ଆଉ ୩ ଦିନ ପରେ, ନୂଆ ନେତୃତ୍ବ ଉପରେ ରାଜସ୍ଥାନର ଭରସା

ମଧ୍ୟକ୍ରମ ଦୁର୍ବଳତା ଦୂର ଆଶାରେ ସନ୍‌ରାଇଜର୍ସ

ଜୟପୁର: ୟୁଏଇର ସାରଜାରେ ପ୍ରତିଶ୍ରୁତିଭରା ଆରମ୍ଭ ସତ୍ତ୍ବେ ଗତଋତୁରେ ଆଇପିଏଲ୍‌ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ପଏଣ୍ଟ୍‌ ଟେବୁଲର ସବାଶେଷ ସ୍ଥାନରେ ରହିଥିଲା। ଚଳିତବର୍ଷ ଏହି ଦଳ କେରଳର ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଅଧିନାୟକ ଦାୟିତ୍ବ ପ୍ରଦାନ କରିଛି। ଘରୋଇ କ୍ରିକେଟ୍‌ ଓ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ସଞ୍ଜୁ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଥିଲେ। ଏପରିକି ତାଙ୍କୁ ଏକଦା ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ୟତମ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିଲା। ହେଲେ ସୁଯୋଗର ସଦୁପଯୋଗ କରି ନପାରି ଦଳରୁ ବିଦା ହୋଇଥିଲେ ସେ। ସେଥିପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ନିଯୁକ୍ତ ହେବା ତାଙ୍କ ପାଇଁ ନୂଆ ସମ୍ଭାବନା ନେଇ ଆସିଛି। ଏଥରର ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ସହ ବଳିଷ୍ଠ ନେତୃତ୍ବର ପରିଚୟ ଦେଇ ସାମସନ ଜାତୀୟ ଚୟନକର୍ତ୍ତାଙ୍କୁ ପୁଣି ଥରେ ପ୍ରଭାବିତ କରିବା ଲକ୍ଷ୍ୟରେ ରହିବେ। ତାଙ୍କ ଛଡ଼ା ରାଜସ୍ଥାନରେ ବହୁ ଦକ୍ଷ ଓ ମ୍ୟାଚ୍ ବିଜେତା ଖେଳାଳି ଯଥା ବେନ୍ ‌ଷ୍ଟୋକ୍ସ, ଜୋସ୍ ବଟଲର, ଲିୟମ ଲିଭିଂଷ୍ଟୋନ୍ ଏବଂ ଚଳିତବର୍ଷ ନିଲାମର ସବୁଠାରୁ ଦାମୀ ଖେଳାଳି କ୍ରିସ୍ ମୋରିସ ବି ଅଛନ୍ତି।

ସ୍ପିନର ରାହୁଲ ତିୱାତିଆ, ରିୟାନ ପରାଗ ଓ ଅଭଜ୍ଞ ଡେଭିଡ୍ ମିଲର ମଧ୍ୟ ଯେ କୌଣସି ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ରାଜସ୍ଥାନ ପାଖରେ ମୟଙ୍କ ମାର୍କଣ୍ଡ, କେସି କାରିଆପ୍ପା, ଶ୍ରେୟସ୍ ଗୋପାଳ ଓ ତିୱାତିଆଙ୍କ ରୂପରେ ଏକାଧିକ ରିଷ୍ଟ୍‌ ସ୍ପିନର ଅଛନ୍ତି। ହେଲେ ଜଣେ ହେଲେ ବି ଆଗଧାଡ଼ିର ଅଙ୍ଗୁଳି ସ୍ପିନର ନାହାନ୍ତି। ଯାହା ଏକ ସମସ୍ୟା ହୋଇପାରେ। କାର୍ତ୍ତିକ ତ୍ୟାଗି, ଚେତନ ସକାରିଆ ଓ ଆକାଶ ସିଂହଙ୍କ ଭଳି ଯୁବ ଦ୍ରୁତ ବୋଲରଙ୍କ ପାଇଁ ଚଳିତବର୍ଷର ଆଇପିଏଲ୍ ଅବଶ୍ୟ ନୂଆ ସୁଯୋଗ ନେଇ ଆସିବ। ଅତୀତରେ ବିଦେଶୀ ଖେଳାଳିଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବା ରାଜସ୍ଥାନ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥର ଯେମିତି ସେହି ତ୍ରୁଟିର ପୁନରାବୃତ୍ତି ନହୁଏ, ସେକଥା ସାମସନ୍‌ଙ୍କୁ ନଜରରେ ରଖିବାକୁ ହେବ।

ଦଳ: ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଡେଭିଡ୍ ମିଲର, ରିୟାନ ପରାଗ, ଲିୟମ ଲିଭିଂଷ୍ଟୋନ, ମହିପାଲ ଲୋମରର, ଜୋସ୍ ବଟଲର, ଅନୁଜ ରାୱତ, ସଞ୍ଜୁ ସାମସନ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଶ୍ରେୟସ୍ ଗୋପାଳ, ରାହୁଲ ତିୱାତିଆ, କ୍ରିସ୍ ମୋରିସ୍, ଜୋଫ୍ରା ଆର୍ଚର, ଶିଭମ ଦୁବେ, ମୟଙ୍କ ଅଗ୍ରୱାଲ, କେସି କାରିଆପ୍ପା, କାର୍ତ୍ତିକ ତ୍ୟାଗି, ଚେତନ ସକାରିଆ, ଆକାଶ ସିଂହ, ମୁସ୍ତାଫିଜୁର ରହମାନ, ଜୟଦେବ ଉନାଦକଟ, ଆଣ୍ଡ୍ର୍ୟୁ ଟାଇ, କୁଲଦୀବ ଯାଦବ।

ନୂଆଦିଲ୍ଲୀ: ସନ୍‌ରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ର ଗତ ୫ ଋତୁରେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ତଥାପି ଏହି ଦଳ ଏଥର ନିଜ ମଧ୍ୟକ୍ରମ ଦୁର୍ବଳତାକୁ ଦୂର କରିବା ଆଶାରେ ରହିବ। ୟୁଏଇରେ ଖେଳା ଯାଇଥିବା ଗତ ସଂସ୍କରଣରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଉଭୟ ଏଲିମିନେଟର ଓ ଦ୍ବିତୀୟ କ୍ବାଲିଫାୟରରେ ହାରି ବିଦାୟ ନେଇଥିଲା। ଏଥର ମଧ୍ୟ ଏହି ଦଳ ବିଶେଷ ଅଦଳ ବଦଳ କରି ନାହିଁ। ମଧ୍ୟକ୍ରମ ବ୍ୟାଟିଂରେ ଥିବା ଅନଭିଜ୍ଞତା ହୁଏତ ଏହି ଦଳ ପାଇଁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇପାରେ। ଶୀର୍ଷକ୍ରମରେ ଥିବା ସନ୍ତୁଳନ କିନ୍ତୁ ଏହି ଦଳର ସବୁଠାରୁ ବଡ଼ ଶକ୍ତି। ଡେଭିଡ୍ ୱାର୍ନର, ଜନି ବେୟାରଷ୍ଟୋ, କେନ୍ ୱିଲିୟମସନ୍, ଜାସନ ରୟ, ମନୀଷ ପାଣ୍ଡେ, ରିଦ୍ଧିମାନ ସାହାଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସନ୍‌ରାଇଜର୍ସ ଶୀର୍ଷକ୍ରମ ଅତୁଳନୀୟ। ସୁଦୃଢ଼ ବୋଲିଂ ବାହିନୀ ପାଇଁ ମଧ୍ୟ ଏହି ଦଳ ଅନ୍ୟମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ। ତେବେ ଫିନିସରଙ୍କ ଅଭାବ ସନ୍‌ରାଇଜର୍ସର ଆଉ ଏକ ଦୁର୍ବଳତା ବୋଲି କୁହାଯାଇପାରେ। ବିଜୟ ଶଙ୍କରଙ୍କୁ ପୂର୍ବରୁ ଏହି ଦାୟିତ୍ବ ଦିଆଯାଉଥିଲା। ଏଥର ସନ୍‌ରାଇଜର୍ସ କେଦାର ଯାଦବଙ୍କୁ କିଣିଛି।

ଦଳ: ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।

ସମ୍ବନ୍ଧିତ ଖବର