ଭୁବନେଶ୍ବର: ଅଷ୍ଟ୍ରେଲିଆରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଛି। ୨୩ ତାରିଖରେ ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହି ବିଶ୍ବ ପ୍ରତିଯୋଗିତାକୁ ନେଇ ଢେର ଅଶାବାଦୀ ଅଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା। ଅଞ୍ଜୁମଙ୍କ ମତରେ ଭାରତ ନିଶ୍ଚିତ ଭଲ ଖେଳିବ। କିନ୍ତୁ ବିଶ୍ବକପ୍ ଜିତିବାକୁ ହେଲେ ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲିଙ୍କୁ ଭଲ କରିବାକୁ ପଡ଼ିବ। ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କଠାରୁ ମଧ୍ୟ ଭଲ ସମର୍ଥନ ମିଳିବା ଜରୁରୀ। ଟ୍ବେଣ୍ଟି-୨୦ ଫର୍ମାଟ୍ ଅପ୍ରତ୍ୟାଶିତ ଫଳାଫଳ ଦେଉଥିବାରୁ ପାଣ୍ଡ୍ୟାଙ୍କଠାରୁ ପର୍ଯ୍ୟାପ୍ତ ଅବଦାନର ଆବଶ୍ୟକତା ରହିଛି। ଭାରତ ଏକ ଭଲ ଦଳ, କିନ୍ତୁ ବିଦେଶ ମାଟିରେ ଆଇସିସି ପ୍ରତିଯୋଗିତା ଖେଳୁଥିବା ବେଳେ ଭିନ୍ନ ଆହ୍ବାନ ଆସିଥାଏ। ଜଣେ କ୍ରିକେଟର୍ ଭାବେ ଆମେ ସବୁବେଳେ ଚାହିଁଥାଉ ଭାରତ ସବୁ ଟ୍ରଫି ଜିତୁ। କିନ୍ତୁ ବାସ୍ତବରେ ଏହା ସହଜ ନୁହେଁ। ଅଷ୍ଟ୍ରେଲିଆରେ ନିଶ୍ଚିତ ପ୍ରତିଟି ମ୍ୟାଚ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ। ମୁଁ ବିରାଟ ଓ ରୋହିତଙ୍କର ଜଣେ ବଡ଼ ପ୍ରଶଂସକ। ଏହାର ଅର୍ଥ ନୁହେଁ ମୁଁ ହାର୍ଦିକଙ୍କୁ ଭଲ ପାଏ ନାହିଁ ବୋଲି ଅଞ୍ଜୁମ ଶେଷରେ ପ୍ରକାଶ କରିଥିଲେ।
ଭାରତ ଚଳିତ ବର୍ଷ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା/ମ୍ୟାଚ୍ ଜିତିଛି। ଏସିଆ କପ୍ରେ କିନ୍ତୁ ବିଜେତା ଥାଇ ଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲା। ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଗ୍ରୁପ୍-୨ରେ ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ ଦୁଇ ଦଳ (ବି୧ ଓ ଏ୨) ସହ ସାମିଲ ରହିଛି। ନୂଆ ଅଧିନାୟକ-ପ୍ରଶିକ୍ଷକ ଯୋଡ଼ି ରୋହିତ ଶର୍ମା-ରାହୁଲ ଦ୍ରାବିଡ଼ଙ୍କ ଅଧିନରେ ଭାରତ ଏଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିଛି। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଭାରତ ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଏକ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ୍ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍ ଅଶ୍ବିନ୍, ୟୁଝବେନ୍ଦ୍ର ଚହଲ୍, ଅକ୍ଷର ପଟେଲ୍, ଯଶପ୍ରୀତ୍ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ। ଷ୍ଟାଣ୍ଡବାଇ: ମହମ୍ମଦ ସାମି, ଶ୍ରେୟସ ଆୟର୍, ରବି ବିଷ୍ଣୋଇ, ଦୀପକ ଚହର।
ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଶାହବାଜ, ଆୟର ସାମିଲ!
କୋଭିଡରୁ ମୁକୁଳି ନଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଏହି ଶୃଙ୍ଖଳା ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନ ବେଙ୍ଗଲ ଅଲ୍ରାଉଣ୍ଡର ଶାହବାଜ ଅହମଦଙ୍କୁ ସାମିଲ କରାଯାଇଛି। ଅଲ୍ରାଉଣ୍ଡର୍ ଦୀପକ ହୁଡ଼ା ମଧ୍ୟ ପିଠି ଯନ୍ତ୍ରଣା ଯୋଗୁଁ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ତେଣୁ ଜାତୀୟ ଚୟନ ସମିତି ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସ୍ଥାନ ଦେବାର ସମ୍ଭାବନା ରହିଛି। ବିସିସିଆଇ କିନ୍ତୁ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ।