ଆଇପିଏଲ୍ ସହ ଦୀର୍ଘ ସଂପର୍କ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ଆଉ ଏକ ଦଳ ଜିତୁ ବୋଲି ପ୍ରାର୍ଥନା କରୁଥିଲି। ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଳେ ଅଫ୍ ଯିବା ଲାଗି ମୁମ୍ବାଇ ଇଣ୍ଡିଆନ୍ସ ସେଦିନ ପୂର୍ବବିଜେତା କୋଲ୍କାତା ନାଇଟ୍ ରାଇଡର୍ସକୁ ହରାଇବା ଦରକାର ଥିଲା। ଆମେ ସମସ୍ତେ ଏହି ମ୍ୟାଚ୍ ଲାଗି ବେଙ୍ଗାଲୁରୁର ଏକ ହୋଟେଲରେ ଏକାଠି ହୋଇଥିଲୁ। ମୁମ୍ବାଇ ବିଜୟୀ ହେବା ପରେ ଆମେ ବହୁତ ଖୁସି ହୋଇ ଯାଇଥିଲୁ। ସେମାନଙ୍କ ପାଇଁ ଆମେ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫକୁ ଯାଇଥିଲୁ। ଭାଗ୍ୟ ମଧ୍ୟ ଆମ ସହିତ ରହିଥିଲା। ଏବେ ଆମକୁ ନିଜ ଭାଗ୍ୟ ନିଜେ ଲେଖିବାକୁ ପଡ଼ିବ। ଆଇପିଏଲ୍ ପ୍ରାରମ୍ଭରେ ଆମେ ଏହି ପ୍ରତିଯୋଗିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିଥିଲୁ। ପ୍ରଥମ ପର୍ଯ୍ୟାୟରେ ଆମ ଲକ୍ଷ୍ୟ ଥିଲା ପ୍ଲେଅଫକୁ ପ୍ରବେଶ କରିବା। ଆମେ ସେହି ଲକ୍ଷ୍ୟ ହାସଲ କରି ନେଇଛୁ। ଏବେ ଆମ ଲକ୍ଷ୍ୟ ହେଉଛି ପ୍ରତିଯୋଗିତାର ଗଭୀରତମ ସ୍ଥଳରେ ପହଞ୍ଚିବା। ଏକଥା ସତ ଯେ ଆମେ ସ୍ଥିର ପ୍ରଦର୍ଶନ ଦେଇନୁ। ତଥାପି ଆମେ ପ୍ଲେ ଅଫରେ ଭଲ କରିବୁ ବୋଲି ମୋର ପୂର୍ଣ୍ଣ ଆଶା ଓ ବିଶ୍ବାସ ରହିଛି। ଆମେ ପୂର୍ବ ମ୍ୟାଚ୍ଗୁଡ଼ିକରୁ ଅନେକ ଶିକ୍ଷା ଲାଭ କରିଛୁ। ବୁଧବାରର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲା ଉପରେ ଏବେ ଆମର ସବୁ ଧ୍ୟାନ କେନ୍ଦ୍ରିଭୂତ ହୋଇ ରହିଛି। ଦିଲ୍ଲୀ ଏକ ଯୁବ ଏବଂ ଉତ୍ସାହୀ ଦଳ। ସେମାନେ କଣ କରିପାରିବେ ତା’ର ପ୍ରମାଣ ପୂର୍ବରୁ ଦେଇ ସାରିଛନ୍ତି। ହେଲେ ମୁଁ ଭାବୁଛି ସେମାନଙ୍କୁ ପରାସ୍ତ କରିବା ଲାଗି ଆବଶ୍ୟକ ସମ୍ବଳ ଆମ ପାଖରେ ଅଛି। ଏଥିଲାଗି ଆମକୁ ବିନା ଚାପରେ ଖେଳିବାକୁ ହେବ। ବାଦ୍ ପଡ଼ିବାର ଭୟକୁ ଦୂର କରିବାକୁ ପଡ଼ିବ। ଗତ ଦୁଇ ମ୍ୟାଚ୍ରେ ଭଲ ସ୍ଥିତିରେ ଥାଇ ମଧ୍ୟ ଆମେ ବିଜୟ ହାତଛଡ଼ା କରିଥିଲୁ। ଏହି ତ୍ରୁଟିକୁ ସୁଧାରିବା ଲାଗି ଆମେ ପୂରା ବ୍ୟଗ୍ର। ପ୍ରତିଯୋଗିତାର ସାପ୍ରଂତିକ ସ୍ଥିତିରେ ସମସ୍ତେ, ସମସ୍ତଙ୍କ ଦକ୍ଷତା ଓ ଦୁର୍ବଳତାକୁ ଭଲ ଭାବରେ ଜାଣିଛନ୍ତି। ଏଣୁ ପରିଚାଳନା ଗୋଷ୍ଠୀ ପାଇଁ ଯୋଜନା ଏବଂ ରଣକୌଶଳ ପ୍ରସ୍ତୁତ କରିବା ସହଜ ହୋଇ ଗଲାଣି। ହେଲେ ଏହା କୌଣସି କାର୍ଯ୍ୟକୁ ସଫଳତାର ସହ କରିବାର ଅର୍ଧେକ ମାତ୍ର। ଅସଲ କଥା ହେଲା, ଆପଣ ପ୍ରସ୍ତାବିତ ଯୋଜନାର ସଫଳ ରୂପାୟନ କରି ପାରୁଛନ୍ତି କି ନାହିଁ। ଆମ ପାଖରେ ଯେଉଁ ମାନର ଖେଳାଳି ଅଛନ୍ତି, ଯୋଜନାକୁ କାମରେ ରୂପାନ୍ତରିତ କରିବା ନେଇ ବିଶେଷ ଅସୁବିଧା ହେବ ନାହିଁ ବୋଲି ମୋର ଆତ୍ମବିଶ୍ବାସ ରହିଛି। ବିଶାଖାପାଟଣାରେ ଆମ ଅତୀତ ପ୍ରଦର୍ଶନ ମଧ୍ୟ ଢେର ଭଲ ରହିଛି। ଏଠାରେ ଖେଳିଥିବା ପାଞ୍ଚ ମୁକାବିଲାରୁ ଚାରିଟିରେ ଆମେ ବିଜୟ ଲାଭ କରିଛୁ। ଏହା ଧାରାକୁ ଆହୁରି ଲମ୍ବାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ।
ଦିଲ୍ଲୀକୁ ହରାଇବାର ସାମର୍ଥ୍ୟ ଆମ ପାଖରେ ଅଛି
-ଭିଭିଏସ୍ ଲକ୍ଷ୍ମଣ-
/sambad/media/post_attachments/wp-content/uploads/2019/05/VVS-Laxman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)