ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ୍ ନିର୍ଣ୍ଣା‌ୟକ ମୋଡ଼ରେ ପହଞ୍ଚିଯାଇଛି। ପ୍ରଥମ ଦିନ ୧୪ ୱିକେଟ୍‌ ପତନ ପରେ ଶନିବାର ଦ୍ବିତୀୟ ଦିନ ମଧ୍ୟ ୧୫ ୱିକେଟ୍ ଝଡ଼ିଛି। ଫଳରେ ଏହି ଟେଷ୍ଟ୍‌ ତୃତୀୟ ଦିନ ଶେଷ ହୋଇଯିବା ସ୍ଥିତି ଉପୁଜିଛି। ଶୁକ୍ରବାର ସଂଧ୍ୟାରେ ୧୦ ମିନିଟ୍‌ ଓ ୮ ବଲ୍‌ ଭିତରେ ୩ ୱିକେଟ୍ ହରାଇବାର ଭୟଙ୍କର ପରିସ୍ଥିତିରୁ ଭାରତକୁ ଶନିବାର ଋଷଭ ପନ୍ତ ଓ ଶୁବମନ ଗିଲ୍ ବାହାର କରିଥିଲେ। ଏହା ପରେ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପୁରୁଣା ସ୍ପିନ୍ ଯୋଡ଼ି ମିଳିତ ଭାବେ ୭ ୱିକେଟ୍ ବାହାର କରିବାରୁ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିରେ ୧୭୧/୯ରେ ସଂଘର୍ଷ କରୁଛି। ଭାରତ ପ୍ରଥମ ପାଳିରେ ୨୮ ରନ୍ ଅଗ୍ରଣୀ ନେଇ ସାରିଥିବାରୁ ଭ୍ରମଣକାରୀ ଦଳ ଏବେ କେବଳ ୧୪୩ ରନ୍ ଆଗୁଆ ରହିଛି। ହାତରେ ଗୋଟିଏ ୱିକେଟ୍ ଥିବାରୁ ଭାରତ ଫାଇଦାଜନକ ସ୍ଥିତିରେ ରହିଛି। ତଥାପି ଭାରତ ପାଇଁ ହେବାକୁ ଯାଉଥିବା ବିଜୟ ଲକ୍ଷ୍ୟ ସହଜ ହେବ ନାହିଁ। ୱାଙ୍ଖ୍‌ଡେ ପିଚ୍‌ ଚିରାଚରିତ ଧାରାଠାରୁ ଅଧିକ ମନ୍ଥର ରହିଛି, ଯାହା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ଆର୍ ଅଶ୍ବିନ।

Advertisment

ଦ୍ବିତୀୟ ଦିନ ୧୫ ୱିକେଟ୍‌ ପତନ, ଜା‌‌ଡ଼େଜା-ଅଶ୍ବିନ ଦେଲେ ସୁଯୋଗ

ଶନିବାର ସକାଳେ ଭାରତ ୮୬/୪ରୁ ଖେଳିବା ପରେ ପ୍ରଥମ ଓଭରରୁ ହିଁ ଋଷଭ ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଏଜାଜ ପଟେଲ୍‌ଙ୍କୁ ମିଡ୍‌ ଅଫ୍ ଉପର ଦେଇ ଏବଂ ଆଗକୁ ବଢ଼ି ଦ୍ବିତୀୟ ବଲ୍‌କୁ ସେହି ଅଞ୍ଚଳ ଦେଇ ଚୌକା ମାରି ଅଭିଯାନ ଆରମ୍ଭ କରିଥିଲେ। ଏଜାଜଙ୍କ ପରବର୍ତ୍ତୀ  ଓଭରରୁ ଶୁବମନ ଗିଲ୍ ବି ଏକ୍ସଟ୍ରା କଭର୍ ଅଞ୍ଚଳ ଉପରେ ଖେଳି ବାଉଣ୍ଡରି ପାଇଥିଲେ। ପନ୍ତ୍‌ଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ନ୍ୟୁଜିଲାଣ୍ଡ୍‌ ନିଜ କୌଶଳର ପରିବର୍ତ୍ତନ କରିଥିଲା। ପନ୍ତ୍ କିନ୍ତୁ ଏଜାଜଙ୍କ ପରବର୍ତ୍ତୀ ୨ ଓଭରରେ ୨ ଛକା ମାରିବା ସହ ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିନେଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ପନ୍ତ୍‌ (୫୯ ବଲ୍‌ରୁ ୬୦ ରନ୍)ଙ୍କୁ ଈଶ ସୋଢ଼ୀ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଏହା ପୂର୍ବରୁ ଗ୍ଲେନ୍ ଫିଲିପ୍ସଙ୍କ ପ୍ରଥମ ବଲ୍‌କୁ ଛକା ମାରି ଗିଲ୍ ବି ପଛରେ ରହି ନଥିଲେ। ଏହି ସମୟରେ ଲଙ୍ଗ୍ ଅନ୍‌ରେ ବଦଳ ଖେଳାଳି ମାର୍କ ଚାପମ୍ୟାନ୍‌ କ୍ୟାଚ୍‌ ହାତଛଡ଼ା କରିବାରୁ ଗିଲ୍ ବର୍ତ୍ତିଯାଇଥିଲେ। ସେତେବେଳକୁ ଗିଲ୍‌ ୫୭ ବଲ୍‌ରୁ ୪୫ ରନ୍ କରିଥିଲେ। ଏହା ପରେ ସେ ୮୯ ବଲ୍‌ ଖେଳି ଆଉ  ୪୫ ରନ୍ ଯୋଡ଼ିଥିଲେ। ଗିଲ୍ ଓ ଅଶ୍ବିନଙ୍କୁ ଆଉଟ୍ କରି ଏଜାଜ ପଟେଲ୍ ପୁଣି ଥରେ ନିଜ ଜନ୍ମିତ ସହରରେ ୫ ୱିକେଟ୍‌ ସଫଳତା ପାଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ରବୀନ୍ଦ୍ର ଜାଡ଼େଜା (୧୪) ଓ ସର୍ଫରାଜ ଖାନ୍ (୦)ଙ୍କ ବିଫଳତା ଭାରତକୁ ଅଗ୍ରଣୀ ନେଇ ଆଶଙ୍କାରେ ପକାଇଥିଲା। କିନ୍ତୁ ୱାସିଂଟନ୍ ସୁନ୍ଦର ୩୬ ବଲ୍‌ରୁ ୩୮* ରନ୍ ସଂଗ୍ରହ କରି ଭାରତକୁ ୨୮ ରନ୍ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ।

ପାଳି ପଛୁଆ ପଡ଼ିଯିବା ପରେ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିର ପ୍ରଥମ ଓଭରରେ ଅଧିନାୟକ ଟମ୍ ଲଥାମ (୧)ଙ୍କୁ ହରାଇଥିଲା। ଆକାଶଦୀପ ତାଙ୍କୁ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ‌ଦେଇଥିଲେ ମଧ୍ୟ ଡେଭନ୍ କନୱେ ଓ ୱିଲ୍ ୟଙ୍ଗ୍ ଖୁବ୍ ଲଢ଼ିଥିଲେ। ଏହା ପରେ ସ୍ପିନ୍‌ ଆକ୍ରମଣ ସହ ୱାସିଟନ୍ ସୁନ୍ଦର, ଅଶ୍ବିନ୍, ଜାଡ଼େଜା ଭ୍ରମଣକାରୀ ଦଳକୁ ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରାଇଥିଲେ। ଏହା ଭିତରେ କିନ୍ତୁ ୱିଲ୍ ୟଙ୍ଗ୍ ଉଭୟ ପାଳିରେ ଅର୍ଦ୍ଧଶତକ (୭୧ ଓ ୫୧) ହାସଲ କରିଥିଲେ। ଅଶ୍ବିନଙ୍କୁ ରିଟର୍ଣ୍ଣ କ୍ୟାଚ୍‌ ଦେଇ ସେ ଫେରିଯାଇଥିଲେ। ଅଶ୍ବିନଙ୍କୁ ପ୍ରତିଆକ୍ରମଣ କରି‌ ଗ୍ଲେନ୍ ଫିଲିପ୍ସ ଗୋଟିଏ ଓଭରରେ ୨ ଛକା ମାରିଥିଲେ ମଧ୍ୟ ପଞ୍ଚମ ବଲ୍‌ରେ ବୋଲ୍ଡ ହୋଇଯିବାରୁ ଏହି ଅଫ୍‌ସ୍ପିନର୍ ପ୍ରତିଶୋଧ ନେଇଯାଇଥିଲେ। ପିଚ୍‌ ପରିସ୍ଥିତିକୁ ନଜରରେ ରଖି ଅଶ୍ବିନ୍‌ ଓ ଜାଡ଼େଜା ପାର୍ଶ୍ବ ପରିବର୍ତ୍ତନ କରି ବୋଲିଂ କରିବା ମଧ୍ୟ ଭାରତକୁ ଫାଇଦା ଦେଇଥିଲା। ସହଜରେ ରନ୍ ମିଳୁନଥିବାରୁ ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍ ୭ ଛକା ମାରି ଦଳକୁ ନିର୍ଣ୍ଣାୟକ ଅଗ୍ରଣୀ ଦେଇଛନ୍ତି। 

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି-୨୩୫ (ଡାରିଲ୍ ମିଚେଲ୍‌-୮୨, ୱିଲ୍ ୟଙ୍ଗ୍‌-୭୧, ରବୀନ୍ଦ୍ର ଜାଡ଼େଜା-୫/୬୫,  ୱାସିଂଟନ୍ ସୁନ୍ଦର-୪/୮୧, ଆକାଶ ଦୀପ-୧/୨୨)। ଭାରତ ପ୍ରଥମ ପାଳି-୫୯.୪ ଓଭରରେ ୨୬୩/୧୦ (ଶୁବମନ ଗିଲ୍‌-୯୦, ଋଷଭ ପନ୍ତ୍‌-୬୦, ୱାସିଂଟନ୍ ସୁନ୍ଦର-୩୮*, ଯଶସ୍ବୀ ଜୟସ୍ବାଲ-୩୦,  ଏଜାଜ ପଟେଲ୍‌-୫/୧୦୩, ମ୍ୟାଟ୍ ହେନରି-୧/୨୬, ଈଶ ସୋଢ଼ୀ-୧/୩୬, ଗ୍ଲେନ୍ ଫିଲିପ୍ସ-୧/୮୪)। ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳି-୪୩.୩ ଓଭରରେ ୧୭୧/୯ (ୱିଲ୍ ୟଙ୍ଗ୍‌-୫୧, ଗ୍ଲେନ୍ ଫିଲିପ୍ସ-୨୬, ଡାରିଲ୍ ମିଚେଲ୍‌-୨୧, ରବୀନ୍ଦ୍ର ଜାଡ଼େଜା-୪/୫୨, ରବିଚନ୍ଦ୍ରନ ଅଶ୍ବିନ-୩/୬୩, ଆକାଶ ଦୀପ-୧/୧୦, ୱାସିଂଟନ୍ ସୁନ୍ଦର-୧/୩୦)।