ମୁମ୍ବାଇ : ଲଣ୍ଡନରେ ଅନୁଷ୍ଠିତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ପ୍ରସ୍ତୁତି ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଛି । ଏହା ସହିତ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ବି ସଂକଟକୁ ଚାଲିଆସିଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ହାରିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚୟନକର୍ତ୍ତାଙ୍କ ନଜରକୁ ଆସିଯାଇଛନ୍ତି । ସୂଚନା ଅନୁସାରେ ରୋହିତ ଶର୍ମା ଅଧିନାୟକ ଭାବେ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ, କିନ୍ତୁ ତାଙ୍କ ଉପରେ ବହୁତ ଚାପ ରହିବ। ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ସମୟରେ ତାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ଯଦି ସେ ପୋର୍ଟ ଅଫ୍ ସ୍ପେନ୍ କିମ୍ବା ଡୋମିନିକାରେ ବଡ଼ ଇନିଂସ ଖେଳିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇପାରେ ।
ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ପ୍ରଥମ ଟେଷ୍ଟ ଜୁଲାଇ ୧୨ରୁ ଡୋମିନିକାରେ ଏବଂ ଦ୍ବିତୀୟ ଟେଷ୍ଟ ଜୁଲାଇ ୨୦ରୁ ପୋର୍ଟ ଅଫ୍ ସ୍ପେନରେ ଖେଳାଯିବ। ଯଦି ରୋହିତ ଉଭୟ ଟେଷ୍ଟରେ ଅତି କମରେ ଗୋଟିଏ ବଡ଼ ଇନିଂସ ଖେଳିବାରେ ବିଫଳ ହୁଅନ୍ତି, ତେବେ ବିସିସିଆଇ ଅଧିକାରୀ ଏବଂ ଶିବସୁନ୍ଦର ଦାସଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ଚୟନ ସମିତି ଉପରେ କଠୋର ନିଷ୍ପତ୍ତି ନେବାକୁ ଚାପ ପଡ଼ିବ ।