ମୋହାଲିରେ ଆଜି ଚତୁର୍ଥ ଦିନିକିଆ‌: ଏକାଧିକ ପରିବର୍ତନରେ ଖେଳିବ ଭାରତ

ମୋହ‌ାଲି: ବିଶ୍ବକପ୍‌ ପାଖେଇ ଆସୁଥିବା ବେଳେ ଦିନିକିଆ କ୍ରିକେଟ୍‌ରେ କିଏ ରାଜ କରିବ ସେହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରତି ଦେଶ ପରୀକ୍ଷା ନିରୀକ୍ଷା ସହିତ ଦଳ ଗଠନ ପ୍ରକ୍ରିୟାରେ ବ୍ୟସ୍ତ ଥିବାବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ଗତ ଦୁଇ ମାସ ଧରି ଏକାଧିକ ସୀମିତ ଓଭର ମ୍ୟାଚ୍‌ ଖେଳି ପରସ୍ପରକୁ ପରଖିବାରେ ଲାଗିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ଭାରତ ୪-୧ରେ ଜିତିଥିଲେ ମଧ୍ୟ ଭାରତ ଗସ୍ତରେ ଆଶ୍ଚର୍ଯ୍ୟଜନକ ଭାବେ ଅଷ୍ଟ୍ରେଲିଆ କଡ଼ା ଟକ୍କର ଦେଉଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭ୍ରମଣକାରୀ ଦଳ ଜିତି ସାରିଛି, ଦିନିକିଆରେ ପ୍ରଥମ ୩ ମ୍ୟାଚ୍ ସୁଦ୍ଧା ମଧ୍ୟ ନଛୋଡ଼ବନ୍ଧା ମନୋଭାବରେ ରହିଛି। ପ୍ରତି ଥର ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଶୁକ୍ରବାର ଫିଞ୍ଚ୍‌ଙ୍କ ଦଳ ବିଜୟ ହାସଲ କରିଥିଲା। ପୂର୍ବ ଭାରତ ପରେ ମୁକାବିଲା ଏବେ ଉତ୍ତର ଭାରତରେ ପହଞ୍ଚିଛି। ରବିବାର ମୋହାଲିରେ ଖେଳାଯିବାକୁ ଥିବା ମୁକାବିଲା ନିଶ୍ଚିତ ରୋମାଞ୍ଚକର ପ୍ରତିଶ୍ରୁତି ରଖୁଛି। ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କଲେ ଭାରତକୁ ଚାପରେ ପକାଇବାରେ ସକ୍ଷମ‌ ହେବ ଏବଂ ଶୃଙ୍ଖଳାକୁ ବରାବର ସ୍ତରକୁ ନେଇପାରିବ। ଅନ୍ୟପକ୍ଷରେ ଭାରତକୁ ଏବେ ଶୃଙ୍ଖଳା ବିଜୟ ସହିତ ବିଶ୍ବକପ୍‌ ଲାଗି ରହିଥିବା ଆଉ କିଛି ପରୀକ୍ଷା ନିରୀକ୍ଷାରେ ଶେଷ ସ୍ପର୍ଶ ଦେବାକୁ ପଡ଼ିବ। ସଂରକ୍ଷିତ ଖେଳାଳି ଋଷବ ପନ୍ତ୍‌, ଲୋକେଶ ରାହୁଲ ଚୂଡାନ୍ତ ଏକାଦଶକୁ ଆସିବା ଏକ ପ୍ରକାର ନିଶ୍ଚିତ। ଧୋନିଙ୍କୁ ଶେଷ ଦୁଇ ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ପନ୍ତ୍‌ ୱିକେଟରକ୍ଷଣ କରିବେ। ଫର୍ମକୁ ନେଇ ସଂଘର୍ଷ କରୁଥିବା ଶିଖର ଧାୱନ କିମ୍ବା ଅମ୍ବାତି ରାୟୁଡୁଙ୍କୁ ନିଶ୍ଚିତ ଲୋକେଶ ରାହୁଲଙ୍କ ପାଇଁ ବାଟ ଛାଡ଼ିବାକୁ ପଡ଼ିବ। ଭୁବନେଶ୍ବର କୁମାର ଆସିଲେ ଭାରତ ମହମ୍ମଦ ସାମି କିମ୍ବା ଯଶ୍‌ପ୍ରୀତ୍‌ ବୁମରାଙ୍କୁ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେବ। ଦଳୀୟ ଶିବିର କଥା ଦେଖିଲେ ବିଜୟ ଶଙ୍କର ବିଳମ୍ବରେ ହେଲେ ବି ବିଶ୍ବକପ୍‌ ଦାବିଦାର ପାଲଟି ସାରିଛନ୍ତି। ବିଶେଷ କରି ହାର୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍‌କୁ ନେଇ ପ୍ରଶ୍ନ ଉଠିଥିବାରୁ ବିଜୟ ଶଙ୍କର ଅଗ୍ରଗତି କରିଛନ୍ତି। ତାଙ୍କୁ ଭାରତ ଷଷ୍ଠ ବଦଳରେ ପଞ୍ଚମ ବୋଲର ଭାବେ ବ୍ୟବହାର କରିବା ଏବଂ କଷ୍ଟକର ପରିସ୍ଥିତିରେ ବ୍ୟାଟିଂ ସୁଯୋଗ ଦେଇ ଅଗ୍ନୀ ପରୀକ୍ଷାରେ ଅବତୀର୍ଣ୍ଣ କରାଇଛି। ଅନ୍ୟପକ୍ଷରେ ଆଦାମ ଜାମ୍ପା ଭାରତର ବିଶ୍ବସ୍ତରୀୟ କଚଟି ସ୍ପିନରଙ୍କ ଦୁଳନାରେ ଭଲ ଟର୍ନ ପାଇବା ମଧ୍ୟ ଆଶ୍ଚର୍ଯ୍ୟ ଆଣିଛି। ମଧ୍ୟକ୍ରମ ଓଭରଗୁଡ଼ିରେ ସେ ୱିକେଟ୍ ବାହାର କରିବାରେ ନିର୍ଣ୍ଣାୟକ ହେଉଛନ୍ତି। ୭ ୱିକେଟ୍‌ ସହିତ ସେ କୁଲଦୀପଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ରାଞ୍ଚିରେ ବିଜୟୀ ଅଷ୍ଟ୍ରେଲିଆ ନିଶ୍ଚିତ ଅପରିବର୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଫର୍ମକୁ ଫେରିବା ଭ୍ରମଣକାରୀ ଦଳକୁ ଶୃଙ୍ଖଳା ସମତୁଲ ପାଇଁ ସୁଯୋଗ ଦେଇଛି।

ଭାରତ ସମ୍ଭାବ୍ୟ ୧୧: ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଅମ୍ବାତି ରାୟୁଡୁ, ଋଷବ ପନ୍ତ୍‌ (ୱିକେଟରକ୍ଷକ), କେଦାର ଯାଦବ, ବିଜୟ ଶଙ୍କର, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି/ଯଶପ୍ରୀତ୍ ବୁମରା।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧: ଉସ୍‌ମାନ ଖୱାଜା, ଅରୋନ୍‌ ଫିଞ୍ଚ୍‌ (ଅଧିନାୟକ), ସନ୍ ମାର୍ସ, ପିଟର୍ ହ୍ୟାଣ୍ଡସ୍କମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍‌, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ପ୍ୟାଟ୍ କମିନ୍ସ, ନାଥନ୍ ଲାୟନ୍‌, ଝାଏ ରିଚାର୍ଡସନ୍‌, ଆଦାମ ଜାମ୍ପା।

ପିଚ୍‌ ଓ ପରିବେଶ: ମୋହଲିର ପିସିଏ ଷ୍ଟାଡିୟମ୍‌ରେ ଭଲ ପାଗ ରହିବ ବୋଲି କୁହାଯାଇଛି। କିନ୍ତୁ ଦ୍ବିତୀୟ ପାଳିରେ ନିଶ୍ଚିତ କାକରର ପ୍ରଭାବ ଏହି ମ୍ୟାଚ୍‌ରେ ବଡ଼ ଭୂମିକା ତୁଲାଇବ।

ମଜାଦାର ତଥ୍ୟ: କେନ୍ ୱି‌ଲିୟମସନ, ଷ୍ଟିଭେନ୍ ସ୍ମିଥ୍, ଡେଭିଡ୍ ୱାର୍ନରଙ୍କ ୱିକେଟ୍‌ ନେଇଥିବା‌ କେଦାର ଯାଦବକୁ କିନ୍ତୁ ଆରୋନ୍‌ ଫିଞ୍ଚ୍‌ ଢେର ସମ୍ମାନ ଦେଇ ଖେଳିଛନ୍ତି। ଫଳରେ ତାଙ୍କ ବିପକ୍ଷରେ ଫିଞ୍ଚ୍‌ ୨୧ ବଲରୁ ୩୬ ରନ୍ ସଂଗ୍ରହ କରିଛନ୍ତି। ଗତ ଅକ୍ଟୋବରରେ ୧୦,୦୦୦ ରନ୍ ଟପିଥିବା କୋହଲି ୧୨ ପାଳି ପରେ ଏବେ ୧୦,୮୧୬ ରନ୍‌ ସଂଗ୍ରହ କରି ପ୍ରଭାବ ବିସ୍ତାର କରିଛନ୍ତି।

କୋହଲି କଥା: ‘ଖେଳାଳିମାନେ ଯେଭଳି ଆଉଟ୍ ହେଉଛନ୍ତି, ସୁଯୋଗ ହାତଛଡ଼ା କରୁଛନ୍ତି। ଅଧିକ ବିପର୍ଯ୍ୟୟ ଦେଖି ହେବ ନାହିଁ। ଆମକୁ ଶୁକ୍ରବାର ମିଳିଥିବା ବଡ଼ ବିଜୟ ଲକ୍ଷ୍ୟକୁ ପଶ୍ଚାତଧାବନ କରିବାକୁ ହେ‌ଲେ ମଧ୍ୟକ୍ରମରେ ଛୋଟ ଛୋଟ ଭାଗୀଦାରିକୁ ବଡ଼ ସ୍କୋର୍‌ରେ ପରିଣତ କରିବାକୁ ପଡ଼ିବ’।

ସମ୍ବନ୍ଧିତ ଖବର