କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପ ମ୍ୟାଚ ଖେଳାଯାଉଛି । ଆସନ୍ତା ୫ ତାରିଖରେ ଏହି ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳାଯିବ । ଭାରତର ମ୍ୟାଚ ହୋଇଥିବାରୁ ଓ ପୁଣି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିରୋଧରେ ଥିବାରୁ ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏହି କାରଣରୁ ଏହି ମ୍ୟାଚ ଟିକେଟର ଚାହିଦା ବଢିଯାଇଛି । ଇଡେନ ଗାଡେନ୍ସରେ ଲକ୍ଷାଧିକ ଦର୍ଶକ ବସିବାର ସୁବିଧା ଥିଲେ ବି ଲୋକଙ୍କ ଚାହିଦା ଆଗରେ ତାହା ନିଅଣ୍ଟ ପଡ଼ୁଛି । ଏହାର ଫାଇଦା ନେଉଛନ୍ତି ଟିକେଟ କଳାବଜାରୀ । ଟିକେଟ ମୂଲ୍ୟର ୪-୫ ଗୁଣ ଅଧିକ ଦରରେ କଳାବଜାରରେ ଟିକେଟ ବିକ୍ରି ହେଉଛି । ଏହାକୁ ନେଇ କୋଲକାତା ପୁଲିସ ସତର୍କ ହୋଇଯାଇଛି ।

Advertisment

ମଙ୍ଗଳବାର କୋଲକାତା ପୁଲିସ ଜଣେ ଟିକେଟ କଳାବଜାରୀକୁ ଗିରଫ କରିଛି । ତା ନାଁ ଅଙ୍କିତ୍ ଅଗ୍ରଓ୍ବାଲ । ସେ ୨୫୦୦ ଟଙ୍କିଆ ଟିକେଟ୍ ୧୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରୁଥିଲା । ତା ନିକଟରୁ ୨୦ଟି ଟିକେଟ ଜବତ ହୋଇଛି । ତେବେ ଏତେ ପରିମାଣରେ ଟିକେଟ୍ ସେ କେଉଁଠାରୁ ଆଣିଲା ତାହାର ତଦନ୍ତ ଆରମ୍ଭ କରିଦେଇଛି ପୁଲିସ । ଏହି କଳାବଜାରୀରେ ସେ ଏକୁଟିଆ ଅଛି, କିମ୍ବା ଆଉ କେହି ସଂପୃକ୍ତ ତାହାର ଖୋଳତାଡ଼ ଆରମ୍ଭ କରିଦେଇଛି ପୁଲିସ ।