ଆଉ ୭ ଦିନ, ମଙ୍ଗଳବାର ଅନ୍‌ଲାଇନ୍‌ରେ ଉଦ୍‌ଘାଟନୀ ଉତ୍ସବ ଟିକେଟ୍ ବିକ୍ରି

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ଉତ୍ସବ ଲାଗି ଟିକେଟ ବିକ୍ରି ମଙ୍ଗଳବାରଠାରୁ ଆରମ୍ଭ ହେବ। ମଙ୍ଗଳବାର ଅପରାହ୍ନ ୧୨ରୁ କେବଳ ଅନ୍‌ଲାଇନରେ ହିଁ ଏହି ଟି‌କେଟ ବିକ୍ରି କରାଯିବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ସହ ପରଦିନ ଅର୍ଥାତ୍ ୨୮ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଆର ରହମାନ ସୋ’ ଲାଗି ମଧ୍ୟ ସମାନ୍ତରାଳ ଭାବେ ଟିକେଟ୍ ବିକ୍ରି ହେବ। ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟଜେନିର ୱେବସାଇଟ୍ www.ticketgenie.in କୁ ଯାଇ ଟିକେଟ୍ କିଣି ପାରିବେ। ଅନ୍‌ଲାଇନରେ ବୁକ୍ କରିଥିବା ଟିକେଟର ପ୍ରିଣ୍ଟ୍‌ ସହିତ ନିଜର ପରିଚୟ ପ୍ରମାଣପତ୍ର (ସରକାରୀ) ଦେଖାଇ ସେମାନେ ୨୨ ତାରିଖ ଅପରାହ୍ନ ୩ଟାରୁ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା ସ୍ବତନ୍ତ୍ର କାଉଣ୍ଟରରୁ ଅସଲ ଟିକେଟ୍ ସଂଗ୍ରହ କରିପାରିବେ। ଏହା ସହ ଟିକେଟ୍ ବିକ୍ରି ଅଧିକାର ପାଇଥିବା ରାଜଧାନୀର ବଛା ବଛା ୧୮ ଟିକେଟ୍ କେନ୍ଦ୍ରରେ ମଧ୍ୟ ଦର୍ଶକମାନେ ନିଜ ନିଜ ଅନଲାଇନ୍ ଟିକେଟକୁ ରିଡେମ୍ପସନ୍ କରି ପାରିବେ। କଟକ ଉତ୍ସବ ଲାଗି ମଧ୍ୟ ସେଠାରେ ଏକାଧିକ ରିଡେମ୍ପସନ୍ କାଉଣ୍ଟର ଖୋଲାଯିବ। ତେବେ ଏହାର ଦିନ ଏବଂ ତାରିଖ ପରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ରବିବାର ସଂଧ୍ୟାରେ ଦିଆଯାଇଥିବା ଇମେଲ୍‌ ସୂଚନାରୁ ଜଣାପଡ଼ିଛି। କଳିଙ୍ଗ ଷ୍ଟାଡିୟମରେ ୨୭ ତାରିଖରେ ଆୟୋଜିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ସୁପରଷ୍ଟାର ଶାହାରୁଖ୍ ଖାନ୍ ମୁଖ୍ୟ ଆକର୍ଷଣ ହେବେ। ଅନ୍ୟ ପକ୍ଷରେ ପ୍ରସିଦ୍ଧ ସଂଗୀତକାର ଏଆର ରହମାନ ଉଭୟ କଳିଙ୍ଗ ଷ୍ଟାଡିୟମ୍ ଏବଂ ବାରବାଟୀ ଉତ୍ସବରେ ପରିବେଷଣ କରିବେ। ଗୀତିକାର ‌ସେଖ୍‌ ଗୁଲଜାରଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିବେ। ତା’ ସହ ସ୍ଥାନୀୟ, ଭାରତୀୟ ଏବଂ ବି‌ଦେଶରୁ ମୋଟ ୧୧୦୦ କଳାକାର ଏକକାଳୀନ ପ୍ରଦର୍ଶନ କରିବେ। ସବୁଠାରୁ ବଡ଼ କଥା ହେଉଛି ଏଥିରେ ଓଡ଼ିଶାରୁ ୮୦୦ ସହ ନବାଗତ କଳାକାର ରହିଛନ୍ତି। ଉଦ୍‌ଘାଟନୀ ଉତ୍ସବ ମୋଟ ଉପରେ ୨ ଘଣ୍ଟା ଧରି ଚାଲିବ। ମୁଖ୍ୟ କାର୍ଯ୍ୟକ୍ରମ କିନ୍ତୁ ୪୫ ମିନିଟର ହେବ। ଓଡ଼ିଶା କଳାକାଳଙ୍କ ମଧ୍ୟରେ ଓଲିଉଡ୍‌ର ଅନ୍ୟତମ ସଫଳ ଯୋଡ଼ି ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ ମୁଖ୍ୟ ଆକର୍ଷଣ ରହିବେ। ସମ୍ପୂର୍ଣ୍ଣ ଉଦ୍‌ଘାଟନୀ ଉତ୍ସବ ଦୂରଦର୍ଶନ ନ୍ୟାସନାଲ, ଡିଡି‌ ସ୍ପୋର୍ଟସ ସହିତ ଓଡ଼ିଶାର ଅଧିକାଂଶ ଆଞ୍ଚଳିକ ଟିଭି ଚାନେଲ ସିଧା ପ୍ରସାରଣ କରିବେ। ଫେସ୍‌ବୁକରେ ମଧ୍ୟ ଏହା ସିଧାପ୍ରସାରିତ ହେବ।

ସମ୍ବନ୍ଧିତ ଖବର