ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଫଟୋ ଓ ବାର୍ତ୍ତା ପଠାଇବା କାରଣରୁ ଇସ୍ତଫା ଦେଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେଏନ୍‌

ନୂଆଦିଲ୍ଲୀ: ଜଣେ ମହିଳା ସହକର୍ମୀଙ୍କ ନିକଟକୁ ନିଜର ବିବସ୍ତ୍ର ଫଟୋ ଏବଂ କେତେଗୁଡ଼ିଏ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ ବିଷୟରେ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ ତଦନ୍ତ କରିବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଟିମ୍‌ ପେଏନ୍‌ ଇସ୍ତଫା ଦେଇଛନ୍ତି।

ପରିଚାଳନା ସମିତି ତାଙ୍କର ଇସ୍ତଫା ଗ୍ରହଣ କରିଛନ୍ତି। ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ର ତଦନ୍ତ ସାର୍ବଜନୀନ କରାଯିବ ବୋଲି ଜାଣିବା ପରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କଥା ପେଏନ୍‌ କହିଛନ୍ତି।

ହୋବାର୍ଟର୍‌ ରାଜଧାନୀ ତାସମାନିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପେଏନ୍‌ କହିଛନ୍ତି, ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପଦବୀରୁ ଇସ୍ତଫା ଦେବା ଲାଗି ନେଇଥିବା ନିଷ୍ପତ୍ତି ବିଷୟ ଘୋଷଣା କରୁଛି। ଏ ନିଷ୍ପତ୍ତି ଅବିଶ୍ବସନୀୟ ହୋଇଥିଲେ ବି, ମୋ ପାଇଁ, ମୋ ପରିବାର ପାଇଁ ଏବଂ କ୍ରିକେଟ୍‌ପାଇଁ ସଠିକ ନିଷ୍ପତ୍ତି।

Image Courtesy of The Indian Express

ସେ କହିଛନ୍ତି, ପ୍ରାୟ ୪ ବର୍ଷ ପୂର୍ବେ, ଜଣେ ତତ୍‌କାଳୀନ ସହକର୍ମୀଙ୍କ ନିକଟକୁ ବାର୍ତ୍ତା ଆଦାନପ୍ରଦାନରେ ସଂଶ୍ଳିଷ୍ଟ ଥିଲି। ସେ ସମୟରେ ଉକ୍ତ ବାର୍ତ୍ତା ଆଦାନପ୍ରଦାନକୁ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ ଇଣ୍ଟେଗ୍ରିଟି ୟୁନିଟ୍‌’ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା। ସମଗ୍ର ତଦନ୍ତ ପ୍ରକ୍ରିୟାରେ ମୁଁ ସମ୍ପୂର୍ଣ୍ଣ ଏବଂ ଅବାଧରେ ଅଂଶଗ୍ରହଣ କରିଥିଲି। ଏହାଦ୍ବାରା ‘କ୍ରିକେଟ୍‌ ଅଷ୍ଟ୍ରେଲିଆର ଆଚରଣ ସଂହିତା’ ଉଲ୍ଲଂଘନ ହୋଇନାହିଁ ବୋଲି ଉଭୟ ତଦନ୍ତକାରୀ କହିଥିଲେ। କିନ୍ତୁ, ଉପରୋକ୍ତ କାର୍ଯ୍ୟ ପାଇଁ ସେତେବେଳ ଏବଂ ଆଜି ମଧ୍ୟ ମୁଁ ଖୁବ୍‌ ଦୁଃଖିତ। ସେତେବେଳେ ଏ କଥା ମୁଁ ମୋ ପତ୍ନୀ ଓ ପରିବାରବର୍ଗଙ୍କୁ କହିଥିଲି। ସେମାନଙ୍କ କ୍ଷମା ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ। ଏହାକୁ ଗଲା କଥା ବିଚାରି ମୁଁ ତିନି ଚାରି ବର୍ଷ ଧରି ଟିମ୍‌ ଉପରେ ସମ୍ପୂର୍ଣ୍ଣ ମନଯୋଗ ଦେଇଥିଲି।

କିନ୍ତୁ, ନିକଟରେ ମୁଁ ଜାଣିବାକୁ ପାଇଲି ଯେ, ଆଦାନପ୍ରଦାନ ହୋଇଥିବା ଉକ୍ତ ବ୍ୟକ୍ତିଗତ ବାର୍ତ୍ତା ସାର୍ବଜନୀନ ହେବାକୁ ଯାଉଛି। ୨୦୧୭ର ମୋର ଉକ୍ତ କାର୍ଯ୍ୟକଳାପ ଅଷ୍ଟ୍ରେଲୀୟ କ୍ରିକେଟ୍‌ ଅଧିନାୟକଙ୍କ ମାନ ଯୋଗ୍ୟ ନୁହେଁ। ତେଣୁ, ମୁଁ ଇସ୍ତଫା ଦେବାକୁ ସ୍ଥିର କଲି।

ସମ୍ବନ୍ଧିତ ଖବର