ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଉରୁଗୁଏ ପକ୍ଷରୁ ସର୍ବାଧିକ ଗୋଲ୍‌ ଦେଇଥିବା ଲୁଇସ୍‌ ସୁଆରେଜ୍‌ ମଧ୍ୟ ମସ୍କୋ ବିଶ୍ୱକପ୍‌ର ଅନ୍ୟତମ ଆକର୍ଷଣ ହେବେ। ୩୧ ବର୍ଷୀୟ ସୁଆରେଜ୍‌ ବାର୍ସିଲୋନା ଦଳ ପକ୍ଷରୁ କ୍ଲବ୍‌ ଫୁଟ୍‌ବଲ୍‌ ଖେଳୁଥିଲା ବେଳେ ନିଜ ନାମରେ ବହୁ କୀର୍ତ୍ତିମାନ କରି ସାରିଛନ୍ତି। ଅଗ୍ରଭାଗରେ ଖେଳୁଥିବା ସୁଆରେଜ୍‌ ୧୬ ପ୍ରମୁଖ ଟ୍ରଫି ଜିତି ସାରିଛନ୍ତି। ସେଥିମଧ୍ୟରେ ରହିଛି ୫ ଲିଗ୍‌ ଟ୍ରଫି, ଗୋଟିଏ ଲେଖାଏଁ ୟୁଫା ଟ୍ରଫି ଓ କୋପା ଆମେରିକା ଟ୍ରଫି। ଘଟଣା ବହୁଳ ଖେଳ ଜୀବନରେ ସୁଆରେଜ୍‌ ୨ ୟୁରୋପୀୟ ସୁନା ଜୋତା ଓ ଗୋଟିଏ ପ୍ରିମିୟର ଲିଗ୍‌ ସୁନା ଜୋତା ମଧ୍ୟ ଜିତିଛନ୍ତି। ବରିଷ୍ଠ ସ୍ତରୀୟ ଫୁଟ୍‌ବଲରେ ସେ ୪୦୦ରୁ ଅଧିକ ଗୋଲ୍‌ ଦେଇଛନ୍ତି। ୨୦୧୦ ବିଶ୍ୱକପ୍‌ରେ ଉରୁଗୁଏର ଚତୁର୍ଥ ସ୍ଥାନ ସଫଳତାରେ ସେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ହେଲେ ଘାନା ବିପକ୍ଷ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଗୋଲ୍‌କୁ ହାତରେ ରୋକି ବିବାଦୀୟ ହୋଇ ଯାଇଥିଲେ। ୨୦୧୧ରେ ସେ ଏକାକି ଉରୁଗୁଏକୁ ତ୍ରୟୋଦଶ ଥର ପାଇଁ କୋପା ଆମେରିକା ବିଜୟୀ କରାଇଥିଲେ। ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ସେ ନିଜ ୪୦ତମ ଅନ୍ତର୍ଜାତୀୟ ଗୋଲ୍‌ ଦେଇଥିଲେ। ଅନେକ ସମୟରେ ବିବାଦ ଘେରକୁ ଆସିଥିବା ସୁଆରେଜ୍‌ ତିନି ଥର ପ୍ରତିପକ୍ଷ ଖେଳାଳିଙ୍କୁ କାମୁଡି ନିନ୍ଦିତ ହୋଇଛନ୍ତି। ସେ ମଧ୍ୟ ଅନେକ ସମୟରେ ପ୍ରତିପକ୍ଷ ଖେଳାଳିଙ୍କୁ ଜାତିଆଣ ମନ୍ତବ୍ୟ ଦେଉଥିବାର ଉଦାହରଣ ରହିଛି। ମସ୍କୋରେ ସେ ଏହି କଳଙ୍କ ଧୋଇବାକୁ ଚେଷ୍ଟା କରିବେ। ସୁଆରେଜ୍‌ ଉରୁଗୁଏ ପକ୍ଷରୁ ୯୭ ମ୍ୟାଚ୍‌ ଖେଳି ୫୦ ଗୋଲ୍‌ ଦେଇଛନ୍ତି। ୧୯୮୭ ମସିହା ଜାନୁଆରି ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସୁଆରେଜ୍‌ ମାତ୍ର ୧୯ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।