ଥୋମାସ କପ୍‌: ଜର୍ମାନିକୁ ୫-୦ରେ ହରାଇଲା ଭାରତ

ବ୍ୟାଙ୍କକ୍‌: ଥୋମାସ ଓ ଉବେର କପ୍‌ରେ ଭାରତୀୟ ପୁରୁଷ ଦଳ ଆକର୍ଷଣୀୟ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଥୋମାସ୍‌ କପ୍‌ ଗ୍ରୁପ୍‌-ସି ମୁକାବିଲାରେ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଦଳ ୫-୦ରେ ଜର୍ମାନିକୁ ପରାସ୍ତ କରିଛି।

ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ଲକ୍ଷ ସେନ୍‌ ପ୍ରଥମ ଏକକ ମ୍ୟାଚ୍‌ରେ ୨୧-୧୬, ୨୧-୧୩ରେ ବିଶ୍ବ ମାନ୍ୟତାର ୬୪ ମାକ୍ସ ୱିସ୍‌କିଚେନଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା ବେଳେ ଯୁଗଳ ଯୋଡ଼ି ସାତ୍ତିକ୍‌ସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ୨୧-୧୫, ୧୦-୨୧ ଓ ୨୧-୧୩ରେ ଜୋନ୍‌ସ ରାଲ୍‌ଫି ଜାନ୍‌ସେନ-ମାର୍ଭିନ ସିଦେଲ୍‌ଙ୍କୁ, ବିଶ୍ବ ମାନ୍ୟତାର ଏକାଦଶ କିଦାମ୍ବି ଶ୍ରୀକାନ୍ତ ଦ୍ବିତୀୟ ଏକକ ମ୍ୟାଚ୍‌ରେ ୧୮-୨୧, ୨୧-୯ ଓ ୨୧-୧୧ରେ କାଇ ଶ୍ଚାଫେରଙ୍କୁ, ଦ୍ବିତୀୟ ଯୁଗଳରେ ଏମ୍‌ଆର୍‌ ଅର୍ଜୁନ-ଧ୍ରୁବ କପିଳା ଯୋଡ଼ି ୨୫-୨୩, ୨୧-୧୫ରେ ଜାର୍ନେ ଗିସ୍‌-ଜାନ୍‌ କୋଲିନ ଭୋଲ୍‌କେରଙ୍କୁ ଏବଂ ଶେଷରେ ତୃତୀୟ ଏକକରେ ଏଚ୍‌ଏସ୍‌ ପ୍ରଣୟ ୨୧-୯ ଓ ୨୧-୯ରେ ମାଥିଆସ କିକ୍‌ଲିଜ୍‌ଙ୍କୁ ପରାସ୍ତ କରି ୫-୦ର ସହଜ ବିଜୟ ଭାରତକୁ ଭେଟି ଦେଇଥିଲେ। ତେବେ ଥୋମାସ କପ୍‌ରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ ଦଳ ସେମିଫାଇନାଲ୍‌ ପହଞ୍ଚିପାରିନଥିବାରୁ ଏହି ଧାରାକୁ ଏଥର ଭାଙ୍ଗିବା ଲକ୍ଷ୍ୟରେ ରହିଛି। ଗତବର୍ଷ ପୁରୁଷ ଦଳ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର