କଟକ: ପଦାର୍ପଣ ମ୍ୟାଚ୍ରେ ୫ ୱିକେଟ୍ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ବାମହାତୀ ସ୍ପିନର ସୁମିତ ଶର୍ମା ଆଜି ପୁଣି ବୋଲିଂରେ କମାଲ ଦେଖାଇଛନ୍ତି। ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ସୁମିତ ବୁଧବାର ୪ ୱିକେଟ୍ ନେଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୩ ୱିକେଟ୍ ଅକ୍ତିଆର କରି ବୋଲିଂରେ ସୁମିତଙ୍କୁ ସମର୍ଥନ କରିଥିବାରୁ ଭମଣକାରୀ ମହାରାଷ୍ଟ୍ର ଦଳ ପ୍ରଥମ ଦିବସରେ ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଛି। ଜବାବରେ ଓଡ଼ିଶା ଷ୍ଟମ୍ପ୍ସ ସୁଦ୍ଧା ୧ ୱିକେଟ୍ ବିନିମୟରେ ୯୯ ରନ୍ ସଂଗ୍ରହ କରି ଅଗ୍ରଣୀ ପାଇବା ଦିଗରେ ଅଗ୍ରସର ହେଉଛି। ଏବେବି ଓଡ଼ିଶା ୬୩ ରନ୍ ପଛରେ ଅଛି। ଶାନ୍ତନୁ ମିଶ୍ର ମାତ୍ର ୨ ରନ୍ରେ ଆଉଟ୍ ହୋଇଥିଲା ବେଳେ ସ୍ବସ୍ତିକ ସାମଲ ୫୬* ଓ ସନ୍ଦୀପ ପଟ୍ଟନାୟକ ୪୧* ରନ୍ରେ ଅପରାଜିତ ଅଛନ୍ତି।
ପୂର୍ବରୁ ଟସ୍ ଜିତି ମହାରାଷ୍ଟ୍ର ବ୍ୟାଟିଂ କରିଥିଲା। ପୂର୍ବ ଆକଳନ ପରି ଓଡ଼ିଶା ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ରାଜେଶ ଧୂପର ଓ ତରଣୀ ସା’ ଚଳିତ ଋତୁରେ ପ୍ରଥମ ଥର ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି। ତରଣୀ ମଧ୍ୟ ଏହାର ଭରପୂର ଫାଇଦା ଉଠାଇ ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଆଶିଷ କୁଲକର୍ଣ୍ଣିଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍ କରିବା ପରେ ତରଣୀ ମଧ୍ୟାହ୍ନ ଭୋଜନ ପୂର୍ବରୁ ସଚିନ୍ ଧାସ୍ (୨୦) ଓ ୟଶ କ୍ଷୀରସାଗର (୨)ଙ୍କୁ ପ୍ୟାଭିଲିଅନ୍ ପଠାଇ ଭ୍ରମଣକାରୀ ଦଳକୁ ଚାପରେ ରଖିଥିଲେ। ତେବେ ରାମକ୍ରିଷ୍ଣ ଘୋଷ ଓ ଅଧିନାୟକ ଅଙ୍କିତ ବାୱାନେ ଚତୁର୍ଥ ୱିକେଟ୍ରେ ୮୦ ରନ୍ର ଭାଗୀଦାରି ଗଢ଼ି ଦଳକୁ ୧୫୦ରେ ପହଞ୍ଚାଇଥିଲେ। କିନ୍ତୁ ଏହିଠାରୁ ଓଡ଼ିଶା ସ୍ପିନରଙ୍କ ଯାଦୁ ଆରମ୍ଭ ହୋଇଥିଲା। ଅଙ୍କିତ (୩୪)ଙ୍କୁ ଗୋବିନ୍ଦ ଆଉଟ୍ କରି ଯୋଡ଼ି ଭାଙ୍ଗିବା ପରେ ଆଉ କେହି ଦୁଇ ଅଙ୍କରେ ପହଞ୍ଚିପାରି ନଥିଲେ। ୪୭ତମ ଓଭରର ପ୍ରଥମ ଓ ପଞ୍ଚମ ବଲ୍ରେ ହର୍ଷଲ କାଟେ ଓ ସୌରଭ ନୱାଲେଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରି ଦଳର ମଧ୍ୟକ୍ରମ ଭାଙ୍ଗିଦେଇଥିଲେ। ପରବର୍ତ୍ତୀ ୪ ୱିକେଟ୍ ସୁମିତଙ୍କ ମୁଣିରେ ପଡ଼ିଥିଲା। ଶତକ ଆଡ଼କୁ ଅଗ୍ରସର ହେଉଥିବା ରାମକ୍ରିଷ୍ଣାଙ୍କୁ ୮୦ ରନ୍ରେ ଆଉଟ୍ କରିବା ପରେ ପରବର୍ତ୍ତୀ ଓଭରରେ ରଜନୀଶ ଗୁର୍ବାନି (୪) ତାଙ୍କର ଶିକାର ହୋଇଥିଲେ। ଏହାର ପରବର୍ତ୍ତୀ ଓଭର ଅର୍ଥାତ୍ ୫୪ତମ ଓଭରର ଶେଷ ଦୁଇ ବଲ୍ରେ ପ୍ରଶାନ୍ତ ସୋଲାଙ୍କି ଓ ହିତେଶ ୱାଲୁଞ୍ଜଙ୍କୁ ଖାତା ଖୋଲିବା ଆଗରୁ ସୁମିତ୍ ଆଉଟ୍ କରିଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ମହରାଷ୍ଟ୍ର ପ୍ରଥମ ପାଳି ୫୪ ଓଭରରେ ୧୬୨/୧୦ (ରାମକ୍ରିଷ୍ଣା ଘୋଷ-୮୦, ଅଙ୍କିତ ବାୱାନେ-୩୪, ସଚିନ ଢ଼ାସ୍-୨୦, ସୁମିତ ଶର୍ମା-୪/୩୯, ଗୋବିନ୍ଦ ପୋଦ୍ଦାର-୩/୧୦, ତରଣୀ ସା’-୨/୪୪)। ଓଡ଼ିଶା ପ୍ରଥମ ପାଳି ୩୪ ଓଭରରେ ୯୯/୧ (ସ୍ବସ୍ତିକ ସାମଲ-୫୬*, ସନ୍ଦୀପ ପଟ୍ଟନାୟକ-୪୧*, ରାମକ୍ରିଷ୍ଣା ଘୋଷ-୧/୨୩)।