ନୂଆଦିଲ୍ଲୀ: ସେମିଫାଇନାଲ୍ରୁ ବିଦାୟ ନେଇଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାର ମାଞ୍ଚେଷ୍ଟରସ୍ଥିତ ଦଳୀୟ ହୋଟେଲ୍ ଛାଡ଼ି ଦେଇଥିଲା। ହେଲେ ଠିକ୍ ସମୟରେ ବିସିସିଆଇ ଟିକେଟ ଯୋଗାଡ଼ କରିନପାରିବାରୁ ଦଳ ସ୍ବଦେଶ ଫେରିପାରିନାହିଁ। ଫଳରେ ଦଳ ୧୪ ତାରିଖ ଫାଇନାଲ୍ ପର୍ଯ୍ୟନ୍ତ ମାଞ୍ଚେଷ୍ଟର୍ରେ ହିଁ ରହିବାକୁ ବାଧ୍ୟ ହୋଇଛି। ଭାରତୀୟ ଦଳ ରବିବାର ଇଂଲଣ୍ଡ ଛାଡ଼ିବ। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ସେମିଫାଇନାଲ୍ ଜିତି ଦଳ ଫାଇନାଲ୍ ଖେଳିବା ଆଶା ରଖିଥିଲା। ସେଥିପାଇଁ ଆଗରୁ ଫେରନ୍ତା ଟିକେଟ୍ ବୁକିଂ କରାଯାଇନଥିଲା। ହଠାତ୍ ସେମିଫାଇନାଲ୍ ହାରିଯିବାରୁ ଗୁରୁବାର ଫେରନ୍ତା ଟିକେଟ୍ ବୁକିଂ କରାଯାଇଥିଲା। ମାତ୍ର ରବିବାର ପୂର୍ବରୁ କୌଣସି ଟିକେଟ୍ ମିଳିନଥିଲା। ସ୍ବଦେଶ ପହଞ୍ଚିବା ପରେ ଭାରତୀୟ ଦଳ ଅଗଷ୍ଟ ୩ରୁ ୱେଷ୍ଟଇଣ୍ଡିଜ୍ ସହ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବାକୁ ଗସ୍ତ କରିବ। ଇତି ମଧ୍ୟରେ ଅଧିକାଂଶ ଖେଳାଳି ଲଣ୍ଡନର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛନ୍ତି। ସେଥିପାଇଁ ଅଳ୍ପ କିଛି ଖେଳାଳି ଏବେ ଭାରତ ଫେରିବାକୁ ପ୍ରସ୍ତୁତ ଥିଲା ବେଳେ ଅନ୍ୟମାନେ ପ୍ରାୟ ଦୁଇ ସପ୍ତାହ ବିରତି ନେଇ ଲଣ୍ଡନର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ଚକର୍ରେ ଥିବା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଏହାକୁ ବିସିସିଆଇ ଅସ୍ବୀକାର କରିଛି। ସମସ୍ତ ଖେଳାଳି ଶନିବାର ଏକାଠି ହେବେ ଏବଂ ମିଳିତ ଭାବେ ଲଣ୍ଡନରୁ ସ୍ବଦେଶ ଫେରିବେ। ଦଳ ଏକତ୍ରିତ ଭାବେ ମୁମ୍ବାଇରେ ପହଞ୍ଚିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।
ଧୋନିଙ୍କ ଉପରେ ସମସ୍ତଙ୍କ ନଜର
ବିଶ୍ବକପ୍ ପରେ ଅବସର ନେବାର କଳ୍ପନାଜଳ୍ପନା ସତ୍ତ୍ବେ କୌଣସି ନିଷ୍ପତ୍ତି ଛାଡ଼ିନଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସ୍ବଦେଶ ଫେରିବା ପରେ ଧୋନି ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ନେଉଛନ୍ତି ତାହା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି ୩୮ ବର୍ଷ ବୟସ୍କ ଚର୍ଚ୍ଚିତ ତାରକା ଦଳ ମୁମ୍ବାଇ ପହଞ୍ଚିବା ପରେ ପରେ ତାଙ୍କ ଘରୋଇ ସହର ରାଞ୍ଚି ଫେରିବା ଆଶା କରାଯାଉଛି। ସେମିଫାଇନାଲ୍ରେ ଅର୍ଧଶତକ ଜମାଇଥିବା ଧୋନି ତାଙ୍କ ଅନ୍ତର୍ଜାତିକ କ୍ରିକେଟ୍ର ଅନ୍ତ ଘଟାଇବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ସେ କିଛି ବି ସେମିତି ସୁରାକ ଦେଇନଥିଲେ। ଭାରତ ପହଞ୍ଚିବା ପରେ କାଳେ କିଛି ଘୋଷଣା କରିପାରନ୍ତି ବୋଲି କ୍ରିକେଟ୍ ପଣ୍ଡିତ ଆଶଙ୍କା କରୁଛନ୍ତି। ସମ୍ଭବତଃ ଧୋନି ଆଗାମୀ ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରୁ ବଞ୍ଚିତ ହେବାର ସମ୍ଭାବନା ଅଧିକ ରହିଛି। ସୂଚନାଯୋଗ୍ୟ, ଧୋନି ତାଙ୍କ ଜାଜୁଲ୍ୟମାନ କ୍ରିକେଟ୍ ଜୀବନ ମଧ୍ୟରେ ଭାରତକୁ ଦୁଇଟି ବିଶ୍ବକପ୍ (୨୦୦୭ ଟ୍ବେଣ୍ଟି-୨୦ ଏବଂ ୨୦୧୧ ଦିନିକିଆ) ଭେଟି ଦେଇଛନ୍ତି।