ଆଇପିଏଲ୍‌ ଟ୍ରଫି ଲଢ଼େଇରେ ଟାଇଟନ୍ସ-ରୟାଲ୍ସ

କୋହଲିଙ୍କ ସ୍ବପ୍ନ ଅଧୁରା: ବଟଲର୍‌ଙ୍କ ଚତୁର୍ଥ ଶତକ

ଅହମଦାବାଦ : ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ସ୍ବପ୍ନ ପୁଣି ଅଧୁରା ରହିଗଲା। ଅଧିନାୟକ ପଦ ଛାଡ଼ିବା ପରେ ବି ଆର୍‌ସିବି ସହ ତାଙ୍କ ଭାଗ୍ୟ ଉଦୟ ହୋଇପାରିଲା ନାହିଁ। ଫାପ୍ ଡୁ ପ୍ଲେସିସ୍‌ଙ୍କ ନେତୃତ୍ବରେ ଖେଳିଥିବା ଆର୍‌ସିବିକୁ ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାର୍‌ରେ ରାଜସ୍ଥାନ ରୟାଲ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ହରାଇ ଫାଇନାଲ୍‌କୁ ଉଠିଯାଇଛି। ରବିବାର ଖେଳାଯିବାକୁ ଥିବା ଟ୍ରଫି ଲଢ଼େଇରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ସହିତ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍‌ସ ଖେଳିବା ପକ୍କା ହୋଇଛି।

ସ୍ବତନ୍ତ୍ର ବୋଲିଂ କୌଶଳରେ ଖେଳିଥିବା ରାଜସ୍ଥାନ ରୟାଲ୍ସର ବୋଲରମାନେ ଆର୍‌ସିବି ପାଳିକୁ ୧୫୭ ରନ୍‌ରେ ରୋକି ଦେଇଥିଲେ। ଏହା ପରେ ଜୋସ୍ ବଟଲର୍‌ଙ୍କ ଆଉ ଏକ ଜବରଦସ୍ତ ପାଳି (୧୦୬*, ୬୦ ବଲ୍) ବଳରେ ରୟାଲ୍‌ସ ସହଜରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବଟଲର୍‌ ମାତ୍ର ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହିତ ଆଇପିଏଲ୍‌ ଇତିହାସରେ ଗୋଟିଏ ଋତୁରେ ୮୦୦ ରନ୍‌ ଅତିକ୍ରମ କରିବାରେ ବିରାଟ କୋହଲି (୯୭୩ ରନ୍‌, ୨୦୧୬) ଏବଂ ଡେଭିଡ୍ ୱାର୍ଣ୍ଣର (୮୪୮ ରନ୍‌, ୨୦୧୬)ଙ୍କ ପରେ ତୃତୀୟ ଖେଳାଳି ହୋଇଥିଲେ। ବଟଲର୍‌ ମଧ୍ୟ ଗୋଟିଏ ଋତୁରେ ୪ ଶତକ ମାରି ବିରାଟ କୋହଲିଙ୍କ (୨୦୧୬) ସମକକ୍ଷ ହୋଇଥିଲେ। ଅନ୍ୟପକ୍ଷରେ ଆର୍‌ସିବିର ଭାରତୀୟ ବୋଲର ମହମ୍ମଦ ସିରାଜ ଗୋଟିଏ ଋତୁରେ ସର୍ବାଧିକ (୩୧) ଛକାର ଶିକାର ହେବାର ଅଲୋଡ଼ା କୀର୍ତ୍ତିମାନ କରିଥିଲେ। ସେ ଡ୍ବାନ ବ୍ରାଭୋ (୨୯ ଛକା, ୨୦୧୮)ଙ୍କୁ ଅତିକ୍ରମ କରିଥିଲେ। ଶୁକ୍ରବାର ପ୍ରଥମ ଓଭରରେ ସିରାଜଙ୍କୁ ଜୟସ୍ବାଲ ଦୁଇଟି ଏବଂ ପରେ ବଟଲର୍‌ ଗୋଟିଏ ଛକା ମାରିଥିଲେ। ଚଳିତ ଋତୁରେ ମଧ୍ୟ ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ଫାଇନାଲ୍ ‌ଖେଳିବାକୁ ଯାଉଛନ୍ତି।

ଆଇପିଏଲ୍‌-୧୫ର ଦ୍ବିତୀୟ କାଲିଫାୟାର୍‌ରେ ମଧ୍ୟ ପିଟିଛନ୍ତି ଆର୍‌ସିବିର ଉଦୀୟମାନ ତାରକା ରଜତ ପଟିଦାର। ଏଲିମିନେଟର୍‌ରେ ଶତକ ଜମାଇଥିବା ଏହି ଇନ୍ଦୋର ତାରକା ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷ କ୍ବାଲିଫାୟାର୍‌-୨ରେ ୪-୦ ବଲରୁ ୫୦ ରନ୍‌ ସଂଗ୍ରହ କରି ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ତେବେ ଡେଥ୍‌ ଓଭର ବେଳକୁ ରୟାଲ୍ସ ବୋଲର ଚମତ୍କାର ପ୍ରତ୍ୟାବର୍ତନ କରିବାରୁ ପ୍ରଥମ ଥର ଟ୍ରଫି ଆଶାୟୀ ରୟାଲ୍ସ ଆଶାଜନକ ସ୍କୋର୍‌ କରିନପାରି ୧୫୭ ରନ୍‌ରେ ଅଟକି ଯାଇଥିଲା। ୧୬ତମ ଓଭରରେ ପଟିଦାର (୪୨ ବଲ୍‌ରୁ ୫୮, ୪ ଚୌକା, ୩ ଛକା) ଆଉଟ୍ ହେବା ପରେ ପରବର୍ତୀ ୨୭ ବଲରୁ ଏହି ଦଳ ମାତ୍ର ୨୭ ରନ୍‌ ଯୋଡ଼ି ପାରିଥିଲା। ଏପରିକି ଶେଷ ଓଭରରେ ମ୍ୟାକୟ ମାତ୍ର ୩ ରନ୍‌ ବ୍ୟୟ କରିବା ଉଲ୍ଲେଖନୀୟ ଥିଲା। ପ୍ରଥମେ ବ୍ୟାଟିଂ ବେଳେ ଚଳିତ ବର୍ଷ ପ୍ରଥମ ଥର ଆର୍‌ସିବି ଶେଷ ୫ ଓଭରରେ ୫୦ ରନ୍‌ ସଂଗ୍ରହ କରିପାରିନଥିଲା। ପ୍ରସିଦ୍ଧ କୃଷ୍ଣ (୪-୦-୨୨-୩) ଏବଂ ଓବିଦ୍‌ ମ୍ୟାକୟ (୪-୦-୨୩-୩) ମିଳିତ ଭାବେ ଆର୍‌ସିବିର ସର୍ବାଧିକ କ୍ଷତି ପହଞ୍ଚାଇଥିଲେ। ଟସ୍ ଜିତିବା ପରେ ଚମତ୍କାର ବୋଲିଂ ଯୋଜନାରେ ଖେଳିଥିବା ରୟାଲ୍ସ ମଧ୍ୟ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର