ଆଜିଠୁ ଦିନିକିଆ ସମରଜିତିଲେ ଇତିହାସ

ଡର୍ବାନ: ତୃତୀୟ ତଥା ଶେଷ ଟେଷ୍ଟ୍‌ରେ ଚିତ୍ତାକର୍ଷକ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସଭରା ଭାରତୀୟ କ୍ରିକେଟ୍‌ ଦଳ ଗୁରୁବାରଠାରୁ ଦିନିକିଆ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଚରଣରେ ଆସନ୍ତାକାଲି ହିଁ ଭାରତ ପ୍ରଥମ ଲଢ଼େଇ ଲଢ଼ିବ। ଗୁରୁବାର ଅପରାହ୍ନରେ ୬ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଡର୍ବାନର କିଙ୍ଗ୍ସମେଡ ଷ୍ଟାଡିୟମରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଟେଷ୍ଟ ପର୍ଯ୍ୟାୟରେ ୧-୨ରେ ପଛୁଆ ରହିଥିବା ଭାରତୀୟ କ୍ରିକେଟ୍‌ ଦଳ ଦିନିକିଆ ଶୃଙ୍ଖଳାରେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିବ। ଜିତିଲେ କିନ୍ତୁ ନୂଆ ଇତିହାସ ରଚିବ। କାରଣ ଦକ୍ଷିଣ ଆଫ୍ରିକାରେ ଆଜି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳ କେବେବି ଓ କୌଣସି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତିନାହିଁ।

ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିନି ଭାରତ
୧୯୯୨-୯୩ର ପ୍ରଥମ ଗସ୍ତରେ ଭାରତ ୨-୫ରେ ଶୃଙ୍ଖଳା ହାରିଥିଲା। ୨୦୦୬-୦୭ରେ ୦-୪ରେ ମୁଳପୋଛ ହୋଇଥିଲା। ୨୦୧୦-୧୧ରେ ଟାଣୁଆ ଟକ୍କର ଦେବା ସତ୍ତ୍ୱେ ୨-୩ରେ ଶୃଙ୍ଖଳା ହାରିଥିଲା। ପୁଣି ୨୦୧୩-୧୪ରେ ୩-୦ରେ ଧୂଳି ଚାଟିଥିଲା। ୧୯୯୨-୯୩ରୁ ଦକ୍ଷିଣ ଆଫ୍ରିକା ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମୋଟ ୨୮ ଦିନିକିଆ ଖେଳିଛି। ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ୨୧ ମ୍ୟାଚ୍‌ ଜିତିଥିଲା ବେଳେ ଭାରତ ଭାଗ୍ୟରେ ମାତ୍ର ୫ ବିଜୟ ଜୁଟିଛି।
ଡର୍ବାନରେ ଦୁଃଖଦ ଚିତ୍ର
ଡର୍ବାନର କିଙ୍ଗ୍ସମେଡ୍‌ ପଡ଼ିଆରେ ଭାରତର ପ୍ରଦର୍ଶନ ସେତେଟା ଭଲ ନାହିଁ। ୨୦୦୩ ବିଶ୍ୱକପ୍‌ ବେଳେ ଅବଶ୍ୟ ଭାରତ ଏହି ପଡ଼ିଆରେ ଇଂଲଣ୍ଡ ଏବଂ କେନିଆକୁ ହରାଇଥିଲା। ହେଲେ ଏଠାରେ କେବେବି ଦକ୍ଷିଣ ଆଫ୍ରିକାକୁ ହରାଇ ନାହିଁ। ଦକ୍ଷିଣ ଆଫ୍ରିକା ଏବଂ ଭାରତ ଏହି ପଡ଼ିଆରେ ୭ଥର ମୁହାଁ ମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ୬ଟିରେ ବିଜୟୀ ହୋଇଥିଲା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳି ନାହିଁ। ମୋଟ ଉପରେ ଭାରତ କିଙ୍ଗ୍ସମେଡରେ ୯ ମ୍ୟାଚ୍‌ ଖେଳି ୨ ବିଜୟ ହାସଲ କରିଛି।
ଶିଖର ଛୁଇଁବା ସୁଯୋଗ
ଦିନିକିଆ ଶୃଙ୍ଖଳାରେ ଭାରତ ପାଖରେ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବାର ସୁଯୋଗ ରହିବ। ୬ ଟିକିଆ ଶୃଙ୍ଖଳାକୁ ଅନ୍ୟୁନ ୪-୨ରେ ଜିତିଲେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ହଟାଇ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଯିବ। ସଂପ୍ରତି ଦକ୍ଷିଣ ଆଫ୍ରିକା ୧୨୦ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ ୧୧୯ ପଏଣ୍ଟ ସହ ଭାରତ ଦ୍ୱିତୀୟରେ ଅଛି। ସେହିଭଳି ଭାରତକୁ ଏହି ଶୃଙ୍ଖଳାରେ ନିଜ ଅପରାଜେୟ ଧାରାକୁ ମଧ୍ୟ ଆଗେଇ ନେବାକୁ ହେବ। କାରଣ ୨୦୧୬ରେ ଅଷ୍ଟ୍ରେଲିଆଠାରୁ ୧-୪ରେ ଶୃଙ୍ଖଳା ହାରିବା ପରଠାରୁ ଭାରତ ଆଉ ଦିନିକିଆ ଶୃଙ୍ଖଳା ହାରିନି। ଭାରତ ଇଥିମଧ୍ୟରେ ଜିମ୍ବାେଓ୍ଵ, ନ୍ୟୁଜିଲାଣ୍ଡ (ଦୁଇଥର), ଇଂଲଣ୍ଡ, େଓ୍ଵଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା (ଦୁଇଥର) ଏବଂ ଅଷ୍ଟ୍ରେଲିଆକୁ ହରାଇଛି। ୩୨ ମ୍ୟାଚ୍‌ ଖେଳି ୨୪ରେ ବିଜୟୀ ହୋଇଛି।
ଚତୁର୍ଥ ସ୍ଥାନ ପାଇଁ ତ୍ରିମୁଖୀ ଲଢ଼େଇ
ମଧ୍ୟକ୍ରମରେ କିଏ ଖେଳିବ ତାହା ହିଁ ଭାରତ ପାଇଁ ଅଧିକ ଚିନ୍ତାର କାରଣ ହେବ। ଅଜିଙ୍କ୍ୟ ରାହାଣେ ଜଣେ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ସିଙ୍ଗଲ ନେଇ ଷ୍ଟ୍ରାଇକ୍‌ ଅଦଳ ବଦଳ କରିବାକୁ ସେ ଅନେକ ସମୟରେ ବିଫଳ ହୁଅନ୍ତି। ଫଳରେ ଭାରତୀୟ କ୍ରିକେଟ୍‌ ଦଳ ତାଙ୍କୁ ସଂରକ୍ଷିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ରଖୁଛି। ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ଏବଂ ବାଉନ୍ସ ପିଚ୍‌ରେ ରାହାଣେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରନ୍ତି। ଚତୁର୍ଥ ସ୍ଥାନ ଲାଗି କିନ୍ତୁ ତାଙ୍କୁ ଶ୍ରେୟସ୍‌ ଆୟର ଓ ମନୀଷ ପାଣ୍ଡେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। କେଦାର ଯାଦବ ଦଳକୁ ଫେରିବେ। ହେଲେ କୋହଲି ଜଣେ ଅତିରିକ୍ତ ଦ୍ରୁତ ବୋଲର ଖେଳାଇବା ଲୋଭରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ପାରନ୍ତି। ସେପଟେ ଏବି ଡି’ଭିଲିୟର୍ସ ପ୍ରଥମ ୩ ଦିନିକିଆରୁ ବାଦ୍‌ ପଡ଼ିବା ପରେ ଦକ୍ଷିଣ ଆଫ୍ରିକା ଏଦେନ ମର୍କରାମଙ୍କୁ ଖେଳାଇପାରେ। ଲୁଙ୍ଗି ଏନଗିଡ଼ି ଗୁରୁବାର ଦିନିକିଆ ଜୀବନ ଅରମ୍ଭ କରି ପାରନ୍ତି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଅଜିଙ୍କ୍ୟ ରାହାଣେ/ଶ୍ରେୟସ୍‌ ଆୟର/ମନୀଷ ପାଣ୍ଡେ, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି, ଭୁବନେଶ୍ୱର କୁମାର,ସାର୍ଦୁଲ ଠାକୁର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁ’ପ୍ଲେସିସ୍‌ (ଅଧିନାୟକ), ହାସିମ ଆମଲା, ଏଦେନ ମର୍କରାମ, ଜେମି ଡୁମିନି, ଡେଭିଡ୍‌ ମିଲର, କ୍ରିସ୍‌ ମୋରିସ୍‌, କାଗିସୋ ରବାଦା, ମନି ମର୍କେଲ, ଲୁଙ୍ଗି ଏନଗିଡ଼ି, ଇମ୍ରାନ ତାହିର, କ୍ୱିଣ୍ଟନ ଡି’ କକ୍‌।

୧୦ହଜାର କ୍ଲବ୍‌ରୁ ୧୦୨ ଦୂରରେ ଧୋନି

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍‌ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ପାଖରେ ୧୦,୦୦୦ ରନ୍‌ କ୍ଲବରେ ସ୍ଥାନ ପାଇବାର ସୁଯୋଗ ରହିବ। ସଂପ୍ରତି ସେ ଏହି ମାଇଲଖୁଣ୍ଟଠାରୁ ମାତ୍ର ୧୦୨ ରନ୍‌ ଦୂରରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଏହା କରି ପାରିଲେ କୁମାର ସାଙ୍ଗାକାରାଙ୍କ ପରେ ଦିନିକିଆରେ ୧୦୦୦୦ ରନ୍‌ ପୂରଣ କରିବାରେ ସେ ବିଶ୍ୱର ଦ୍ୱିତୀୟ ଓ୍ଵିକେଟ୍‌ ରକ୍ଷକ ହେବେ। ଦକ୍ଷିଣ ଆଫ୍ରିକାରେ ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ହେଉଛି ୭୭.୬୧। ସେ ଖେଳିଥିବା ୯ ଦେଶ ଭିତରୁ କେବଳ ଦକ୍ଷିଣ ଆଫ୍ରିକାରେ ସୀମିତ ଓଭର ଶତକ ହାସଲ କରି ନାହାନ୍ତି। ଏଣୁ ଏହି ଶୃଙ୍ଖଳାରେ ତାଙ୍କ ପାଖରେ ଏହି ପରିସଂଖ୍ୟାନକୁ ସୁଧାରିବାର ସୁଯୋଗ ରହିବ। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଓ୍ଵିକେଟ୍‌ ରକ୍ଷକ କ୍ୱିଣ୍ଟନ ଡି’ କକ୍‌ଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଛି। ସେ ଭାରତ ବିପକ୍ଷରେ ଖେଳିଥିବା ପ୍ରତି ୩ ଦିନିକିଆରେ ଗୋଟିଏ ଶତକ ହାସଲ କରିଛନ୍ତି।
ବିଶ୍ୱକପ୍‌ ପ୍ରସ୍ତୁତିର ଆରମ୍ଭ
ପୁନର୍ବାର ଟେଷ୍ଟ୍‌ କ୍ରିକେଟ୍‌ ଖେଳିବା ପୂର୍ବରୁ ଭାରତକୁ ଲମ୍ବା ସୀମିତ ଓଭର ଲଢ଼େଇ ଲଢ଼ିବାର ଅଛି। ଦକ୍ଷିଣ ଆଫ୍ରିକାରେ ୬ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳିବା ପରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାରେ ଏକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏହା ପରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡରେ ତିନିଟି ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ମଝିରେ ଆଇପିଏଲ୍‌ ଏବଂ ତା’ ପରେ ଯାଇ ଅଗଷ୍ଟରେ ଇଂଲଣ୍ଡରେ ପାଞ୍ଚ ଟିକିଆ ଟେଷ୍ଟ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ। ସେଥିପାଇଁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରୁ ଭାରତ ୨୦୧୯ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିବ। ବିଶ୍ୱକପ୍‌ ଆଉ ୧୪ ମାସ ଥିବାରୁ ଆସନ୍ତା ସୀମିତ ଓଭର ଶୃଙ୍ଖଳାଗୁଡ଼ିକରେ ଭାରତ ପାଖରେ ପରୀକ୍ଷା ନୀରିକ୍ଷା କରିବାର ବିକଳ୍ପ ରହିବ। ସୂଚନାଯୋଗ୍ୟଯେ ୨୦୧୯ ୫୦ ଓଭରିଆ ବିଶ୍ୱକପ୍‌ ଇଂଲଣ୍ଡରେ ମେ’ ୩୦ରୁ ଜୁଲାଇ ୧୪ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର