ନ୍ୟୁୟର୍କ : ଚଳିତ ୟୁଏସ୍ ଓପନ୍ର ଚତୁର୍ଥ ଦିନ ଥିଲା ମା’ମାନଙ୍କ ଦିନ। ଏହି ଦିନ ୩ ଜଣ ମା’ ଆମେରିକାର ସେରେନା ୱିଲିୟମ୍ସ, ବେଲାରୁଷର ଭିକ୍ଟୋରିଆ ଆଜରେଙ୍କା ଓ ବୁଲଗେରିଆର ସ୍ବେତନା ପିରୋଙ୍କୋଭା ବିଜୟ ଲାଭ କରି ତୃତୀୟ ପର୍ଯ୍ୟୟରେ ପହଞ୍ଚିଛନ୍ତି। ଏହି ପ୍ରତିଯୋଗିତାରେ ନିକଟ ଅତୀତରେ ମାତୃତ୍ବ ଲାଭ କରିଥିବା ମୋଟ ୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣ କିମ୍ କ୍ଲାଇଷ୍ଟର, ଭେରା ଜୋନାରିଭା, ତାଜାନା ମାରିଆ, କାଟେରିନା ବୋଣ୍ଡାରେଙ୍କୋ, ପାଟ୍ରିସିଆ ମାରିଆ ଟିଗ୍ ଓ ଓଲଗା ଗୋଭୋର୍ତ୍ସୋଭା ବିଦାୟ ନେଇସାରିଛନ୍ତି। ପୂର୍ବରୁ ମାତ୍ର ୩ ଜଣ ମହିଳା ଖେଳାଳି ବେଲ୍ଜିୟମର କ୍ଲାଇଷ୍ଟର, ଅଷ୍ଟ୍ରେଲିଆର ଏଭୋନ୍ ଗୁଲାଗଙ୍ଗ ଓ ମାର୍ଗରେଟ କୋର୍ଟ ମା’ ହେବା ପରେ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି।
ମହିଳା ଏକକ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ୩ ବର୍ଷ ତଳେ ମାତୃତ୍ବ ଲାଭ କରିଥିବା ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ସେରେନା ରୁଷିଆର ମାର୍ଗାରିଟା ଗାସପାରିନଙ୍କୁ ହରାଇଥିଲେ। ୬ ଥର ୟୁଏସ୍ ଓପନ୍ ବିଜୟିନୀ ଏହି ଆମେରିକା ତାରକା ୬-୪, ୬-୪ ସେଟ୍ରେ ଗାସପରିନଙ୍କୁ ହରାଇ ନିଜର ୨୪ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି। ୩ ବର୍ଷର ବିରତି ପରେ ଅଣମାନ୍ୟତାପ୍ରାପ୍ତ ପିରୋଙ୍କୋଭାଙ୍କ ଏହା ପ୍ରଥମ ପ୍ରତିଯୋଗିତା। ସେ ୭-୫, ୬-୩ ସେଟ୍ରେ ଦଶମ ମାନ୍ୟତାପ୍ରାପ୍ତ ସ୍ପେନ୍ର ଗାର୍ବିନେ ମୁଗୁରୁଜାଙ୍କୁ ମାତ୍ ଦେଇଥିଲେ। ପିରୋଙ୍କୋଭା ୨୦୧୮ ଏପ୍ରିଲ ମାସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେହିଭଳି ୪ ବର୍ଷ ତଳେ ମା’ ହୋଇଥିବା ଆଜରେଙ୍କା ୬-୧, ୬-୩ ସେଟ୍ରେ ନିଜ ଦେଶର ପଞ୍ଚମ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ।
ଅନ୍ୟ ମହିଳା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ, ସପ୍ତମ ମାନ୍ୟତାପ୍ରାପ୍ତ ମାଡିସନ କିଜ୍, ୨୬ ମାନ୍ୟତାପ୍ରାପ୍ତ ସ୍ଲୋଆନେ ଷ୍ଟିଫେନ୍ସ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। କେନିନ ୬-୪, ୬-୩ ସେଟ୍ରେ କାନାଡ଼ାର ଲିଲା ଆନି ଫର୍ନାଣ୍ଡିଜ୍ଙ୍କୁ, ୨୦୧୭ ଉପବିଜୟନୀ କିଜ୍ ୬-୨, ୬-୧ ସେଟ୍ରେ ସ୍ପେନ୍ର ଆଲିଓନା ବୋଲସୋଭାଙ୍କୁ ଏବଂ ଷ୍ଟିଫେନ୍ସ ୬-୨, ୬-୨ ସେଟ୍ରେ ବେଲାରୁଷର ଗୋଭୋର୍ତ୍ସୋଭାଙ୍କୁ ପରାସ୍ତ କରିଥିଲେ। ତେବେ ନବମ ମାନ୍ୟତାପ୍ରାପ୍ତ ଇଂଲଣ୍ଡର ଜୋହାନା କୋଣ୍ଟା ୬-୨, ୬-୭, ୪-୬ ସେଟ୍ରେ ରୋମାନିଆର ସୋରାନା କ୍ରିଷ୍ଟିଆଙ୍କଠୁ ହାରି ବିଦାୟ ନେଇଛନ୍ତି।