ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପିଉସା ଅଶୋକ କୁମାରଙ୍କୁ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସାୱନ ଓରଫ ମ୍ୟାଚିଂ, ମୁହୋବତ୍ ଓ ଶାହରୁଖ ଖାନ୍। ସେମାନଙ୍କ ନିକଟରୁ ଏକ ସୁନା ମୁଦି, ସୁନା ଚେନ୍, ୧୫୩୦ ଟଙ୍କା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇ ଠେଙ୍ଗାକୁ ଜବତ କରାଯାଇଛି। ଏହି ହତ୍ୟା ମାମଲାରେ ପୁଲିସର ଏହା ବଡ଼ ସଫଳତା ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂହ ଜଣାଇଛନ୍ତି। ତଥାପି ୧୧ ଜଣ ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ଡିଜିପି ଦିନକର ଗୁପ୍ତା ସୂଚନା ଦେଇଛନ୍ତି।
ରାଇନାଙ୍କ ପିଉସା ଅଶୋକ ଜଣେ ଠିକାଦାର ହୋଇଥିଲା ବେଳେ ପଠାନକୋଟସ୍ଥିତ ଘରେ ଦୁବୃର୍ତ୍ତଙ୍କ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ପୁଅ କୌଶଲ କୁମାର ଓ ପତ୍ନୀ ଆଶା ରାଣୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ତାଙ୍କ ପରିବାରର ଅନ୍ୟ ଦୁଇଜଣ ଆହତ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇସାରିଛନ୍ତି। ହତ୍ୟା ଘଟଣା ଉପରେ ତଦନ୍ତ କରିବା ପାଇଁ ଅମୃତସର ବର୍ଡର ରେଞ୍ଜ ଆଇଜିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଥିଲା। ଗତ ୧୫ ତାରିଖରେ ଉକ୍ତ ତିନି ଅଭିଯୁକ୍ତଙ୍କୁ ହତ୍ୟା ଘଟଣା ପରେ ଡିଫେନ୍ସ ରୋଡ୍ଠାରେ ଦେଖାଯାଇଥିବା ଏସ୍ଆଇଟିକୁ ଖବର ମିଳିଥିଲା। ସେମାନେ ପଠାନକୋଟ ରେଳ ଷ୍ଟେସନ୍ ନିକଟସ୍ଥ ଏକ ବସ୍ତିରେ ଲୁଚିଥିବା ଜଣାପଡ଼ିଥିଲା। ପରେ ସେଠାରେ ଚଢ଼ାଉ କରାଯାଇ ଏମାନଙ୍କୁ ଧରଯାଇଥିଲା। ହତ୍ୟା ଘଟଣା ପରେପରେ ଆଇପିଏଲ୍ ଖେଳିବାକୁ ଯାଇଥିବା ରାଇନା ୟୁଏଇରୁ ତୁରନ୍ତ ଭାରତକୁ ଫେରିଆସିଥିଲେ। ଏଭଳି ଏକ ଦୁଃଖଦ ସମୟରେ ନିଜ ପରିବାରକୁ ସମୟ ଦେବା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ରାଇନା ପୂର୍ବରୁ କହିଛନ୍ତି।