ଅହମଦାବାଦ: ଇଂଲଣ୍ଡ ଟସ୍ ଜିତିଲା, ଭାରତ କିନ୍ତୁ ଧାରା ଭାଙ୍ଗି ମ୍ୟାଚ୍ ଜିତିଗଲା। ଦ୍ବିତୀୟ ପାଳି ଅର୍ଧେକରୁ ବିରାଟ କୋହଲିଙ୍କ ଅନୁପସ୍ଥିତି କାରଣରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ୮ ରନ୍ର ରୋମାଞ୍ଚକ ବିଜୟ ସହ ଭାରତ ମଧ୍ୟ ଶୃଙ୍ଖଳାକୁ ୨-୨ ସ୍ତରକୁ ନେଇ ଆସିଲା ମ୍ୟାଚ୍ ଓ ଶୃଙ୍ଖଳା ବିଜୟ ପାଇଁ ଇଂଲଣ୍ଡ ସମ୍ମୁଖରେ ୧୮୬ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହାର୍ଦିକ ପାଣ୍ଡ୍ୟା (୪-୦-୧୬-୨)ଙ୍କ ମିତବ୍ୟୟୀ ବୋଲିଂ ସହିତ ଅସ୍ଥିର ଶାର୍ଦୁଳ ଠାକୁର (୪-୦-୪୨-୩)ଙ୍କ ସଫଳ ପ୍ରଦର୍ଶନ କାରଣରୁ ଇଂଲଣ୍ଡ ୧୭୭/୮ରେ ଅଟକିଯାଇଥିଲା। ପ୍ରଥମ ଅନ୍ତର୍ଜାତୀୟ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶନିବାର ନିର୍ଣ୍ଣାୟକ ପଞ୍ଚମ ତଥା ଶେଷ ଦିନିକିଆ ଖେଳାଯିବ।
ଛକାରୁ ଆରମ୍ଭ
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଳିକୁ ପୁଣି ଥରେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ଆରମ୍ଭ କରିଥିଲେ। ଆଦିଲ ରସିଦ୍ଙ୍କ ପ୍ରଥମ ବଲ୍କୁ ରୋହିତ ଶର୍ମା ଛକା ମାରି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ତେବେ ଚତୁର୍ଥ ଓଭରରେ ଜୋଫ୍ରା ଆର୍ଚରଙ୍କ ବୋଲିଂରେ ତାଙ୍କୁ କ୍ୟାଚ୍ ଦେଇ ଫେରି ଯାଇଥିଲେ। ସଂଘର୍ଷରତ କେଏଲ୍ ରାହୁଲ ୧୭ ବଲ୍ରୁ ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ବିରାଟ କୋହଲି ମାତ୍ର ୧ ରନ୍ କରି ରସିଦ୍ଙ୍କ ବୋଲିଂରେ ଷ୍ଟମ୍ପିଂ ହେବାରୁ ଭାରତକୁ ବଡ଼ ଝଟ୍କା ଲାଗିଥିଲା। ଏହା ପରେ ନିଜ ପ୍ରଥମ ଅନ୍ତର୍ଜାତୀୟ ପାଳିକୁ ମଧ୍ୟ ସୂର୍ଯ୍ୟକୁମାର ଛକାରୁ ଆରମ୍ଭ କରିଥିଲେ। ଏଭଳି କରିବାରେ ସେ ବିଶ୍ବର ତୃତୀୟ ଖେଳାଳି ହୋଇଥିଲେ। ରୋହିତ ଶର୍ମାଙ୍କ ଆଉଟ୍ର ପରବର୍ତୀ ବଲ୍କୁ ଆର୍ଚର ଲେଗ୍ ଷ୍ଟମ୍ପ୍ରେ ପକାଇଥିଲେ। ସୂର୍ଯ୍ୟ କିନ୍ତୁ ଏହାକୁ ପୁଲ୍ ସଟ୍ ଖେଳି ଫାଇନ୍ ଲେଗ୍ ଉପରେ ଛକା ମାରିଥିଲେ। ଭାରତୀୟ କ୍ରିକେଟ୍ର ଏହି ଉଦିତ ସୂର୍ଯ୍ୟ ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ପାଳିରେ ଅର୍ଦ୍ଧଶତକ ହାସଲ କରି ବିରଳ କ୍ଲବ୍ରେ ସାମିଲ ହୋଇଥିଲେ। ୫୭ ରନ୍ କରି ସାମ୍ କରନଙ୍କ ଦ୍ବାରା ବିବାଦୀୟ ତଥା ଅସ୍ପଷ୍ଟ କ୍ୟାଚ୍ ଆଉଟ୍ ହୋଇଥିଲେ। ଶେଷକୁ ଋଷଭ ପନ୍ତ୍ (୩୦, ୨୩ ବଲ୍) ଏବଂ ଶ୍ରେୟସ ଆୟର୍ (୩୭, ୧୮ ବଲ୍)ଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଭାରତ ସମ୍ମାନଜନକ ସ୍କୋର୍ (୧୮୫/୮) କରିପାରିଥିଲା। ଜୋଫ୍ରା ଆର୍ଚର (୪-୦-୩୩-୪) ସଫଳ ବୋଲର ଥିଲେ।
ମେଡେନ୍ରୁ ଆରମ୍ଭ
ଭାରତର ପାଳି ପ୍ରଥମ ବଲ୍ ଛକାରୁ ଆରମ୍ଭ ହୋଇଥିଲା। ଇଂଲଣ୍ଡର ପାଳିକୁ କିନ୍ତୁ ଭୁବନେଶ୍ବର କୁମାର ମେଡେନ୍ ଓଭରରୁ ଆରମ୍ଭ କରିଥିଲେ। ଜୋସ୍ ବଟ୍ଟଲର୍ ଏବଂ ଦାୱିଦ ମଲାନଙ୍କୁ ଶସ୍ତାରେ ଆଉଟ୍ କରି ଭାରତ ପ୍ରାରମ୍ଭିକ ସଫଳତା ପାଇଥିଲା। ଜାସନ୍ ରୟ ଏବଂ ବେନ୍ ଷ୍ଟୋକ୍ସ ମିଳିତ ଭାବେ ୫୦ ବଲ୍ ଖେଳି ୮୬ ରନ୍ କରି ମ୍ୟାଚ୍ ଛଡ଼ାଇନେବା ଧମକ ଦେଇଥିଲେ। ୱାସିଂଟନ୍ ସୁନ୍ଦର ୫୨ ରନ୍ ବ୍ୟୟ କରିବା ଚିନ୍ତା ବଢ଼ାଇ ଦେଇଥିଲା। କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କ ମିତବ୍ୟୟୀ ମଧ୍ୟମଗତି ବୋଲିଂ ଭାରତ ଆଡ଼କୁ ମ୍ୟାଚ୍କୁ ଆଣିଥିଲା। ଶେଷ ଓଭରରୁ ୨୩ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଜୋଫ୍ରା ଆର୍ଚର ଲଗାତାର ଛକା ମାରିବା ଏବଂ ଶାର୍ଦୁଳ ଠାକୁର ଲଗାତାର ୱାଇଡ୍ ପକାଇବା ଭଳି ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ଦେଖିବାକୁ ମିଳିଥିଲା। ଶେଷ ୩ଟି ବଲ୍କୁ ଭଲ ବୋଲିଂ କରି ଠାକୁର ମ୍ୟାଚ୍ ଜିତାଇଥିଲେ। ଇଂଲଣ୍ଡ ୧୭୭/୮ରେ ସୀମିତ ରହି ୮ ରନ୍ରେ ମ୍ୟାଚ୍ ହାରିଯାଇଥିଲା।