ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି

ନୂଆ ନିୟମରେ ଖେଳ

ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ନୂଆ ନିୟମରେ ଖେଳ ହୋଇଥିଲା। ହେଲେ ରବିବାରଠାରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ନୂଆ ନିୟମରେ ପ୍ରଥମ ଦିନିକିଆ ଶୃଙ୍ଖଳା ହେବ। ଏଥିେରେ ଡିଆରଏସ୍‌, ବ୍ୟାଟ୍‌ ଆକାର ଏବଂ ଅମ୍ପାୟାର ଲାଲ୍‌ କାର୍ଡ ଦେଖାଇବା ଭଳି ନୂଆ ନିୟମ ଲାଗୁ ହେବ। ନୂଆ ନିୟମରେ ଖେଳା ହେବାକୁ ଥିବା ପ୍ରଥମ ମ୍ୟାଚ୍‌ର ପିଚ୍‌ କିନ୍ତୁ ବ୍ୟାଟିଂ ଉପଯୋଗୀ ହେବ। ଏଠାରେ ଖେଳା ଯାଇଥିବା ଗତ ଦିନିକିଆରେ ଦକ୍ଷିଣ ଆଫ୍ରିକା ୪୩୮ ରନ୍‌ର ବିଶାଳ ସ୍କୋର କରିଥିଲା। ତେବେ ଗତ କିଛି ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିବାରୁ ଏହାର କିଛିଟା ପ୍ରଭାବ ପିଚ୍‌ ଉପରେ ପଡ଼ିପାରେ ।
୩-୦ରେ ଜିତିଲେ ପ୍ରଥମ ସ୍ଥାନ

ନ୍ୟୁଜିଲାଣ୍ଡ ଶୃଙ୍ଖଳା ପୂର୍ବରୁ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ଭାରତ ୧୨୦ ପଏଣ୍ଟରେ ରହିଛନ୍ତି। ତେବେ ଦଶମିକ ତିନି ସ୍ଥାନ ପର୍ଯ୍ୟନ୍ତ ବିଚାରକୁ ନେଲେ ଦକ୍ଷିଣ ଆଫ୍ରିକା ଆଗୁଆ ରହିଛି। ଫଳରେ ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଦକ୍ଷିଣ ଆଫ୍ରିକା ସଂପ୍ରତି ବାଂଲାଦେଶ ବିପକ୍ଷରେ ଶୃଙ୍ଖଳା ଖେଳୁଛି। ଏହି ଶୃଙ୍ଖଳାକୁ ଯଦି ଦକ୍ଷିଣ ଆଫ୍ରିକା ୩-୦ରେ ଜିତିନିଏ, ତାହାଲେ ଭାରତକୁ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିବା ଲାଗି ନ୍ୟୁଜିଲାଣ୍ଡକୁ ବି ୩-୦ରେ ହରାଇବାକୁ ପଡ଼ିବ। ବ୍ୟକ୍ତିଗତ ଭାବେ ରୋହିତ ଶର୍ମା ଆଉ ୯୮ ରନ୍‌ କରି ପାରିଲେ ୨୦୧୭ରେ ବିରାଟ କୋହଲିଙ୍କ ପରେ ୧,୦୦୦ ରନ୍‌ ପୂରଣ କରିବେ।

ସମ୍ବନ୍ଧିତ ଖବର