ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଗତ ଅନ୍ତର୍ଜାତୀୟ ଦିନିକିଆରେ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଭାବେ କଟକ ଆସିଥିଲେ। ୨୦୧୯ ମସିହାର ସେହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମଧ୍ୟ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେତେଟା ଭଲ ନଥିଲା। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋହଲି ମାତ୍ର ୪ ରନ୍ କରିଥିଲା ବେଳେ ରୋହିତ ୩୬ ରନ୍ର ଅବଦାନ ରଖିଥିଲେ। ଏହି ମ୍ୟାଚ୍କୁ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ରେ ଜିତି ନେଇ ୧-୦ରେ ଆଗୁଆ ହୋଇଥିଲା। ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ରୋହିତ ୧୫୯ ରନ୍ର ସ୍ମରଣୀୟ ପାଳି ଖେଳି ଫର୍ମକୁ ଫେରିଥିଲେ। କୋହଲି କିନ୍ତୁ ଖାତା ଖୋଲି ପାରି ନଥିଲେ। ତେବେ ଭାରତ ଏହି ମ୍ୟାଚ୍କୁ ୧୦୭ ରନ୍ରେ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିଥିଲା। ପ୍ରଥମ ଦୁଇ ମ୍ୟାଚ୍ରେ ବିଫଳ ହେବା ପରେ ବାରବାଟୀର ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ କୋହଲିଙ୍କ ବ୍ୟାଟ୍ ଗର୍ଜିଥିଲା।
ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୩୧୫ ରନ୍ର ବିଶାଳ ସ୍କୋର୍ କରିଥିଲା। ଜବାବରେ ଭାରତ କୋହଲିଙ୍କ ୮୧ ବଲ୍ ୮୫ ରନ୍ ସହ ରୋହିତଙ୍କ ୬୩ ଏବଂ କେଏଲ୍ ରାହୁଲଙ୍କ ୭୭ ରନ୍ ବଳରେ ୮ ବଲ୍ ପୂର୍ବରୁ ୬ ୱିକେଟ୍ ହରାଇ ୩୧୬ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତା’ସହିତ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। କୋହଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରୋହିତ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥର ସ୍ଥିତି ବଦଳି ଯାଇଛି ରୋହିତ ଅଧିନାୟକ ଭାବେ ବାରବାଟୀରେ ଖେଳିବାକୁ ଆସୁଛନ୍ତି। ପୁଣି କୋହଲିଙ୍କ ସହ ସେ ମଧ୍ୟ ଅତ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେମାନଙ୍କଠାରୁ ପ୍ରଶଂସକ ବଡ଼ ପାଳିର ଆଶାରେ ରହିଛନ୍ତି। ବିଶେଷ କରି କୋହଲି ପୁଣି ଥରେ କମାଲ କରି ଭାରତକୁ ଜିତାଇବା ସହ ବ୍ୟକ୍ତିଗତ ଭାବେ ନିଜ ପୁରୁଣା ଚମକ ଏଠାରେ ହିଁ ଫେରିପାଇବେ ବୋଲି ତାଙ୍କ ସମର୍ଥକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି।