ଚଳିତ ବର୍ଷ ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ଅତି ଉଚ୍ଚକୋଟିର ରହିଛି। ଅଧିକାଂଶ ମ୍ୟାଚ୍‌ରେ ସେମାନେ ହିଁ ଭାରତକୁ ବିଜୟୀ କରାଇଛନ୍ତି। ଇଡେନ୍ ଟେଷ୍ଟ୍‌ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହି ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ମିଳିତ ଭାବେ ୧୯ ୱିକେଟ୍ ନେଇଛନ୍ତି। ଏକ ଘରୋଇ ଟେଷ୍ଟ୍‌ରେ ଏହା ସର୍ବାଧିକ। ଏହା ପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦ୍ରୁତ ବୋଲର ଇଡେନ୍ ଗାର୍ଡେନ୍ସରେ ୧୭ ୱିକେଟ୍ ନେଇଥିଲେ। ମୋଟ ଉପରେ ଭାରତୀୟ ଦ୍ରୁତ ବୋଲର ତୃତୀୟ ଥର ପାଇଁ ୧୯ କିମ୍ବା ତା’ଠାରୁ ଅଧିକ ୱିକେଟ୍ ହାସଲ କଲେ। ଏ ସମସ୍ତ ସଫଳତା ଗତ ଦୁଇ ବର୍ଷ ଭିତରେ ହିଁ ଭାରତୀୟ ଦ୍ରୁତ ବୋଲର ହାସଲ କରିଛନ୍ତି। ଘରୋଇ ପରିବେଶରେ ପ୍ରଥମ ଥର ଭାରତୀୟ ସ୍ପିନର ୱିକେଟଶୂନ୍ୟ ଥାଇ ଭାରତ ଜିତିଛି। ଇଡେନ୍ ଗାର୍ଡେନ୍ସରେ ସ୍ପିନର ମାତ୍ର ୭ ଓଭର ବୋଲିଂ କରିଥିଲେ। ହେଲେ ଗୋଟିଏ ବି ୱିକେଟ୍ ପାଇ ନଥିଲେ। ଗୋଟିଏ ଟେଷ୍ଟ୍‌ରେ ଦୁଇ ଜଣ ଭାରତୀୟ ଦ୍ରୁତ ବୋଲର ୮ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେବାର ପ୍ରଥମ ଘଟଣା ମଧ୍ୟ ଇଡେନ୍ ପଡ଼ିଆରେ ଘଟିଛି। ଏଠାରେ ଈଶାନ୍ତ ଶର୍ମା ୯ ଏବଂ ଉମେଶ ଯାଦବ ୮ ୱିକେଟ୍ ଅକ୍ତିଆର କରିଛନ୍ତି। ଶେଷ ଥର ପାଇଁ ୨୦୧୦-୧୧ ଆସେସ୍ ଟେଷ୍ଟ୍‌ରେ ପର୍ଥଠାରେ ଦୁଇ ଅଷ୍ଟ୍ରେଲୀୟ ପେସର ମିଚେଲ ଜନସନ ଓ ରିଆନ ହାରିସ ଏଭଳି ସଫଳତା ହାସଲ କରିଥିଲେ। ଉଭୟ ପର୍ଥରେ ୯ ୱିକେଟ୍ ଲେଖାଏଁ ନେଇଥିଲେ। କୌଣସି ଟେଷ୍ଟର ଭିନ୍ନ ଭିନ୍ନ ପାଳିରେ ଦୁଇ ଜଣ ଭାରତୀୟ ସିମର ପାଞ୍ଚ ୱିକେଟ୍ ସଫଳତା ଲାଭ କରିବାର ମଧ୍ୟ ଏହା ପ୍ରଥମ ଘଟଣା।