ଆଜିର ଦିନରେ ସର୍ବନିମ୍ନ ସ୍କୋର୍‌କୁ ୬୫ ବର୍ଷ ପୂର୍ତ୍ତି

କଟକ: ଟେଷ୍ଟ୍‌ କ୍ରିକେଟରେ ସର୍ବନିମ୍ନ ପାଳି ସ୍କୋର୍‌ (୨୬) ଘଟଣାର ୬୫ ବର୍ଷ ପୂର୍ତ୍ତି ହୋଇଛି। ୧୯୫୫ ମସିହା ଆଜିର ଦିନ (ମାର୍ଚ୍ଚ ୨୮ ତାରିଖ)ରେ ଅକ୍‌ଲାଣ୍ଡରେ ଇଂଲଣ୍ଡଠୁ ନ୍ୟୁଜିଲାଣ୍ଡ ଶୋଚନୀୟ ପରାସ୍ତ ହୋଇଥିଲା। ୬୫ ବର୍ଷ ପରେ ବି ଏହା କ୍ରିକେଟର ସବୁଠୁ କମ୍‌ ସ୍କୋର୍‌ ଭାବେ କୀର୍ତ୍ତିମାନ ବହନ କରୁଛି। କିନ୍ତୁ ଆୟର୍ଲାଣ୍ଡ ଏହି କୀର୍ତ୍ତିମାନକୁ ଭାଙ୍ଗିବାର ନିକଟତର ହୋଇଥିଲା। ଗତବର୍ଷ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଆୟର୍ଲାଣ୍ଡ ୩୮ରନ୍‌ରେ ସୀମିତ ରହିଥିଲା। ତେବେ ୫୦ ବର୍ଷ ଧରି ଏଭଳି ଅଲୋଡ଼ା କୀର୍ତ୍ତିମାନ ବହନ କରୁଥିବା କିଛି ଘଟଣା ଉପରେ ନଜର ପକାଇବା…
ସଂପୂର୍ଣ୍ଣ ପାଳିରେ ଜଣେ ବ୍ୟାଟ୍‌ସମ୍ୟାନ୍‌ଙ୍କ ସର୍ବୋଚ୍ଚ ପ୍ରତିଶତ
କ୍ରିକେଟରେ ଖେଳାଯାଇଥିବା ସର୍ବପ୍ରଥମ ଟେଷ୍ଟ୍‌ ମ୍ୟାଚ (୧୮୭୭) ରେ ଅଷ୍ଟ୍ରେଲିଆ ୨୪୫ ରନ୍‌ କରିଥିଲା ବେଳେ ଚାର୍ଲ୍ସ ବ୍ୟାନ୍ନରମ୍ୟାନ ଏକାକି ୧୬୫* ରନ୍‌ କରିଥିଲେ। ଏହି ପାଳିରେ ସେ ୬୭.୩୪% ରନ୍‌ ଅବଦାନ କରିଥିଲେ। ସେବେଠାରୁ ଏହି ପ୍ରତିଶତ ରନ୍‌ ସଂଗ୍ରହର ନିକଟତର ମାତ୍ର ଜଣେ ହୋଇଛନ୍ତି। ୧୯୯୯ରେ ଏସ୍‌ସିଜିରେ ଖେଳାଯାଇଥିବା ନୂଆ ବର୍ଷ ଟେଷ୍ଟ୍‌ରେ ମାଇକେଲ ସ୍ଲାଟର ୬୬.୮୪% ରନ୍‌ର ଯୋଗଦାନ କରିଥିଲେ। ଦଳର ମୋଟ ୧୮୪ ରନ୍‌ରୁ ସେ ୧୨୩ ରନ୍‌ ସଂଗ୍ରହ କରିଥିଲେ। ଯାହାକି ସର୍ବୋଚ୍ଚ ପ୍ରତିଶତ ରହିଛି।
ଟେଷ୍ଟ ପଦାର୍ପଣରେ ବୟୋଜ୍ୟେଷ୍ଠ
୧୮୭୭ରେ ୪୯ ବର୍ଷ ୧୧୯ ଦିନ ବୟସର ଇଂଲଣ୍ଡର ଜେମ୍ସ ସଦରଟନ୍‌ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ବତ୍ତର୍ମାନ ସୁଦ୍ଧା ସେ ବୟୋ‌େଜ୍ୟଷ୍ଠ ପଦାର୍ପଣକାରୀର କୀର୍ତ୍ତିମାନ ବହନ କରୁଛନ୍ତି। ଏଭଳି ତାଲିକାରେ ଥିବା ୧୫ ଜଣିଆ ଖେଳାଳିଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ଓମାର ହେନ୍‌ରି ଏକମାତ୍ର ଖେଳାଳି ଭାବେ ୧୯୬୦ ମସିହା ପରେ ଖେଳ ଆରମ୍ଭ କରିଥିଲେ। ୧୯୯୨ ମସିହାରେ ତାଙ୍କୁ ୪୦ ବର୍ଷ ୨୯୫ ଦିନ ହୋଇଥିଲା ବେଳେ ଭାରତ ବିପକ୍ଷରେ ପଦାର୍ପଣ ମ୍ୟାଚ୍‌ ଖେଳିଥିଲେ।
ଟେଷ୍ଟ୍‌ ଶୃଙ୍ଖଳାରେ ସର୍ବାଧିକ ରନ୍‌
ଡନ୍‌ ବ୍ରାଡ୍‌ମ୍ୟାନଙ୍କ ଦ୍ବାରା କରାଯାଇଥିବା ଅନେକ କୀର୍ତ୍ତିମାନକୁ ଏପର୍ଯ୍ୟନ୍ତ ଭଙ୍ଗାଯାଇପାରିନାହିଁ। ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ଟେଷ୍ଟ୍‌ ଶୃଙ୍ଖଳାରେ ସର୍ବାଧିକ ରନ୍‌ ସଂଗ୍ରହ। ୧୯୩୦ ମସିହା ଆସେସ୍‌ ଶୃଙ୍ଖଳାରେ ସେ ୯୭୪ ରନ୍‌ କରିଥିଲେ। ଏଥିମଧ୍ୟରେ ୪ ଶତକ ଅନ୍ତର୍ଭୁକ୍ତ ଥିଲା। ୪ ଶତକ ମଧ୍ୟରୁ ତିନିଟି ଦ୍ବିଶତକ ରହିଥିଲା। ଯାହାକି ଏବେ ମଧ୍ୟ କୌଣସି ଶୃଙ୍ଖଳାରେ ଏକ କୀର୍ତ୍ତିମାନ ହୋଇ ରହିଛି। ୫୦ ବର୍ଷ ମଧ୍ୟରେ ମାର୍କ ଟେଲର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଏହି କୀର୍ତ୍ତିମାନର ନିକଟତର ହୋଇପାରିଥିଲେ। ୧୯୮୯ ଆସେସ୍‌ ଶୃଙ୍ଖଳାରେ ସେ ୮୩୯ ରନ୍‌ ସଂଗ୍ରହ କରିଥିଲେ। ଗତ ଦୁଇ ଦଶକ ମଧ୍ୟରେ ଷ୍ଟିଭେନ୍‌ ସ୍ମିଥ ଦୁଇଥର ୭୫୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି।
ଗୋଟିଏ ପାଳି ଓ ମ୍ୟାଚ୍‌ରେ ଶ୍ରେଷ୍ଠ ବୋଲିଂ
୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷ ଓଲ୍‌ଡ ଟ୍ରାଫର୍ଡରେ ଖେଳାଯାଇଥିବା ଟେଷ୍ଟ୍‌ରେ ଜିମ୍‌ ଲାକର ଗୋଟିଏ ପାଳିରେ ୫୩ ରନ୍‌ ଦେଇ ୧୦ ୱିକେଟ ନେଇଥିଲା ବେଳେ ମ୍ୟାଚ୍‌ରେ ୯୦ ରନ୍‌ ବ୍ୟୟ କରି ମୋଟ ୧୯ ୱିକେଟ୍‌ ଦଖଲ କରିଥିଲେ। ଅନୀଲ କୁମ୍ବଲେ ଏକମାତ୍ର ବୋଲର ଭାବେ ଗୋଟିଏ ପାଳିରେ ୧୦ ୱିକେଟ (୭୪ ରନ୍‌ ବ୍ୟୟରେ) ନେଇଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ବୋଲର ଟେଷ୍ଟ୍‌ କିମ୍ବା ପ୍ରଥମ ଶ୍ରେଣୀ କ୍ରିକେଟରେ ଲାକରଙ୍କ ୧୯ ୱିକେଟ୍‌ କୀର୍ତ୍ତିମାନ ଭଙ୍ଗ କରିପାରିନାହାନ୍ତି।
ଲମ୍ବା ଟେଷ୍ଟ ଜୀବନ
ୱିଲଫ୍ରେଡ୍‌ ରେଡ୍‌ସ ତାଙ୍କ ୩୦ ବର୍ଷର ଟେଷ୍ଟ ଜୀବନ (୧୮୯୯ରୁ ୧୯୩୦) ମଧ୍ୟରେ ୫୮ ମ୍ୟାଚ୍‌ ଖେଳିଥିଲେ। ୫୩ ବର୍ଷ ବୟସରେ ସେ ତାଙ୍କର ଶେଷ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ବର୍ତ୍ତମାନ ସମୟରେ ସଚିନ ତେନ୍ଦୁଲକର ଏହି କୀର୍ତ୍ତିମାନର ନିକଟତର ହୋଇଥିଲେ। ସଚିନ ୨୦୧୩ ମସିହାରେ ଅବସର ନେବାବେଳକୁ ୨୪ ବର୍ଷର ଟେଷ୍ଟ କ୍ରିକେଟ୍‌ ଯାତ୍ରା ଶେଷ କରିଥିଲେ।
ପଦାର୍ପଣରେ ସର୍ବାଧିକ ରନ୍‌ ଓ ଶ୍ରେଷ୍ଠ ବୋଲିଂ
ଟେଷ୍ଟ କ୍ରିକେଟରେ ଏଭଳି ଦୁଇଟି କୀର୍ତ୍ତିମାନ ୧୦୦ ବର୍ଷ ତଳେ ସ୍ଥାପନ ହୋଇଥିଲା। ଆଲବର୍ଟ ଟ୍ରଟ ୧୮୯୫ରେ ତାଙ୍କ ପଦାର୍ପଣ ମ୍ୟାଚ୍‌ରେ ୪୩ ରନ୍‌ ଦେଇ ୮ ୱିକେଟ ଅକ୍ତିଆର କରିଥିଲା ବେଳେ ଏହାକୁ ଆଉ କୌଣସି ପଦାର୍ପଣକାରୀ ଟପି ପାରିନାହାନ୍ତି। ତଥାପି ୧୯୭୨ରେ ବବ୍‌ ମାସି ଓ ୧୯୮୮ରେ ନରେନ୍ଦ୍ର ହିରୱାନି ୮ ୱିକେଟ ଲେଖାଏ ନେଇଥିଲେ ବି ଅଧିକ ରନ୍‌ ବ୍ୟୟ କରିଥିଲେ।
ଅନ୍ୟପକ୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ ଟିପ୍‌ ଫଷ୍ଟର୍ସ ୧୯୦୩ରେ ପଦାର୍ପଣ ମ୍ୟାଚ୍‌ରେ ୨୮୭ ରନ୍‌ କରିଥିଲେ। ୨୦୦୩ରେ ଜାକ୍ସ ରୁଡୋଲ୍ଫ ପଦାର୍ପଣ ମ୍ୟାଚ୍‌ରେ ୨୨୨ ରନ୍‌ କରି ଏହାର ନିକଟତର ହୋଇଥିଲେ।
ଟେଷ୍ଟ୍‌ ଶୃଙ୍ଖଳାରେ ସର୍ବାଧକ ୱିକେଟ୍‌
ସିଡ୍‌ନି ବାର୍ନ୍ସ ୧୯୧୩-୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ମୋଟ ୪୯ ୱିକେଟ୍‌ ଦଖଲ କରିଥିଲେ। ଯାହାକି ବର୍ତ୍ତମାନସୁଦ୍ଧା ଟେଷ୍ଟ୍‌ ଶୃଙ୍ଖଳାରେ ସର୍ବାଧିକ ୱିକେଟ୍‌ କୀର୍ତ୍ତିମାନ ବହନ କରୁଛି। ଗତ ୩୦ ବର୍ଷ ମଧ୍ୟରେ ସେନ୍‌ ୱର୍ଣ୍ଣ ଏକମାତ୍ର ଖେଳାଳି ଭାବେ ୪୦ ୱିକେଟ୍‌ ସଂଖ୍ୟା ଛୁଇଁଥିଲେ। ୨୦୦୫ ଆସେସ୍‌ ଶୃଙ୍ଖଳାରେ ସେ ଏହି ସଫଳତା ପାଇଥିଲେ।
ଗୋଟିଏ ଟେଷ୍ଟ୍‌ ଶୃଙ୍ଖଳାରେ ସର୍ବାଧିକ ଶତକ
୧୯୫୫ରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ କ୍ଲାଏଡ ୱାଲକଟ ୫ ଶତକ ଅର୍ଜନ କରିଥିଲେ। ଅନେକ ଖେଳାଳି ଗୋଟିଏ ଶୃଙ୍ଖଳାରେ ୪ ଶତକ ହାସଲ କରିଛନ୍ତି। ନିକଟ ଅତୀତରେ ବିରାଟ କୋହଲି ଓ ‌ଷ୍ଟିଭ୍‌ ସ୍ମିଥ ଏମାନଙ୍କ ମଧ୍ୟରେ ଅଛନ୍ତି। ୱାଲକଟଙ୍କ ସହ ‌ଏହି ଶୃଙ୍ଖଳାର ଗୋଟିଏ ମ୍ୟାଚ୍‌ର ଉଭୟ ପାଳିରେ ଶତକ ଅର୍ଜନ କରିବା ଘଟଣା ଦୁଇଥର ଘଟିଛି। ଯାହାପାଖରେ ଏପର୍ଯ୍ୟନ୍ତ କୌଣସି ଖେଳାଳି ପହଞ୍ଚିପାରିନାହାନ୍ତି।
ଲଗାତାର ଶତକ ଓ ୫ ୱିକେଟ‌୍
୧୯୪୮ରେ ଏଭରଟନ୍‌ ୱିକ୍ସ ଲଗାତାର ୫ ପାଳିରେ ୫ ଶତକ ହାସଲ କରିଥିଲେ। ଏହାକୁ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳି ଭାଙ୍ଗିପାରିନାହାନ୍ତି। ତଥାପି ରାହୁଲ ଦ୍ରାବିଡ଼ ଏକମାତ୍ର ଖେଳାଳି ଭାବେ ଲଗାତାର ୪ ପାଳିରେ ୪ ଶତକ ହାସଲ କରିଥିଲେ।
ସେହିପରି ୧୮୮୮ରେ ଚାର୍ଲି ଟର୍ଣ୍ଣର ଲଗାତର ୬ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିଲେ। ଏହାମଧ୍ୟ ବର୍ତ୍ତମାନସୁଦ୍ଧା ଅତୁଟ ରହିଛି। ଗତ ୫୦ ବର୍ଷ ମଧ୍ୟରେ ମାତ୍ର ଜଣେ ବୋଲର ସେନ୍‌ ସିଲିଙ୍ଗଫର୍ଡ ୨୦୧୩ରେ ଲଗାତାର ୫ ପାଳିରେ ୫ ୱିକେଟ ସଫଳତା ପାଇଛନ୍ତି।
୫ ୱିକେଟ୍‌ ନେବାରେ ସର୍ବକନିଷ୍ଠ ଓ ବୟୋଜ୍ୟେଷ୍ଠ
କିଛି ମାସ ପୂର୍ବରୁ ପାକିସ୍ତାନର ୧୬ ବର୍ଷ ୩୦୭ଦିନ ବୟସର ବୋଲର ନସିମ ଶାହ ଶ୍ରୀଲଙ୍କା ବିପକ୍ଷରେ ୫ ୱିକେଟ ସଫଳତା ପାଇଥିଲେ। ଏହାସତ୍ତ୍ବେ ସେ ସର୍ବକନିଷ୍ଠ ବୋଲର ଭାବେ ଏହି ସଫଳତା ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ତାଙ୍କ ଦେଶର ନସିମ ଉଲ୍‌ ଘନି ୧୯୫୮ ମସିହାରେ ୧୬ ବର୍ଷ ୩୦୩ ଦିନ ବୟସ ହୋଇଥିଲା ବେଳେ ଏହି କୀର୍ତ୍ତିମାନ ନିଜ ନାମରେ କରିଥିଲେ। ୧୯୩୨ରେ ଅଷ୍ଟ୍ରେଲିଆର ବର୍ଟ ଆଇରନ୍‌ମଙ୍ଗର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୮ ରନ୍‌ ଦେଇ ୬ ୱିକେଟ୍‌ ଓ ମ୍ୟାଚ୍‌ରେ ୨୪ ରନ୍‌ ଦେଇ ୧୧ ୱିକେଟ ନେଇଥିଲେ। ସେତେବେଳକୁ ତାଙ୍କୁ ୪୯ ବର୍ଷ ୩୧୧ ଦିନ ବୟସ ହୋଇଥିଲା। ଯାହାକି ତାଙ୍କୁ ବୟୋ‌େଜ୍ୟଷ୍ଠ ବୋଲର ଭାବେ ଟେଷ୍ଟ୍‌ର ଗୋଟିଏ ପାଳିରେ ୫ ୱିକେଟ ସଫଳତା ଓ ସେହି ମ୍ୟାଚ୍‌ରେ ୧୦ ୱିକେଟ ସଫଳତା ପାଇବାର ଅଧିକାରୀ କରାଇପାରିଥିଲା।
ପ୍ରଥମ ବୃହତ୍‌ ଟେଷ୍ଟ ଶତକ ଓ ଲମ୍ବା ପାଳି
୧୯୫୮ରେ ପାକିସ୍ତାନ ବିପକ୍ଷରେ ଗ୍ୟାରି ସୋବର୍ସ ତାଙ୍କର ପ୍ରଥମ ଶତକକୁ ତ୍ରିଶତକରେ ପରିଣତ କରିଥିଲେ ଓ ୩୬୫ ରନ୍‌ରେ ଆଉଟ୍‌ ହୋଇଥିଲେ। ସେବେଠାରୁ ଦୁଇଜଣ ବ୍ୟାଟ୍ସମ୍ୟାନ ପ୍ରଥମ ଶତକକୁ ତ୍ରିଶତକରେ ପରିଣତ କରିଥିଲେ। ୧୯୬୪ରେ ଅଷ୍ଟ୍ରେଲିଆର ବବ୍‌ ସିମ୍ପସନ (୩୧୧) ଓ ୨୦୧୬ରେ ଭାରତର କରୁଣ ନାୟାର (୩୦୩*) ଏହି କୀର୍ତ୍ତିମାନର ନିକଟତର ହୋଇଥିଲେ। କିନ୍ତୁ ସୋବର୍ସ ଏମାନଙ୍କ ମଧ୍ୟରୁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ସୋବର୍ସ ମଧ୍ୟ ସର୍ବ କନିଷ୍ଠ ଖେଳାଳି ଭାବେ ତ୍ରିଶତକ ଅର୍ଜନ କରିଛନ୍ତି। ଏହି ଶୃଙ୍ଖଳାର ଏକ ମ୍ୟାଚ୍‌ରେ ପାକିସ୍ତାନ ଫଲୋଅନ୍‌ ହେବାପରେ ହନିଫ ମହମ୍ମଦ ଦ୍ବିତୀୟ ପାଳିରେ ୯୭୦ ମିନିଟ୍‌ର ମାରାଥନ୍‌ ପାଳି ଖେଳିଥିଲେ। ଏହା ବର୍ତ୍ତମାନସୁଦ୍ଧା ସବୁଠୁ ଲମ୍ବା ପାଳି ଭାବେ କୀର୍ତ୍ତିମାନ ବହନ କରୁଛି। ଏପରିକି ଫଲୋଅନ୍‌ ହେବା ପରେ ବ୍ୟକ୍ତିଗତ ଭାବେ ତ୍ରିଶତକ ଅର୍ଜନ କରିବାରେ ସେ ଏକମାତ୍ର ଖେଳାଳି। ଏଥିସହିତ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଏହି ଶୃଙ୍ଖଳାରେ ଦୁଇଟି ତ୍ରିଶତକ ଅର୍ଜନ ହେବାରେ ଏହା ଏକମାତ୍ର ଘଟଣା।
ଗୋଟିଏ ଟେଷ୍ଟ୍‌ରେ ଦୁଇଥର ହ୍ୟାଟ୍ରିକ
୧୯୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓଲ୍ଡ ଟ୍ରାଫର୍ଡରେ ଅଷ୍ଟ୍ରେଲିଆର ଜିମି ମାଥ୍ୟୁସ୍‌ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଦୁଇଥର ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହାପରଠୁ ବର୍ତ୍ତମାନସୁଦ୍ଧା କୌଣସି ବୋଲର ଏହି ସଫଳତା ପାଇପାରିନାହାନ୍ତି। ମାଥ୍ୟୁସ୍‌ ଏହି ଦୁଇ ହ୍ୟାଟ୍ରିକ ଗୋଟିଏ ଦିନରେ ଉଭୟ ପାଳିରୁ ହାସଲ କରିଥିଲେ।

ସମ୍ବନ୍ଧିତ ଖବର