ସେହି ବର୍ଷ ଏହି ତାରିଖ, ୱେଷ୍ଟଇଣ୍ଡିଜ୍‌ ଜିତିଥିଲା ପ୍ରଥମ ବିଶ୍ବକପ୍‌

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ୪୫ ବର୍ଷ ତଳେ (୧୯୭୫ ମସିହା ଜୁନ୍‌ ୨୧ ତାରିଖ) ୱେଷ୍ଟ୍‌ଇଣ୍ଡିଜ୍ କ୍ରିକେଟ୍‌ ଦଳ ପ୍ରଥମ ଥର ଲାଗି ଆୟୋଜିତ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଦିନିକିଆ ବିଶ୍ବକପ୍‌ ବିଜେତା ହୋଇଥିଲା। ଇଂଲଣ୍ଡର ଐତିହାସିକ ଲର୍ଡସ୍‌ ପଡ଼ିଆରେ ଏହି ଦିନ କ୍ଲାଇଭ୍‌ ଲୟଡ୍‌ଙ୍କ ନେତୃତ୍ବାଧୀନ ୱେଷ୍ଟ୍‌ଇଣ୍ଡିଜ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ବ ବିଜେତା ହୋଇଥିଲା। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ୱେଷ୍ଟ୍‌ଇଣ୍ଡିଜ୍‌ ନିର୍ଧାରିତ ୬୦ ଓଭରରେ ୨୯୧/୮ କରିଥିଲା। ଲୟଡ୍‌ ଅଧିନାୟକ ଭାବେ ଶତକୀୟ ପାଳି ଖେଳିଥିଲେ। ସେ ୮୫ ବଲ୍‌ରୁ ୧୦୨ ରନ୍‌ କରିଥିଲା ବେଳେ ରୋହନ କହ୍ନାଇ (୧୦୫ ବଲ୍‌ରୁ ୫୫) ଅର୍ଧଶତକ ଜମାଇଥିଲେ। ନିମ୍ନକ୍ରମରେ ଡେରିକ୍‌ ମୁରେ ୧୦ ବଲ୍‌ରୁ ଦ୍ରୁତ ୧୪ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ୟାରି ଗିଲ୍‌ମୋର ୫ ୱିକେଟ୍‌ ସଫଳତା ପାଇଥିଲେ। ସେ ୧୨ ଓଭରରେ ୪୮ ରନ୍‌ ବ୍ୟୟ କରିଥିଲେ।

ଜବାବ‌ରେ ଆଲାନ୍‌ ଟର୍ନର (୪୦) ଏବଂ ଇଆନ୍‌ ଚାପେଲ (୬୦)ଙ୍କ ବଳରେ ଅଷ୍ଟ୍ରେଲିଆ ଭଲ ସ୍ଥିତି ପାଇଥିଲା। ହେଲେ ଭିଭିଆନ୍‌ ରିଚାର୍ଡସ୍‌ ଚମତ୍କାର କ୍ଷେତ୍ରରକ୍ଷଣ ଜରିଆରେ ୩ ରନ୍‌ ଆଉଟ୍‌ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ରିଚାର୍ଡସ୍‌ ଉଭୟ ଟର୍ନର ଓ ଚାପେଲଙ୍କୁ ରନ୍‌ ଆଉଟ୍‌ କରିଥିଲେ। ଏହା ବ୍ୟତୀତ କିଥ୍‌ ବୋୟସ ୪ ୱିକେଟ୍‌ ଦଖଲ କରିବାରୁ ଅଷ୍ଟ୍ରେଲିଆ ୨୭୪ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ଫଳରେ ୱେଷ୍ଟ୍‌ଇଣ୍ଡିଜ୍‌ ୧୭ ରନ୍‌ର ବିଜୟୀ ହୋଇଥିଲା ଏବଂ ଲୟଡ୍‌ ବିଶ୍ବକପ୍‌ର ପ୍ରଥମ ସଂସ୍କରଣରେ ଟ୍ରଫି ତୋଳି ଧରିଥିଲେ।

ସମ୍ବନ୍ଧିତ ଖବର