ଟାଇଗର୍ସ, ଲାୟନ୍ସ, ପାନ୍ଥର୍ସ ବିଜୟୀ

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌)ରେ ମଙ୍ଗଳବାର ତିନିଟି ମ୍ୟାଚ୍ ଖେଳା ଯାଇଥିଲା। ପ୍ରଥମ ଦୁଇ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍ସ ଏବଂ ଓଡ଼ିଶା‌ ଟାଇଗର୍ସ ବିଜୟୀ ହୋଇଥିଲେ। ସେହିଭଳି ତୃତୀୟ ମୁକାବିଲାରେ ଓଡ଼ିଶା ଲାୟନ୍ସକୁ ଓଡ଼ିଶା ପାନ୍ଥର୍ସ ପରାସ୍ତ କରିଥିଲା। ଫଳରେ ମଙ୍ଗଳବାର ଓଡ଼ିଶା ଲାୟନ୍ସ ଉଭୟ ଖଟାମିଠା ଭରା ଅନୁଭବ ପାଇଥିଲା। ଜାଗୁଆର୍ସ-ଲାୟନ୍ସ ମ୍ୟାଚ୍‌ରେ ଜାଗୁଆର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା। ଦୀପକ ରଞ୍ଜନ ବେହେରା (୩/୧୬) ଓ ଶିବାଶିଷ ସାହୁ (୨/୨୬) ନିଜ ନିଜ ଭିତରେ ୫ ୱିକେଟ୍ ବାଣ୍ଟିନେଇ ଜାଗୁଆର୍ସର ବିପର୍ଯ୍ୟୟ ଘଟାଇଥିଲେ। ଏହି ଦଳ ପକ୍ଷରୁ ନିର୍ବିଶଙ୍କର ବାରିକ ୩୫ ଓ ଲଗ୍ନଜିତ ସାମଲ ୨୮ ରନ୍ କରିଥିଲେ। ଦୀପକ ରଞ୍ଜନ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ଟାଇଗର୍ସ ୨୯ ରନ୍‌ରେ ଓଡ଼ିଶା ଚିତାସ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଟାଇଗର୍ସ ଅଧିନାୟକ ଦେବାଶିଷ ସାମନ୍ତରାୟଙ୍କ ୪୯ ଏବଂ ଅମିନ ଅଲ୍ ଖାନ୍‌ଙ୍କ ଦ୍ରୁତ ୪୫ ରନ୍ ବଳରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଜବାବରେ ଚିତା‌ସ୍ ମୋରାଜୁ ପ୍ରଶାନ୍ତ (୫୪ ରନ୍, ୫୩ ବଲ୍, ୭ ଚୌକା)ଙ୍କ ଅର୍ଧଶତକ ସତ୍ତ୍ବେ ୨୦ ଓଭରରେ ୪ ୱିକେଟ୍ ହରାଇ ୧୨୪ ରନ୍ କରିପାରିଥିଲା। ଦେବାଶିଷ ସାମନ୍ତରାୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ରାତିରେ ଖେଳା ଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଏବଂ ୱିକେଟ୍ ରକ୍ଷକ ସୁଜିତ ଲେଙ୍କା ସର୍ବାଧିକ ୩୯ ରନ୍ କରିଥିଲେ। ଏହାର ଜବାବରେ ଓଡ଼ିଶା ପାନ୍ଥର୍ସ ୧୯.୪ ଓଭରରେ ୮ ୱିକେଟ୍ ହରାଇ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବିନିତ ମହାନ୍ତି ସର୍ବାଧିକ ୨୫ ରନ୍ କରିଥିଲେ। ୪ ଓଭରରେ ୧୦ ରନ୍ ଦେଇ ଓଡ଼ିଶା ଲାୟନ୍ସର ୩ ୱିକେଟ୍ କରାୟତ୍ତ କରିଥିବା ଆଲୋକ ଚନ୍ଦ୍ର ସାହୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର