ୱେଲିଂଟନ୍: ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡର ଲଢୁଆ ପ୍ରଦର୍ଶନ ପରେ ୱେଲିଂଟନ୍ ଟେଷ୍ଟ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ଇଂଲଣ୍ଡକୁ ଜିତିବା ପାଇଁ ଆଉ ୨୧୦ ରନ୍ ଆବଶ୍ୟକ ହେଉଥିଲା ବେଳେ ନ୍ୟୁଜିଲାଣ୍ଡକୁ ୯ ୱିକେଟ୍ ଦରକାର ରହିଛି। କେନ୍ ୱିଲିୟମ୍ସନ୍ଙ୍କ କୀର୍ତ୍ତିମାନ ଭରା ଶତକୀୟ ପାଳି ଯୋଗୁଁ ଘରୋଇ ଦଳ ଦ୍ବିତୀୟ ପାଳିରେ ଚମତ୍କାର ପ୍ରତ୍ୟାବର୍ତନ କରି ୪୮୩ ରନ୍ କରିନେଇଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ୨୫୮ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚତୁର୍ଥ ଦିନର ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ଜ୍ୟାକ୍ କ୍ରଲି (୨୪) ଙ୍କ ୱିକେଟ୍ ହରାଇ ୪୮ ରନ୍ ସଂଗ୍ରହ କରିଛି।
ଫଲୋଅନ୍ ଖେଳିଥିବା ଘରୋଇ ନ୍ୟୁଜିଲାଣ୍ଡ୍ ପାଇଁ ଦ୍ବିତୀୟ ପାଳିରେ ଟମ୍ ଲଥାମ୍ (୮୩) ଓ ଡେଭନ୍ କନୱେ (୬୧) ଭଲ ମୂଳଦୁଆ ପକାଇଥିଲେ। ତୃତୀୟ ଦିନ ସୁଦ୍ଧା ଉଭୟ ଆଉଟ୍ ହୋଇଯାଇଥିବାରୁ ପୂର୍ବତନ ଅଧିନାୟକ ୱିଲିୟମ୍ସନ୍ଙ୍କ କାନ୍ଧରେ ବଡ଼ ଭାର ଆସିଥିଲା। ସୋମବାର ୨୦୨/୩ରୁ ନ୍ୟୁଜିଲାଣ୍ଡ ଖେଳିବା ଆରମ୍ଭ କରିଥିଲା ବେଳେ ପିଚ୍ ଉପରେ ଅଧିକ ସମୟ ବିତାଇବା ସମସ୍ତଙ୍କ ପାଇଁ ଆହ୍ବାନ ରହିଥିଲା। ହେନ୍ରି ନିକୋଲାସ୍ ମାତ୍ର ୨୯ ରନ୍ କରିଥିଲେ ବି ୯୪ ବଲ୍ର ସମ୍ମୁଖୀନ ହୋଇଥିଲେ। କେନ୍ ୱିଲିୟମ୍ସନ୍ କିନ୍ତୁ ତାଙ୍କ ୨୬ତମ ଟେଷ୍ଟ ଶତକ ୧୩୨ ରନ୍ (୨୮୨ ବଲ୍, ୧୨ ଚୌକା) ସହ ଦୁଇଟି ପ୍ରମୁଖ ଭାଗୀଦାରି ପ୍ରତିଷ୍ଠା କରି ଦଳକୁ ସୁଯୋଗ ଦେଇଛନ୍ତି। ଡାରେଲ୍ ମିଚେଲ୍ (୫୪)ଙ୍କ ସହ ୭୫ ଓ ଟମ୍ ବ୍ଲଣ୍ଡେଲ୍ (୯୦) ଙ୍କ ସହ ୧୫୮ ରନ୍ର ଭାଗୀଦାରି କରି କରି ଆଉଟ୍ ହୋଇଥିଲେ ୱିଲିୟମସନ୍। କେବଳ ଏତିକି ନୁହେଁ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ପାଇଁ ୱିଲିୟମ୍ସନ୍ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ୱିଲିୟମ୍ସନ୍ଙ୍କ ୱିକେଟ୍ ପତନ ପରେ ବ୍ଲଣ୍ଡେଲ୍ ଶେଷ ପର୍ଯ୍ୟନ୍ତ ଗୋଟିଏ ପଟ ସମ୍ଭାଳିଥିଲେ, କିନ୍ତୁ ଅନ୍ୟପଟରୁ ଆଉ ବଡ଼ ସହାୟତା ମିଳିନଥିଲା। ଫଳରେ ଘରୋଇ ଦଳ ୪୮୩ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବାମହାତୀ ସ୍ପିନର ଜାକ୍ ଲିଚ୍ ୫ ୱିକେଟ୍ ସଫଳତା ପାଇଥିଲେ। ରବିନ୍ସନ୍, ବ୍ରଡ୍, ରୁଟ୍ ଓ ବ୍ରୁକ୍ ପ୍ରତ୍ୟେକ ୧ ୱିକେଟ୍ ଲେଖାଏଁ ନେଇଥିଲେ।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ପ୍ରଥମ ପାଳି: ୪୩୫/୮ (ଘୋଷିତ)। ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୨୦୯ । ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି: ୧୬୨.୩ ଓଭରରେ ୪୮୩/୧୦ (କେନ୍ ୱିଲିୟମ୍ସନ-୧୩୨, ଟମ୍ ବ୍ଲଣ୍ଡେଲ୍ ୯୦, ଟମ୍ ଲଥାମ-୮୩, ଡେଭନ କନ୍ୱେ-୬୧, ଡାରେଲ୍ ମିଚେଲ୍-୫୪, ଜାକ୍ ଲିଚ୍-୫/୧୫୭)। ଇଂଲଣ୍ଡ ଦ୍ବିତୀୟ ପାଳି ୧୧ ଓଭରରେ ୪୮/୧ (ଜ୍ୟାକ୍ କ୍ରଲି-୨୪, ବେନ୍ ଡକେଟ୍-୨୩*, ଓଲି ରବିନ୍ସନ୍-୧*, ଟିମ୍ ସାଉଦି- ୧/୧୯)।
ୱିଲିୟମ୍ସନ୍ ନ୍ୟୁଜିଲାଣ୍ଡର ଅଗ୍ରଣୀ ଟେଷ୍ଟ୍ ରନ୍ ସ୍କୋରର
ୱେଲିଂଟନ: ନ୍ୟୁଜିଲାଣ୍ଡ ବ୍ୟାଟର୍ କେନ୍ ୱିଲିୟମସନ୍ ସୋମବାର ଦେଶର ସର୍ବାଧିକ ଟେଷ୍ଟ୍ ରନ୍ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୩୨ ବର୍ଷୀୟ ଏହି ପୂର୍ବତନ ଅଧିନାୟକ ସମ୍ପ୍ରତି ଚାଲିଥିବା ଇଂଲଣ୍ଡ୍ ବିପକ୍ଷ ଦ୍ବିତୀୟ ଘରୋଇ ଟେଷ୍ଟ୍ ମ୍ୟାଚ୍ରେ ୨୯ ରନ୍ କରିଥିଲା ବେଳେ ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଏହି ଅବସରରେ ସେ ରସ୍ ଟେଲର (୭,୬୮୩ ରନ୍, ୧୧୨ ଟେଷ୍ଟ୍)ଙ୍କୁ ଟପିଥିଲେ। ଟେଲର ଗତ ବର୍ଷ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ। ଏହି ମ୍ୟାଚ୍ରେ ୱିଲିୟମସନ୍ (୧୩୨) ନିଜର ୨୬ତମ ଶତକ ହାସଲ କରିବା ସହ ଟେଷ୍ଟ୍ ରନ୍ ସଂଖ୍ୟା ୭,୭୮୭ରେ ପହଞ୍ଚାଇଥିଲେ। ସେ ୯୨ ଟେଷ୍ଟ୍ ଓ ୧୬୧ ପାଳିରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଟେଲର ୧୧୨ ଟେଷ୍ଟ୍ ଓ ୧୯୬ ପାଳିରେ କରିଥିଲେ। ତୃତୀୟରେ ରହିଛନ୍ତି ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂ (୭,୧୭୨)। ମୋଟ ଉପରେ ୱିଲିୟମସନ୍ ୭୮ତମ ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟାଟିଂ ମହାନ୍ ସଚିନ ତେନ୍ଦୁଲକର (୧୫,୯୨୧) ଶୀର୍ଷରେ ଅଛନ୍ତି।