ଟାଇମ୍‌ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର: ଦୂତି, ପ୍ରମୋଦ ଓ ଓଡ଼ିଶା ପୁରସ୍କୃତ

ଭୁବନେଶ୍ବର: ଦୌଡ଼ ରାଣୀ ଦୂତି ଚାନ୍ଦ ଓ ଅର୍ଜୁନ ପୁରସ୍କାରପ୍ରାପ୍ତ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଗୁରୁବାର ଟାଇମ୍‌ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ମିଳିଛି। ଦୌଡ଼କୁଦରେ ସ୍ବପ୍ନା ବର୍ମନ୍‌, ହୀମା ଦାସଙ୍କୁ ପଛରେ ପକାଇ ଓଡ଼ିଆ ଝିଅ ତଥା ଦେଶର ଦ୍ରୁତତମ ଧାବିକା ଦୂତି ବାଜି ମାରିନେଇଥିଲେ। ଦୌଡ଼କୁଦର ପୁରୁଷ ବର୍ଗ ବିଜେତା ହୋଇଥିଲେ ତାଜିନ୍ଦରପାଲ୍ ସିଂହ ତୁର। ଅନ୍ୟପକ୍ଷରେ ପାରା କ୍ରୀଡ଼ାରେ ଶ୍ରେଷ୍ଠ ପୁରସ୍କାର ପାଇଁ ପ୍ରମୋଦଙ୍କ ସାଙ୍ଗକୁ ମାନସୀ ଯୋଶୀ, ଅମିତ ସରୋହା ଓ ଆନନ୍ଦନ ଗୁଣଶେକରନ୍‌ଙ୍କ ନାମ ସୁପାରିସ ହୋଇଥିଲା। ଶେଷରେ ଓଡ଼ିଆ ପୁଅ ପ୍ରମୋଦ ଓ ମାନସୀ ଯଥାକ୍ରମେ ପୁରୁଷ ଓ ମହିଳା ବିଜେତା ହୋଇଥିଲେ। ସେହିପରି ଓଡ଼ିଶାକୁ ମଧ୍ୟ ପୁରସ୍କୃତ କରାଯାଇଛି। ‘ଚେଞ୍ଜ୍‌ ଏଜେଣ୍ଟ୍‌ ଅଫ୍‌ ଦି ଇୟର’ ଭାବେ ଓଡ଼ିଶା ସରକାରଙ୍କୁ ପୁରସ୍କୃତ କରାଯାଇଛି।

ମୋଟ ଉପରେ ୧୫ ବର୍ଗରେ ପୁରୁଷ ଓ ମହିଳା ବିଜେତା ନିର୍ଣ୍ଣୟ କରାଯାଇ ପୁରସ୍କୃତ କରାଯାଇଥିଲା। ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର କିନ୍ତୁ ବ୍ୟାଡମିଣ୍ଟନ୍‌ ରାଣୀ ପିଭି ସିନ୍ଧୁ ଜିତିଥିଲେ। ବର୍ଷର ଶ୍ରେଷ୍ଠ ଦଳ ଭାବେ ଭାରତୀୟ ପୁରୁଷ ହକି ଦଳ ପୁରସ୍କୃତ ହୋଇଥିଲା ବେଳେ ହର୍‌ମନ୍‌ପ୍ରୀତ୍‌ ସିଂହ ଓ ରାଣୀ ଶ୍ରେଷ୍ଠ ହକି ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ବିଗତ ଦିନର ବଂଧୁକଚାଳକ ଯଶପାଲ ରାଣାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଛି। କୁସ୍ତିରେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ, ଭାରୋତ୍ତୋଳନରେ ମୀରାବାଇ ଚାନୁ ଓ ସତୀଶ ଶିବଲିଙ୍ଗମ୍‌, କ୍ରିକେଟ୍‌ରେ ରୋହିତ ଶର୍ମା ପୁରସ୍କାର ଲାଭ କରିଛନ୍ତି। ଫୁଟ୍‌ବଲ୍‌ରେ ସୁନିଲ ଛେତ୍ରୀ, ବଂଧୁକଚାଳନାରେ ‌ସୌରଭ ଚୌଧୁରୀ, ମନୁ ଭାକର, ଟିଟିରେ ମନିକା ବାତ୍ରା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପୁଲେଲା ଗୋପୀଚାନ୍ଦଙ୍କୁ ବର୍ଷର ଶ୍ରେଷ୍ଠ ମାର୍ଗଦର୍ଶକ, ରାଣୀଙ୍କୁ ବର୍ଷର ଶ୍ରେଷ୍ଠ ପ୍ରେରଣାଦାୟୀ ଏବଂ ସିନ୍ଧୁଙ୍କୁ ଅନବ୍ରେକେବଲ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର