପରବର୍ତ୍ତୀ ବର୍ଷଠୁ ସିଲ୍‌ଭର ଲିଗ୍‌ରେ ଖେଳିବ। ଅନ୍ୟପକ୍ଷରେ ସିଲ୍‌ଭର ଲିଗ୍‌ରେ ମୋଟ ୧୧ ଦଳକୁ ନେଇ ପ୍ରତିଯୋଗିତା ହେବ। ଦୁଇଟି ଗ୍ରୁପ୍‌ରେ ଦଳଗୁଡ଼ିକୁ ବଣ୍ଟାଯିବ। ଗ୍ରୁପ୍‌ ଏ’ରେ ସାଇ-କଟକ, ଯୁବବନ୍ଧୁ ସାଂସ୍କୃତିକ ସଂଗଠନ, ସରକାରୀ ପ୍ରେସ୍‌, କ୍ଲବ୍‌ ଏନ୍‌ କ୍ଲବ୍‌, ଚାଉଳିଆଗଞ୍ଜ, ଟାଉନ କ୍ଲବ୍‌ ଏବଂ ଗ୍ରୁପ୍‌ ବି’ରେ ଏସ୍‌ବିଆଇ, ଚାନ୍ଦ, ଲାଲବାଗ, ଆଜାଦ ହିନ୍ଦ୍‌ ଓ ସନ୍‌ସାଇନ୍‌ କ୍ଲବ୍‌ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ। ବିଜେତା ଦଳକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବା ସହିତ ଏହି ଦଳ ପରବର୍ତ୍ତୀ ବର୍ଷଠୁ ଗୋଲ୍ଡ ଲିଗ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଏହାବ୍ୟତୀତ ଉଭୟ ଗ୍ରୁପ୍‌ର ନିମ୍ନରେ ରହିଥିବା ଦୁଇ ଦଳଙ୍କ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ। ପରାଜିତ ଦଳ ପରବର୍ତ୍ତୀ ବର୍ଷଠୁ ଫାଓ ଦ୍ୱିତୀୟ ଡିଭିଜନ୍‌ ଲିଗ୍‌ରେ ଖେଳିବ। ତେବେ ଦ୍ୱିତୀୟ ଡିଭିଜନ୍‌ ଲିଗ୍‌ର ନିୟମାବଳୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦ୍ୱିତୀୟ ଡିଭିଜନ୍‌ ଲିଗ୍‌ର ବିଜେତା ୨୫ ହଜାର ଟଙ୍କା ପୁରସ୍କାର ପାଇବା ସହ ପରବର୍ତ୍ତୀ ବର୍ଷଠୁ ପ୍ରଥମ ଡିଭିଜନ୍‌ର ସିଲ୍‌ଭର ଲିଗ୍‌ ଖେଳିବ। ସେହିପରି ଉପ ବିଜେତା ଦଳକୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ।

ଫାଓ ଲିଗ୍‌ରେ ଚଳିତବର୍ଷଠୁ ବିଦେଶୀ ଖେଳାଳିଙ୍କୁ ନଖେଳାଯିବାକୁ ନିଷ୍ପତ୍ତି ହୋଇଛି। ବରଂ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ବିଭିନ୍ନ ଦଳ ନେଇପାରିବେ। କିନ୍ତୁ ସେମାନଙ୍କୁ ଏଆଇଏଫଏଫ୍‌ ଖେଳାଳି ବଦଳ ନିୟମାବଳୀ ଅନୁଯାୟୀ ଆଣିବାକୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ଫାଓ ମହିଳା ଲିଗ୍‌ ଆୟୋଜନ ହେବ। ଏହାର ବିଜେତାକୁ ୨୫ ହଜାର ଓ ଉପ ବିଜେତାକୁ ୧୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ବିଜେତା ଦଳ ଭାରତୀୟ ମହିଳା ଲିଗ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଚଳିତ ବର୍ଷ ଅକ୍ଟୋବରରୁ ଅନ୍ତଃ ଜିଲ୍ଲା କ୍ଲବ୍‌ ପ୍ରତିଯୋଗିତା ଆୟୋଜନ କରାଯିବ। ବିଭିନ୍ନ ଜିଲ୍ଲାର ଅନ୍ତଃ କ୍ଲବ୍‌ର ବିଜେତାମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ବିଜେତାକୁ ୧ ଲକ୍ଷ ଟଙ୍କା ଓ ଉପ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ୪ ଦଳ କଳିଙ୍ଗ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ବୋଲି ଫାଓ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଫାଓ ଉପ ସଭାପତି ଭକ୍ତ ବଲ୍ଲଭ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପରାମର୍ଶଦାତା ଆଶୀର୍ବାଦ ବେହେରା, ଫାଓ ଉପ ସଭାପତି ବିଜୟ ଦାସ, ତଡ଼ିତ କୁମାର ରାଉତ, ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ୍‌, ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର