ସରୁନି ବାରବାଟୀ ଟିକେଟ୍‌

ଭୁବନେଶ୍ବର: ହକି ବିଶ୍ବ କପ୍‌ ଲାଗି ଚଳିତ ମାସ ୨୭ ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟ‌‌ାଡିୟମରେ ଉଦ୍‌ଘାଟନୀ ଉତ୍ସବ ଏବଂ ୨୮ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଉତ୍ସବ ପାଇଁ ଗତ ୨୦ ତାରିଖରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ହେଲେ ସେହିଦିନ ଘଣ୍ଟାକ ଭିତରେ ଭୁବନେଶ୍ବର ଟିକେଟ୍‌ ସବୁ ବିକ୍ରି ହୋଇଯାଇଥିଲା। କିନ୍ତୁ କଟକ ଲାଗି ୩୦,୦୦୦ ଟିକେଟ୍‌ ଥିବାରୁ ସବୁ ବିକ୍ରି ହେଇପାରୁନି। ବିଶେଷ କରି ଆଗଧାଡ଼ିର ଟିକେଟ୍‌ ସରି ଯାଇଥିଲେ ମଧ୍ୟ ଗ୍ୟାଲେରି ଟିକେଟ୍‌ ବଳି ଯାଇଛି। ‌‌ଏହି ସିଟ୍‌ ସବୁ ଦୂରରେ ଥିବାରୁ ଏହା ପ୍ରତି କେହି ଆଗ୍ରହ ଦେଖଉନାହାନ୍ତି। ଏବେ ମଧ୍ୟ ଅନ୍‌ଲାଇନ୍‌ରେ ଟିକେଟ୍‌ ମିଳୁଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍‌ଲାଇନ୍‌ରୁ ଟିକେଟ୍‌ କିଣିଥିବା ଗ୍ରାହକମାନେ ୨୮ ତାରିଖ ମଧ୍ୟରେ ଏହାକୁ ରିଡେମ୍ପସନ୍‌ କରିପାରିବେ। ରିଡେମ୍ପସନ୍‌ କାଉଣ୍ଟର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ୪ ନମ୍ବର ଗେଟ୍‌ ନିକଟସ୍ଥିତ ବକ୍ସ ଅଫିସ୍‌ ଏବଂ କଟକର ମିସନ୍‌ରୋଡ୍‌ସ୍ଥିତ ୟୁନାଇଟେଡ୍‌ ଥିଓଲୋଜିକାଲ ସ୍କୁଲ, ଭୁବନାନନ୍ଦ ଓରିଶା ସ୍କୁଲ ଅଫ୍‌ ଇଂଜିନିୟରିଙ୍ଗ୍‌ (ବୋସ୍‌) ଓ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସାରଳା ଭବନ‌ଠାରେ ଖୋଲାଯାଇଛି। ସକାଳ ୧୦ରୁ ସଂଧ୍ୟ ୫ଟା ପର୍ଯ୍ୟନ୍ତ କାଉଣ୍ଟର ଗୁଡ଼ିକ ଖୋଲା ରହିବ।

ସମ୍ବନ୍ଧିତ ଖବର