ଓଡ଼ିଶା ଏଫ୍‌ସିରେ ଥୋଇବା ସିଂହ

ଭୁବନେଶ୍ବର: ଭାରତୀୟ ଯୁବ ଫୁଟ୍‌ବଲର୍‌ ଥୋଇବା ସିଂହ ମୋଇରାଙ୍ଗଥିମ୍‌ଙ୍କୁ ଆଇଏସ୍‌ଏଲ୍ ଦଳ ଓଡ଼ିଶା ଏଫ୍‌ସି ଚୁକ୍ତିବଦ୍ଧ କରିଛି। ୧୭ ବର୍ଷୀୟ ଏହି ମିଡ୍‌ଫିଲ୍ଡର ଭୁବନେଶ୍ବର ଦଳ ସହ ୩ ବର୍ଷିଆ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ମଣିପୁର ଜନ୍ମିତ ଥୋଇବା ବିଭିନ୍ନ ବୟସ ବର୍ଗ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବା ସହିତ ଗତ ୨ ଋତୁ ଆଇ-ଲିଗ୍ ଦଳ ମିନର୍ଭା ପଞ୍ଜାବ ଏଫ୍‌ସିରୁ ଖେଳିଥିଲେ। ପଞ୍ଜାବ ଦଳର ପ୍ରତିନିଧିତ୍ବ ବେ‌ଳେ ସେ ଗତବର୍ଷ ଏଏଫ୍‌ସି କପ୍‌ରେ ସର୍ବକନିଷ୍ଠ ସ୍କୋରର୍‌‌ ହୋଇଥିଲେ।

‘ଓଡ଼ିଶା ଏଫ୍‌ସି ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଁ ବ୍ୟଗ୍ର ରହିଛି ଏବଂ ଆଇଏସ୍‌ଏଲ୍‌ରେ ନିଜ ଛାପ ଛାଡ଼ି ଭାରତୀୟ ଦଳ ପାଇଁ ସମ୍ଭାବନା ଆଣିବା ଆଶା ରଖିଛି’ ବୋଲି ନିଯୁକ୍ତିରେ ଉଲ୍ଲସିତ ଥୋଇବା ସିଂହ ପ୍ରକାଶ କରିଛନ୍ତି। ଓଡ଼ିଶା ଏଫ୍‌ସି ପାଇଁ ଖେଳି ମୁଁ ନିଶ୍ଚିତ ଅନେକ କିଛି ଶିଖିବି ଏବଂ ଉନ୍ନତି କରିବି ବୋଲି ‌ଥୋଇବା ଆଶା ରଖିଛନ୍ତି। ଥୋଇବା ସିଂହଙ୍କ ଭଳି ଜଣେ ଯୁବ ଭାରତୀୟ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିବାର ସୁଯୋଗ ମିଳିଥିବାରୁ ଓଡ଼ିଶା ଏଫ୍‌ସିର ସଭାପତି ରୋହନ ଶର୍ମା ମଧ୍ୟ ଖୁସି ହୋଇଛନ୍ତି। କ୍ଲବ୍‌ର ଆଦର୍ଶ ଓ ନୀତିରେ ବିଶ୍ବାସ ରଖି ଥୋଇବା ନିଶ୍ଚିତ ଭବିଷ୍ୟତରେ ଜଣେ ଉନ୍ନତ ଖେଳାଳି ଭାବେ ବିକଶିତ ହୋଇପାରିବେ ବୋଲି ରୋହନ ଶର୍ମା ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର