ଶ୍ରେଷ୍ଠ ଯୋଦ୍ଧା ବସ୍ତିରୁ ଆସନ୍ତି: ଟାଇସନ୍

ମୁମ୍ବାଇ: କିମ୍ବଦନ୍ତୀ ମୁଷ୍ଟିଯୋଦ୍ଧା ମାଇକ୍ ଟାଇସନ୍‌ଙ୍କ ମତରେ ସବୁ ସଫଳ ମୁଷ୍ଟିଯୋଦ୍ଧା ବସ୍ତିରୁ ଆସିଥାନ୍ତି। ଯିଏ ଯେତେ ଗରିବ ପରିବାରରୁ ଆସିଥିବ ସେ ଅଧିକ ସଫଳତା ପାଇବ। ଶୁକ୍ରବାର ମୁମ୍ବାଇରେ ଏକ ବହୁ ପ୍ରତୀକ୍ଷିତ ସାମ୍ବାଦିକ ସମ୍ମିଳନୀରେ ଟାଇସନ୍ ଏଭଳି କଥା କହିଛନ୍ତି। ପ୍ରାୟ ୩ ଘଣ୍ଟା ବିଳମ୍ବରେ ସାମ୍ବାଦିକ ସମ୍ମିଳନୀରେ ଆସିଥିଲେ ମଧ୍ୟ ରିଙ୍ଗ୍‌କୁ ପ୍ରବେଶ ଭଳି ସେ ନିଜ ଲୟ ହରାଇନଥିଲେ। ମିଶ୍ରିତ ସାମରିକ କଳା (ଏମ୍ଏମ୍ଏ)କୁ ସମର୍ଥନ କରିବା ଲାଗି ପ୍ରଥମ ଥର ଭାରତ ଆସିଥିବା ଟାଇସନ୍ କହିଥିଲେ ମୁଷ୍ଟିଯୁଦ୍ଧ ଯେଉଁଠି ଅର୍ଥ ସେଇଠି। ମାତ୍ର ୨୦ ବର୍ଷ ୪ ମାସ ୨୨ ଦିନ ବୟସରେ ଟାଇସନ୍ ବିଶ୍ବ ହେଭିୱେଟ୍ ବିଜେତା ହୋଇଥିଲେ। ତାଙ୍କୁ ବିଶ୍ବ ମୁଷ୍ଟିଯୁଦ୍ଧର ଅପ୍ରତିଦ୍ବନ୍ଦ୍ବୀ ଯୋଦ୍ଧା କୁହାଯାଏ। ବର୍ତମାନର ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ଆଣ୍ଟୋନି ଯୋଶୁଆ ଶ୍ରେଷ୍ଠ ବୋଲି କହିଥିଲେ। ବସ୍ତିରେ ପିଲାଙ୍କର କିଛି ଭୁଲ ନାହିଁ। ସେମାନେ ଖରାପ ସମୟରେ ଥାଇ ପାରନ୍ତି। କିନ୍ତୁ‌ ସେମାନେ ଯଦି କଠିନ ପରିଶ୍ରମ କରିବେ ତେବେ ବସ୍ତିରୁ ବାହାରିପାରିବେ। ମୁଁ ଏବେ ବି ମୋ ପଡ଼ୋଶୀ ବସ୍ତିକୁ ଯାଏ ବୋଲି କହିଥିଲେ ଟାଇସନ୍। ତ‌ୁମେ ଯଦି ଅଧିକ ଗରିବ ତେବେ ଉନ୍ନତ ମୁଷ୍ଟିଯୋଦ୍ଧା ହୋଇପାରିବ ବୋଲି‌ ମୋ ବିଶ୍ବାସ। ସବୁଠୁ ସଫଳତମ ମୁଷ୍ଟିଯୋଦ୍ଧା ବସ୍ତିରୁ ଆସିଥାନ୍ତି। ବର୍ତମାନର ଶୀର୍ଷ ମୁଷ୍ଟିଯୋଦ୍ଧାମାନେ ମଧ୍ୟ ବସ୍ତିରୁ ଆସିଛନ୍ତି‌ ବୋଲି ଟାଇସନ୍ ଦୋହରାଇଥିଲେ। ପ୍ରଥମ ଥର ଭାରତ ଗସ୍ତରେ କ’ଣ ବୁଲିବେ ବୋଲି ଜଣେ ମହିଳା ପ୍ରଶ୍ନ କରିବାରୁ ଟାଇସନ୍ କହିଥିଲେ ‘ମୁଁ ପ୍ରଥମେ ବସ୍ତିକୁ ଯିବାକୁ ଚାହିଁବି ଏବଂ ପରେ ତାଜମହଲ ବୁଲିବି।’

ସମ୍ବନ୍ଧିତ ଖବର