କଟକ: ତିନିମାସ ପରେ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ଖେଳାଳିଙ୍କୁ ନେଇ ଏକ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଲିଜେଣ୍ଡ୍ସ ଲିଗ୍ କ୍ରିକେଟ (ଏଲ୍ଏଲ୍ସି)ର ଦ୍ବିତୀୟ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଭିଲୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଟାଇଗର୍ସ ୩ ରନ୍ରେ ବିଜୟୀ ହୋଇଛି। ଟାଇଗର୍ସର ୧୭୫ ରନ୍ ଜବାବରେ କିଙ୍ଗ୍ସ ୯ ୱିକେଟ ବିନିମୟରେ ୧୭୨ ରନ୍ କରିପାରିଥିଲା। ତାତେଣ୍ଡା ତାଇବୁଙ୍କ ଅର୍ଧଶତକ (୫୪) ଓ ଦିଲହାରା ଫର୍ଣ୍ଣାଣ୍ଡୋ (୪-୦-୩୧-୪)ଙ୍କ ମ୍ୟାଜିକ୍ ସ୍ପେଲ୍ ଯୋଗୁଁ ଟାଇଗର୍ସ ପ୍ରତିଯୋଗିତାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି।
ବାରବାଟୀର ଏହି ପ୍ରଥମ ମ୍ୟାଚ୍ରେ ଟସ୍ ଜିତି କିଙ୍ଗ୍ସ ଅଧିନାୟକ ଇର୍ଫାନ ପଠାନ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତିକୁ ଟାଇଗର୍ସର ଦୁଇ ପ୍ରାରମ୍ଭିକ ଯୋଡ଼ି ଜେସି ରାଇଡର ଓ ତାତେଣ୍ଡା ତାଇବୁ ଭୁଲ୍ ପ୍ରମାଣିତ କରିଥିଲେ। ଏହି ଯୋଡ଼ି ଆରମ୍ଭରୁ ଦ୍ରୁତ ହାରରେ ରନ୍ ସଂଗ୍ରହ କରି ଶତକୀୟ (୧୦୯) ଭାଗୀଦାରି କରିଥିଲେ। କେବଳ ପାୱାର୍ପ୍ଲେରୁ ଉଭୟ ୬୩ ରନ୍ ଉଠାଇଥିଲେ। ହେଲେ ୟୁସୁଫ ପଠାନ ୧୧ତମ ଓଭରରେ ଉଭୟଙ୍କୁ ଆଉଟ କରି ରନ୍ ଗତିକୁ ଧୀମା କରାଇଥିଲେ। ରାଇଡର ୪୭ ଓ ତାଇବୁ ୫୪ ରନ୍ (୩୦ ବଲ୍, ୫ ଚୌକା, ୪ ଛକା) କରି ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ବଲ୍ରେ ଆଉଟ ହୋଇଥିଲେ। ପରେ ଅଣଆନ୍ତର୍ଜାତିକ ଖେଳାଳି ପରଦୀପ ସାହୁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବାରୁ ଟାଇଗର୍ସ ମଙ୍ଗ ସମ୍ଭାଳିଥିଲେ କୋରି ଆଣ୍ଡରସନ୍ (୨୪) ଓ ମହମ୍ମଦ କୈଫ (୩୨)। ଚତୁର୍ଥ ୱିକେଟରେ ଦୁହେଁ ୫୭ ରନ୍ ଯୋଡ଼ିଥିଲେ। ତଳଭାଗରୁ ଆଉ ବଡ଼ ରନ୍ ନବାହାରିବାରୁ ଶେଷରେ ଟାଇଗର୍ସ ୮ ୱିକେଟ ବିନିମୟରେ ୧୭୫ ରନ୍ ସ୍କୋର କରିଥିଲା।
ୟୁସୁଫ୍ଙ୍କ ବାଦ୍ ଟିନୋ ବେଷ୍ଟ ୩, ଫିଡେଲ ଏଡ୍ୱାର୍ଡସ ଓ ଜେସଲ୍ କାରିଆ ୧ ୱିକେଟ୍ ଲେଖାଏଁ ନେଇଥିଲେ। ୧୭୬ ରନ୍ ଲକ୍ଷ୍ୟକୁ ପିଛା କରିବାକୁ ଯାଇ କିଙ୍ଗ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ମର୍ଣ୍ଣେ ଭାନ୍ ୱିକ୍ (୪) ଦ୍ବିତୀୟ ଓଭରରେ ପରବିନ୍ଦର ଆୱାନାଙ୍କ ଶିକାର ହୋଇଥିଲା ବେଳେ ୱିଲିୟମ୍ ପୋର୍ଟରଫିଲ୍ଡଙ୍କୁ ୨୮ ରନ୍ରେ ଦ୍ବାଦଶ ଖେଳାଳି ମୁଥିଆ ମୁରଲୀଧରନ ଆଉଟ କରିଥିଲେ। ତନ୍ମୟ ଶ୍ରୀବାସ୍ତବ (୨୬), ଜେସଲ କାରିଆ (୧୪) ବିଫଳ ହୋଇଥିଲା ବେଳେ ୟୁସୁଫ ପଠାନ୍ (୪୨) ଓ ଇର୍ଫାନ ପଠାନ୍ (୨୩) ବଡ ସଟ୍ ଖେଳି ଦଳକୁ ବିଜୟ ନିକଟତର କରାଇଥିଲେ। ହେଲେ ଦୁଇ ଭାଇ ଆଉଟ ହୋଇଯିବା ପରେ ଦଳର ୱିକେଟ ଖସିବା ଧାରା ଆରମ୍ଭ ହୋଇଥିଲା। ତଥାପି ଶେଷ ବଲ୍ ପର୍ଯ୍ୟନ୍ତ ମ୍ୟାଚ୍ରେ ରୋମାଞ୍ଚ ରହିଥିଲେ ବି ଦିଲ୍ହାରା ଫର୍ଣ୍ଣାଣ୍ଡୋ (୪/୩୧) ମ୍ୟାଚ୍ ରୂପରେଖ ବଦଳାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରଭଜନ ୨, ଆୱାନା ୨, ମୁରଲୀଧରନ ୧ ୱିକେଟ ପାଇଥିଲେ।