ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା : ଟୋକିଓ ଟିକେଟ ପାଇଁ ଟକ୍କର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାକୁ ‌ନେଇ ରାଜଧାନୀ ଭୁବନେଶ୍ବର ସହ ସମଗ୍ର ଓଡ଼ିଶାର ହକି ପ୍ରେମୀ ବେଶ୍ ଉତ୍ସାହିତ। ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇଁ ହେବାକୁ ଥିବା ଏହି ଦୁଇ ଦିନିଆ ଲଢ଼େଇରେ ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ୍ ଖେଳିବେ। ଭାରତୀୟ ପୁରୁଷ ଦଳ ରୁଷିଆର ମୁକାବିଲା କରିବ। ଅନ୍ୟପକ୍ଷରେ ମହିଳା ଦଳ ଆମେରିକାକୁ ଭେଟିବ। କଳିଙ୍ଗରୁ ହିଁ ଉଭୟ ଦଳ ଆଉ ଏକ ଅଲିମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।

ମହିଳାରେ ଭାରତ ୨, ଆମେରିକା ୬
ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ସେତେଟା ଅଭିଜ୍ଞତା ନାହିଁ କହିଲେ ଚଳିବ। ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ୧୯୮୦ ମସିହାରେ ଅଲିମ୍ପିକ୍ସ ଖେଳିଥିଲା। ସେହି ଅଲିମ୍ପିକ୍ସରେ ଭାରତୀୟ ମହିଳା ଖେଳିଥିବା ୫ ମୁକାବିଲାରୁ ୨ଟି ଲେଖାଏଁ ଜୟ/ ବିଜୟ ପାଇଥିଲା ବେଳେ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକ ବିଜୟରୁ ବଞ୍ଚିତ ହୋଇଥିଲା। ଏହା ପରର ଅଲିମ୍ପିକ୍ସ ପଦାର୍ପଣ ପାଇଁ ଭାରତୀୟ ମହିଳା ଦଳକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୧୬ରେ ଭାରତୀୟ ମହିଳା ଦଳ ଦ୍ବିତୀୟ ଥର ଅଲିମ୍ପିକ୍ସ ‌ଖେଳିଥିଲା। ବ୍ରାଜିଲର ରିଓଠାରେ ଦୀର୍ଘ ୨୮ ବର୍ଷ ପରେ ଅଲିମ୍ପିକ୍ସ ଖେଳି ଭାରତୀୟ ମହିଳା ହକି ଦଳ ଦ୍ବାଦଶ ସ୍ଥାନରେ ରହିଥିଲା। ଲିଗ୍ ପର୍ଯ୍ୟାୟର ୫ ମୁକାବିଲାରୁ ଭାରତୀୟ ମହିଳା ଦଳ ବିଜୟ ଶୂନ୍ୟ ରହିଥିଲା। ଚାରିଟି ମ୍ୟାଚ୍ ହାରିବା ସହ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ୧୯୮୦‌ରେ ମହିଳା ହକି ଅଲିମ୍ପିକ୍ସରେ ସାମିଲ ହେବାପରଠାରୁ ଆମେରିକା ୫ ଥର ବିଶ୍ବ କ୍ରୀଡ଼ାର ଏହି ସର୍ବବୃହତ୍ ମହୋ‌ତ୍ସବରେ ଅଂଶଗ୍ରହଣ କରି ସାରିଛି। ୧୯୮୪ ମସିହା ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଘରୋଇ ପରିବେଶରେ କାଂସ୍ୟ ପଦକ ଜିତିବା ଆମେରିକା ମହିଳା ହକି ଦଳର ଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ ହୋଇ ରହିଛି। ଏହା ପରେ ୧୯୮୮ ସିଓଲ, ୧୯୯୬ ଆଟଲାଣ୍ଟା, ୨୦୦୮ ବେଜିଂ, ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସ ଲାଗି ଆମେରିକା ମହିଳା ଦଳ ଯୋଗ୍ୟତା ଅର୍ଜନ କରି ସାରିଛି। ବିଶ୍ବ ମାନ୍ୟତାରେ ସଂପ୍ରତି ଭାରତୀୟ ମହିଳା ନବମ ସ୍ଥାନରେ ଥିଲା‌ ବେଳେ ଆମେରିକା ତ୍ରୟୋଦଶ ସ୍ଥାନରେ ରହିଛି।

ପୁରୁଷରେ ଭାରତ ୨୦, ରୁଷିଆ ୦
ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସ ଇତିହାସର ସଫଳତମ ଦଳର ମାନ୍ୟତା ମିଳେ। ଭାରତ ଅଲିମ୍ପିକ୍ସରେ ୮ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ପଦକ ସହ ମୋଟ ୧୧ ପଦକ ଜିତିଛି। ୧୯୨୮ରୁ ୧୯୫୬ ମସିହା ମଧ୍ୟରେ ଖେଳିଥିବା ୬ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଗୋଟିଏ ହେଲେ ବି ମ୍ୟାଚ୍ ହାରି ନଥିଲା। ଭାରତୀୟ ହକି ଦଳ ଏ ପର୍ଯ୍ୟନ୍ତ ୨୦ ଅଲିମ୍ପିକ୍ସ ଖେଳି ସାରିଛି। ୨୦୦୮ରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ହକି ଦଳ ବେଜିଂ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ହେଲେ ଗତ ଦୁଇଟି ଅଲିମ୍ପିକ୍ସରେ ଭାରତ ଖେଳିଥିଲା। ଲଣ୍ଡନ (୨୦୧୨) ଏବଂ ରିଓ (୨୦୧୬)ରେ କିନ୍ତୁ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଲଣ୍ଡନରେ ଭାରତ ଦ୍ବାଦଶ ଏବଂ ଗତ ରିଓ ଅଲିମ୍ପିକ୍ସରେ ଅଷ୍ଟମ ସ୍ଥାନରେ ରହିଥିଲା। ଲଣ୍ଡନରେ ଭାରତୀୟ ଦଳ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନଥିଲା। ରିଓରେ ୨ ମ୍ୟାଚ୍ ଜିତିବା ସହ ଗୋଟିକୁ ଅମୀମାଂସିତ ରଖିଥିଲା। ଅନ୍ୟ ପକ୍ଷରେ ତିନିଟି ମ୍ୟାଚ୍ ହାରିଥିଲା। ଅଲିମ୍ପିକ୍ସରେ ଭାରତ ୭୬ ମ୍ୟାଚ୍ ଜିତିଥିଲା ବେଳେ ୩୩ ମ୍ୟାଚ୍ ହାରିଛି ମାତ୍ର ୧୪ ମ୍ୟାଚ୍ ଅମୀମାଂସିତ ରଖିଛି। ଭାରତ ସଂପ୍ରତି ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରୁଷିଆ କେବେ ବି ବିଶ୍ବକପ୍ କିମ୍ବା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ। ସେମାନେ କେବଳ ଚାରିଟି ୟୁରୋପୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ବିଶ୍ବ ହକି ମାନ୍ୟତାରେ ରୁଷିଆ ସଂପ୍ରତି ୨୨ତମ ସ୍ଥାନରେ ରହିଛି। ଅବଶ୍ୟ ରୁଷିଆ ଦଳର କଳିଙ୍ଗ ଷ୍ଟାଡିୟମରେ ଖେଳିବାର ଅଭିଜ୍ଞତା ରହିଛି। ଏଠାରେ ଖେଳିଥିବା ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲରେ ଭାରତଠାରୁ ରୁଷିଆ ୦-୧୦ ଗୋଲ୍‌ରେ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର