ମୁମ୍ବାଇ: ୨୦୧୬ରେ ଆୟୋଜିତ ହୋଇଥିଲା ଟ୍ବେଣ୍ଟି-୨୦ ବିଶ୍ବକପ୍। ସେହିବର୍ଷ ଆଜିର ଦିନ (ମାର୍ଚ୍ଚ ୩୧ ତାରିଖ)ରେ ଭାରତକୁ ଶକ୍ତ ଝଟ୍କା ଦେଇଥିଲା ୱେଷ୍ଟଇଣ୍ଡିଜ୍। ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିଲା ସେମିଫାଇନାଲ୍ ମ୍ୟାଚ୍। ଆଉ ଏହି ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତକୁ ପରାସ୍ତ କରି ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଥିଲା ଇଣ୍ଡିଜ୍ ଦଳ। ବିଶେଷକରି ଅଲ୍ରାଉଣ୍ଡର ଆନ୍ଦ୍ରେ ରସେଲ ଓ ଲେଣ୍ଡଲ୍ ସିମନ୍ସ ହିଁ ଭାରତକୁ ତା’ ଘରୋଇ ମାଟିରେ ପରାସ୍ତ କରିବାରେ ନାୟକ ସାଜିଥିଲେ। ଭାରତର ୧୯୩ ରନ୍କୁ ପିଛା କରିଥିବା ଇଣ୍ଡିଜ୍ ଦଳ ଆରମ୍ଭରୁ ଖରାପ ସ୍ଥିତି ପାଇଥିଲା। ବିସ୍ଫୋରକ କ୍ରିସ୍ ଗେଲ୍ (୫) ଓ ଅଭିଜ୍ଞ ମାର୍ଲନ୍ ସାମୁଏଲ୍ସ (୮) ପାଳିର ତୃତୀୟ ଓଭର ବେଳକୁ ପାଭିଲିୟନ୍ ଫେରିଯାଇଥିଲେ। ଫଳରେ ୧୯/୨ରେ ଇଣ୍ଡିଜ୍ ଦଳ ସଂଘର୍ଷ କରିଥିଲା। ଏହାପରେ ସିମନ୍ସଙ୍କ ସହ ଯୋଗଦେଇଥିଲେ ଜନ୍ସନ୍ ଚାର୍ଲସ। ଦୁହେଁ ତୃତୀୟ ୱିକେଟ୍ରେ ୯୭ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଉଭୟେ ମଧ୍ୟ ଅର୍ଧଶତକ ଜମାଇଥିଲେ। ତେବେ ୧୪ତମ ଓଭରରେ ଚାର୍ଲସ (୩୬ ବଲ୍ରୁ ୫୪ ରନ୍)ଙ୍କୁ ବିରାଟ କୋହଲି ଆଉଟ୍ କରିବାରୁ ଭାରତକୁ ଅତି ଆବଶ୍ୟକ ୱିକେଟ୍ ମିଳିଥିଲା। ତଥାପି ୱେଷ୍ଟ୍ଇଣ୍ଡିଜ୍କୁ ବିଜୟ ପାଇଁ ଶେଷ ୬ ଓଭରରୁ ୭୭ ରନ୍ ଦରକାର ଥିଲା। ହେଲେ ସିମନ୍ସଙ୍କ ସହ ରସେଲ ଯୋଗଦେବା ପରେ ଭାରତର ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା। ଦୁହେଁ ଅବିଭାଜିତ ଚତୁର୍ଥ ୱିକେଟ୍ରେ ୮୦ ରନ୍ ଯୋଡ଼ି ୨ ବଲ୍ ପୂର୍ବରୁ ଇଣ୍ଡିଜ୍କୁ ୭ ୱିକେଟ୍ର ବିଜୟ ଭେଟି ଦେଇଥିଲା ବେଳେ ଭାରତ ସେହି ବିଶ୍ବକପ୍ରୁ ବିଦାୟ ନେଇଥିଲା। ସିମନ୍ସ ୫୧ ବଲ୍ରୁ ୮୨ ଏବଂ ମାରାତ୍ମକ ରସେଲ ୨୦ ବଲ୍ରୁ ୪୩ ରନ୍ କରି ଅପରାଜିତ ରହିଥିଲେ। ରସେଲଙ୍କ ପାଳିରେ ୩ ଚୌକା ଓ ୪ ଛକା ସାମିଲ ଥିଲା। ପୂର୍ବରୁ ଭାରତ ପକ୍ଷରୁ କୋହଲି ହିଁ ସର୍ବାଧିକ ୮୯ ରନ୍ (୪୭ ବଲ୍) କରି ଅପରାଜିତ ରହିଥିଲେ। ରୋହିତ ଶର୍ମା ଓ ଆଜିଙ୍କ୍ୟ ରହାଣେ ପ୍ରଥମ ୱିକେଟ୍ରେ ୭.୨ ଓଭରରେ ୬୨ ରନ୍ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ଏହାପରେ ରାହାଣେଙ୍କ ସହ କୋହଲି ଦ୍ବିତୀୟ ୱିକେଟ୍ରେ ୬୬ ରନ୍ ଯୋଡ଼ିବା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସାଥୀ କରି ଅବିଭାଜିତ ତୃତୀୟ ୱିକେଟ୍ରେ ୬୪ ରନ୍ ଯୋଡ଼ିଥିଲେ। ଭାରତ ୧୯୨/୨ କରିଥିଲା। ହେଲେ କ୍ରମାଗତ ଦ୍ବିତୀୟ ଥର ଫାଇନାଲ୍ ଯିବାରୁ ବଞ୍ଚିତ ହୋଇଥିଲା।
ଆଉ ଭାରତକୁ ବିଦା କରି ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିବା ୱେଷ୍ଟ୍ଇଣ୍ଡିଜ୍ ମଧ୍ୟ ଶେଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ହୋଇଥିଲା। କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଏପ୍ରିଲ ୩ ତାରିଖ ଫାଇନାଲ୍ରେ ଇଂଲଣ୍ଡକୁ ଶେଷ ଓଭରରେ ପରାସ୍ତ କରି ଇଣ୍ଡିଜ୍ ଟ୍ରଫି ତୋଳି ଧରିଥିଲା। ଫାଇନାଲ୍ର ଶେଷ ଓଭରରେ ଇଣ୍ଡିଜ୍ ୧୯ ରନ୍ ଦରକାର କରୁଥିଲା ବେଳେ ବେନ୍ ଷ୍ଟୋକ୍ସ ବୋଲିଂ ଭାର ନେଇଥିଲେ। ହେଲେ କାର୍ଲୋସ୍ ବ୍ରାଥ୍ୱେଟ୍ ପ୍ରଥମ ୪ ବଲ୍ରେ ୪ ବିଶାଳ ଛକା ମାରି ନାଟକୀୟ ଢଙ୍ଗରେ ଡାରେନ୍ ସାମିଙ୍କ ନେତୃତ୍ବାଧୀନ ୱେଷ୍ଟ୍ଇଣ୍ଡିଜ୍କୁ ଟ୍ବେଣ୍ଟି-୨୦ ବିଶ୍ବବିଜେତା କରାଇଥିଲେ।