ଚେନ୍ନାଇ: ଟିମ୍‌ ସେଫର୍ଟଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ବିଜୟରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍‌-ଡି’ର ଏକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫ ୱିକେଟ୍‌‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଛି। ୧୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ପ୍ରଥମ ଦୁଇ ଓଭର ମଧ୍ୟରେ ୧୪ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଫିନ୍‌ ଆଲିନ (୧) ଓ ରାଚିନ ରବୀନ୍ଦ୍ର (୦)ଙ୍କୁ ମୁଜୀବ ଉର୍‌ ରହମାନ୍‌ ନିଜର ପ୍ରଥମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌ରେ ପ୍ୟାଭିଲିୟନ୍‌ ପଠାଇ ଏହି ଯୁଗଳ ଝଟକା ଦେଇଥିଲେ।

Advertisment

ତେବେ ‘ବମ୍‌ ବମ୍‌’ ଭାବେ ପରିଚିତ ସେଫର୍ଟଙ୍କ ୪୨ ବଲ୍‌ରୁ ୬୫ ରନ୍‌ (୭ ଚୌକା, ୩ ଛକା) ଏବଂ ଗ୍ଲେନ୍‌ ଫିଲିପ୍ସ ୨୫ ବଲ୍‌ରୁ ୪୨ ରନ୍‌ (୭ ଚୌକା, ୧ ଛକା)ର ପାଳି ଖେଳିବା ସହ ମ୍ୟାଚ୍‌ ନିଜ ନିୟନ୍ତ୍ରଣକୁ ଆଣିଥିଲେ। ଫିଲିପ୍ସ ଓ ସେଫର୍ଟଙ୍କ ପରେ ମାର୍କ ଚାପମାନ ୨୮ ଆଉଟ୍‌ ହୋଇଥିଲେ। ଡାରିଲ ମିଚେଲ (୧୪ ବଲ୍‌ରୁ ୨୫*) ଓ ମିଚେଲ ସାଣ୍ଟନର (୮ ବଲ୍‌ରୁ ୧୭*) ଅପରାଜିତ ରହି ୧୩ ବଲ୍‌ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଥିଲେ।

ଆହୁରି ପଢ଼ନ୍ତୁ: Cold Wave: ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରି ରେକର୍ଡ

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ ଗୁଲବଦିନ ନୈବ (୩୫ ବଲ୍‌ରୁ ୬୩)ଙ୍କ ଅର୍ଦ୍ଧଶତକ ବଳରେ ୧୮୨/୬ କରିଥିଲା। ସେଦିକୁଲା ଅଟଳ ୨୯, ରହମନୁଲ୍ଲା ଗୁରବାଜ ୨୭ ଓ ଦରୱିସ୍‌ ର‌ସୋଲି ୨୦ ରନ୍‌ ଉପଯୋଗୀ ପାଳି ଖେଳିଥିଲେ। ଲୁକି ଫର୍ଗୁସନ ୨ ୱିକେଟ୍‌ ନେଇଥିଲେ। ଅର୍ଦ୍ଧଶତକୀୟ ପାଳି ସହ ୨ଟି କ୍ୟାଚ୍‌ ନେଇଥିବା ସେଫର୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଆହୁରି ପଢ଼ନ୍ତୁ: Accident: ସ୍କୋର୍ପିଓକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌; ୨ ମୃତ, ୫ ଗୁରୁତର