ନୂଆଦିଲ୍ଲୀ: ଜୋହାନେସ୍‌ବର୍ଗରେ ରବିବାର ରାତିରେ ଖେଳାଯାଇଥିବା ପ୍ରଥମ ଟେ୍ଵଣ୍ଟି-୨୦ରେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ପାଇଁ ଶିଖର ଧାଓ୍ଵନ ଏବଂ ଭୁବନେଶ୍ୱର କୁମାର ଚର୍ଚାରେ ରହିଥିଲେ। କିନ୍ତୁ ଦଳର ସବୁଠୁ ବରିଷ୍ଠତମ ସଦସ୍ୟ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିରବରେ ଏକାଧିକ ବିଶ୍ୱ କୀର୍ତିମାନ କରି ନେଇଥିଲେ। ଭୁବନେଶ୍ୱର କୁମାରଙ୍କ ବୋଲିଂରେ ସେ ଯେତେବେଳେ ରିଜା ହେଣ୍ଡ୍ରିକ୍‌ସଙ୍କ କ୍ୟାଚ୍‌ ନେଲେ ସେତେବେଳେ ଏକ ଓ୍ଵିକେଟରକ୍ଷଣ ବିଶ୍ୱ କୀର୍ତିମାନ କରିଥିଲେ। ୨୭୫ ଟେ୍ଵଣ୍ଟି-୨୦ରୁ ସେ ମୋଟ ୧୩୪ କ୍ୟାଚ୍‌ ସହିତ ଏହି ଗୌରବ ଅର୍ଜନ କରିଥିଲେ। ଏ କ୍ଷେତ୍ରରେ ସେ ଶ୍ରୀଲଙ୍କାର ଅବସରପ୍ରାପ୍ତ ଓ୍ଵିକେଟରକ୍ଷକ କୁମାର ସାଙ୍ଗାକାରା (୧୩୩ କ୍ୟାଚ୍‌, ୨୫୪ ଟେ୍ଵଣ୍ଟି-୨୦)ଙ୍କୁ ପଛରେ ପକାଇଥିଲେ। କେବଳ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ଧୋନି କିନ୍ତୁ କରିଥିବା ୭୭ ଆଉଟ୍‌ (୪୮ କ୍ୟାଚ୍‌ ଓ ୨୯ ଷ୍ଟମ୍ପିଂ) ମଧ୍ୟ ଏକ କୀର୍ତିମାନ। ୮୭ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଖେଳିଥିବା ୩୪ ବର୍ଷୀୟ ଧୋନିଙ୍କ ୪୮ କ୍ୟାଚ୍‌ ମଧ୍ୟ ଏକ ବିଶ୍ୱ କୀର୍ତିମାନ। ମୋଟ ଟେ୍ଵଣ୍ଟି-୨୦ ଆଉଟ୍‌ରେ କିନ୍ତୁ ଧୋନି ପାକିସ୍ତାନର କାମରାନ୍‌ ଆକମଲଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ରାତ୍ରୀ ଭୋଜନରେ ବିଜୟ ଉତ୍ସବ
ଜୋହାନେସ୍‌ବର୍ଗ, ୧୯|୨: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରେ ଚମତ୍କାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ବିଜୟ ଉତ୍ସବରେ ମାତିଥିଲେ। ଓ୍ଵଣ୍ଡରର୍ସ ବିଜୟ ପରେ ଭାରତୀୟ ଖେଳାଳିମାନେ ଏକ ରାତ୍ରୀ ଭୋଜନରେ ସାମିଲ ହୋଇ ମଜା ନେଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ଵନ, ସୁରେଶ ରାଇନା, ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ଜଣେ ଅତିଥିଙ୍କ ସହ ରାତ୍ରୀ ଭୋଜନ କରୁଥିବାରୁ ଫଟୋକୁ କୋହଲି ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଛାଡ଼ିଥିଲେ। ‘ବଢ଼ିଆ ବିଜୟ ପରେ ଖେଳାଳିଙ୍କ ସହିତ ରାତ୍ରୀ ଭୋଜନ’ ବୋଲି ମଧ୍ୟ କୋହଲି ଉଲ୍ଲେଖ କରିଥିଲେ। ସୂଚନାଯୋଗ୍ୟ, ଓ୍ଵଣ୍ଡରର୍ସରେ ୨୮ ରନ୍‌ରେ ବିଜୟ ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ବୁଧବାର ଦ୍ୱିତୀୟ ମ୍ୟାଚ୍‌ ସେଞ୍ଚୁରିଅନ୍‌ରେ ଖେଳାଯିବ।
ଏବି ପ୍ରଶଂସକ ନିରାଶ
ଦକ୍ଷିଣ ଆଫ୍ରିକାର ବେଳା ବାସ୍ତବରେ ଭଲ ନାହିଁ। ଟେଷ୍ଟ୍‍ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ପରଠାରୁ ଦଳ ଏବେ ବିଜୟର ରାହା ପାଉ ନାହିଁ। ଶେଷ ଟେଷ୍ଟ୍‍ରେ ପରାଜୟ ପରେ ଦିନିକିଆ ଶୃଙ୍ଖଳାରେ ଘରୋଇ ଦଳ ୧-୫ରେ ଶୋଚନୀୟ ପରାଜୟ ବରଣ କରିଛି। ଏବେ ଟେ୍ଵଣ୍ଟି-୨୦ରେ ମଧ୍ୟ ପ୍ରଥମ ମ୍ୟାଚ୍‌ ହାରି ଚାପରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ଖେଳାଳି ଏବି ଡି’ଭିଲିୟର୍ସ ଏବଂ ଫାପ୍‌ ଡୁପ୍ଲେସିସ୍‌ଙ୍କ ଅନୁପସ୍ଥିତି ହିଁ ଦଳକୁ ଅଡ଼ୁଆରେ ପକାଇଛି। ଡୁପ୍ଲେସିସ୍‌ ସୀମିତ ଓଭର ଶୃଙ୍ଖଳା ଦ୍ୱୟରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଥିଲେ। ଆହତ ଡି’ଭିଲିୟର୍ସ ପ୍ରଥମ ୩ ଦିନିକିଆରୁ ବାଦ୍‌ ପଡ଼ିଥିଲେ ମଧ୍ୟ ଶେଷ ୩ଟି ଖେଳି ନିରାଶ କରିଥିଲେ। ଆଣ୍ଠୁରେ ଆହତ କାରଣରୁ ଟେ୍ଵଣ୍ଟି-୨୦ ଶୃଙ୍ଖଳାରୁ ବାଦ ପଡ଼ିବାରୁ ଏହି ୩୬୦ ଡିଗ୍ରୀ ବ୍ୟାଟସମ୍ୟାନ୍‌ଙ୍କ ପ୍ରଶଂସକ ଏବେ ନିରାଶ ହୋଇଛନ୍ତି। ଆସନ୍ତା ମାସର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ଲାଗି ତାଙ୍କୁ ସମ୍ପୂର୍ଣ୍ଣ ଶାରୀରିକ ସକ୍ଷମ ହେବାକୁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ତାଙ୍କୁ ବିଶ୍ରାମ ଦେଇଛି। ବୁଧବାର ଏବଂ ଶନିବାର ଖେଳାଯିବାକୁ ଥିବା ଶେଷ ଦୁଇ ଟେ୍ଵଣ୍ଟି-୨୦ ଲାଗି କିନ୍ତୁ ସିଏସ୍‌ଏ ଅନ୍ୟ କାହାରି ନାମ ଘୋଷଣା କରିନାହିଁ।