ଅଷ୍ଟ୍ରେଲିଆ ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିଲେ ଟିମ୍ ପେନ୍‌

କାନବେରା: ଆଉ ମାତ୍ର ଦୁଇ ସପ୍ତାହ ପରେ ଆସେସ୍ ଶୃଙ୍ଖଳା ଖେଳାଯିବାକୁ ଥିବାବେଳେ ଏକ ପଡ଼ିଆ ବାହାର ବିବାଦ କାରଣରୁ ଟିମ୍ ପେନ୍ ଅଷ୍ଟ୍ରେଲିଆ ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ୨୦୧୭ ମସିହାରେ କ୍ରିକେଟ୍ ତାସମାନିଆରେ କାର୍ଯ୍ୟରତ ଜଣେ ମହିଳା ସହକାରୀଙ୍କୁ ପେନ୍‌ କିଛି ଆପତ୍ତିଜନକ ବାର୍ତ୍ତା ପ୍ରେରଣ କରିଥିଲେ। ସେତେବେଳର ତଦନ୍ତରେ ଏହା କୌଣସି ଭାବେ କ୍ରିକେଟ୍ ଅଷ୍ଟ୍ରେଲିଆର ଆଚରଣ ସଂହିତା ଉଲ୍ଲଂଘନ କରୁନାହିଁ ବୋଲି ପ୍ରମାଣିତ ହୋଇଥିଲା। ଏବେ କିନ୍ତୁ ଏହି ବାର୍ତ୍ତା ସାଧାରଣରେ ବିଜ୍ଞପ୍ତି ହେବାର ସମ୍ଭାବନା ଥିବାରୁ ପେନ୍‌ ନିଜ ଉପରକୁ ନୈତିକ ଦାୟିତ୍ବ ନେଇ ଅଧିନାୟକ ପଦ ଛାଡ଼ିଛନ୍ତି।

‘ମୋ ୨୦୧୭ ମସିହା କାର୍ଯ୍ୟକଳାପ ଅଷ୍ଟ୍ରେଲିଆ ଜାତୀୟ ଦଳର ନେତୃତ୍ବ ନେବାସ୍ତରର ହୋଇନଥିବାରୁ ମୁଁ ପଦ ଛାଡୁଛି। ମୁଁ ଏଥି ପାଇଁ ଦୁଃଖିତ। ପତ୍ନୀ, ପରିବାର ଓ ଅନ୍ୟ ସମସ୍ତଙ୍କୁ କଷ୍ଟ ଦେଇଥିବାରୁ ମୁଁ ଯନ୍ତ୍ରଣା ପାଇଛି। କ୍ରିକେଟ୍‌ର ଖ୍ୟାତି ପ୍ରତି ଆଞ୍ଚ ପହଞ୍ଚାଇଥିବାରୁ ମୁଁ ମଧ୍ୟ ଅତ୍ୟନ୍ତ ଦୁଃଖିତ’ ବୋଲି ପେନ୍‌ ପ୍ରକାଶ କରିଛନ୍ତି। ପରିବାର ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ର ସ୍ବାର୍ଥକୁ ନଜରରେ ରଖି ଇସ୍ତଫା ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ପେନ୍‌ ତଦନ୍ତରୁ ମୁକ୍ତ ହୋଇଥିଲେ ମଧ୍ୟ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ ରିଚାର୍ଡ ଫ୍ରୁଡଷ୍ଟେନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର