ଏବର୍ଷ ବାରବାଟୀରେ ହେବନି ରଣଜୀ ମ୍ୟାଚ୍‌

ବିକାଶ ଓ ଡ୍ରିମ୍ସରେ ଖେଳାଯିବ ୩ ମ୍ୟାଚ୍‌

ଭୁବନେଶ୍ବର : ଚଳିତ ଋତୁରେ ବାରବାଟୀ ଷ୍ଟାଡିୟମ୍‌ରେ ରଣଜୀ ମ୍ୟାଚ୍‌ ଖେଳାଯିବନି। ଓଡ଼ିଶାର ୩ ଘରୋଇ ମ୍ୟାଚ୍‌କୁ ବିକାଶ ଓ ଡ୍ରିମ୍ସ ପଡ଼ିଆ ମଧ୍ୟରେ ବାଣ୍ଟି ଦିଆଯାଇଛି। ଡିସେମ୍ବର ୧୩ ତାରିଖରେ ବରୋଦା ବିପକ୍ଷ ଓଡ଼ିଶାର ପ୍ରଥମ ମ୍ୟାଚ୍‌ ଭୁବନେଶ୍ବରର ବିକାଶ ପଡ଼ିଆରେ ଖେଳାଯିବ। ପରେ ୨୭ ତାରିଖରେ ଦ୍ବିତୀୟ ଓ ଜାନୁଆରି ୩ ତାରିଖରେ ତୃତୀୟ ଘରୋଇ ମ୍ୟାଚ୍‌ ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ଅନୁଷ୍ଠିତ ହେବା ନେଇ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସୂଚୀ ପ୍ରସ୍ତୁତ କରିଛି। ରଣଜୀ ଟ୍ରଫିରେ ଓଡ଼ିଶା ତା’ର ଅନ୍ୟ ମ୍ୟାଚ୍‌ଗୁଡ଼ିକ ଯଥାକ୍ରମେ ଡିସେମ୍ବର ୨୦ରେ ଉତ୍ତରାଖଣ୍ଡ, ଜାନୁଆରି ୧୦ରେ ହିମାଚଳ ପ୍ରଦେଶ, ୧୭ରେ ଉତ୍ତରପ୍ରଦେଶ ଓ ୨୪ରେ ବେଙ୍ଗଲ ବିପକ୍ଷରେ ବାହାରେ ମ୍ୟାଚ୍‌ ଖେଳିବ। ଅନ୍ୟପକ୍ଷରେ ବାରବାଟୀରେ ୪ଟି ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ମ୍ୟାଚ୍‌ ଖେଳାଯିବାକୁ ସୂଚୀ ପ୍ରସ୍ତୁତ କରାଯାଇଛି। ଯଦିଓ ଗ୍ରୁପ୍‌ ଏଫ୍’ରେ ସ୍ଥାନ ପାଇଥିବା ଓଡ଼ିଶା ଆସନ୍ତା ୧ ତାରିଖରୁ ସୁରଟରେ ସବୁ ମ୍ୟାଚ୍‌ ଖେଳିବ, ତଥାପି ଓଡ଼ିଶାରେ ଗ୍ରୁପ୍‌ ଏ’ର ମ୍ୟାଚ୍‌ଗୁଡ଼ିକ ଆୟୋଜନ ହେବ। ଏହି ଗ୍ରୁପ୍‌ର ୪ ମ୍ୟାଚ୍‌ ବାରବାଟୀରେ ଖେଳାଯିବ। ଚଣ୍ଡିଗଡ଼-ହିମାଚଳ ପ୍ରଦେଶ, କେରଳ-ବିଦର୍ଭ, ଚଣ୍ଡିଗଡ଼-କେରଳ, ହରିଆଣା-ମଣିପୁର ମ୍ୟାଚ୍‌ ବାରବାଟୀରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର