ଆଜିର ଅର୍ଜୁନ: ଟାଣୁଆ ଟୋନି

ଯୁବ ବୟସରେ ଜର୍ମାନି ତାରକା ଟୋନି କ୍ରୁସ୍‌ ଅନେକ ସ୍ମରଣୀୟ ସଫଳତା ଲାଭ କରିଛନ୍ତି। ବହୁ କିମ୍ବଦନ୍ତୀ ଫୁଟ୍‌ବଲର ନିଜ ଘଟଣା ବହୁଳ ଖେଳ ଜୀବନରେ ଯାହା କରି ପାରି ନାହାନ୍ତି ଟୋନି ମାତ୍ର ୨୩ ବର୍ଷ ବୟସରେ ସେହି ଅନନ୍ୟ ସଫଳତାକୁ କରାୟତ କରିଛନ୍ତି। ୨୦୧୪ ମସିହାରେ ଜର୍ମାନି ଦଳରେ ସାମିଲ ହୋଇ ସେ ବିଶ୍ୱକପ୍‌ ଜିତିବାର ପରମ ସୌଭାଗ୍ୟ ପାଇଥିଲେ। କେବଳ ବିଶ୍ୱକପ୍‌ ଧରି ନଥିଲେ ବ୍ରାଜିଲ ବିଶ୍ୱକପ୍‌ରେ ସେ ମଧ୍ୟ ଅନ୍ୟତମ ଶ୍ରେଷ୍ଠ ଖେଳାଳିର ମାନ୍ୟତା ଲାଭ କରିଥିଲେ। ମସ୍କୋରେ ମଧ୍ୟ ସେ ସେହି ଧାରାକୁ ଆଗେଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଟୋନି ଏବେ ପୂରା ସୁସ୍ଥ ଥିଲା ବେଳେ ଅନ୍ତର୍ଜାତୀୟ ଏବଂ କ୍ଲବ୍‌ ସ୍ତରୀୟ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଚଳିତବର୍ଷ ମସ୍କୋରେ ପଞ୍ଚମ ଥର ବିଶ୍ୱକପ୍‌ ଜିତି ବ୍ରାଜିଲ ସହ ସମକକ୍ଷ ହେବାର ସୁଯୋଗ ଜର୍ମାନି ପାଖରେ ରହିଛି। କ୍ରୁସ୍‌ ମଧ୍ୟ ବ୍ୟକ୍ତିିଗତ ଭାବେ ଲଗାତାର ଦ୍ୱିତୀୟ ବିଶ୍ୱକପ୍‌ ଜିତିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିବାକୁ ଚେଷ୍ଟା କରିବେ।

ସଂପ୍ରତି ଜର୍ମାନି ମଧ୍ୟଭାଗର ମେରୁଦଣ୍ଡ ପାଲଟିଥିବା କ୍ରୁସ୍‌ ରିଅଲ ମାଦ୍ରିଦ ଏବଂ ଜର୍ମାନି ଜାତୀୟ ଦଳ ପକ୍ଷରୁ ଖେଳନ୍ତି। ମାତ୍ର ୧୭ ବର୍ଷ ବୟସରେ ବେୟର୍ନ ମ୍ୟୁନିକ୍‌ ଦଳରେ ସାମିଲ ହୋଇ ସେ ନିଜ କ୍ଲବ୍‌ ଜୀବନ ଆରମ୍ଭ କରିଥିଲେ। ମ୍ୟୁନିକର ପ୍ରତିନଧିତ୍ୱ କରି ଲଗାତାର ଦୁଇଟି ବୁନ୍ଦେସ୍‌ଲିଗା ଏବଂ ୨୦୧୨ ଓ ୧୩ରେ ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ଜିତିଥିବା କ୍ରୁସ୍‌ ୨୦୧୪ରେ ବିଶ୍ୱକପ୍‌ ଜିତିବା ପରେ ରିଅଲ ମାଦ୍ରିଦରେ ଯୋଗ ଦେଇଥିଲେ। ସେଠାରେ ସେ ତିନିଟି ଚାମ୍ପିଅନ୍ସ ଲିଗ୍‌ ଟ୍ରଫି ହାସଲ କରିଥିଲେ। ସେ ମଧ୍ୟ ଜର୍ମାନିର ପ୍ରଥମ ଏବଂ ଏକମାତ୍ର ଖେଳାଳି ଭାବେ ଚାରିଟି ୟୁସିଏଲ୍‌ ଟ୍ରଫି ଜିତିଛନ୍ତି। ୨୦୦୬ ଯୁବ ୟୁଫା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ୨୦୦୭ ମସିହା ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପର ସୁନା ଜୋତା ଜିତି କ୍ରୁସ୍‌ ଚର୍ଚାକୁ ଆସିଥିଲେ। ୨୦୧୦ରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା କ୍ରୁସ୍‌ ୨୦୧୪ ଫିଫା ବିଶ୍ୱକପ୍‌ର ଅଲଷ୍ଟାର ଏବଂ ଡ୍ରିମ୍‌ ଟିମରେ ସ୍ଥାନ ପାଇଥିଲେ। ସେ ମଧ୍ୟ ସୁନା ଜୋତା ପାଇଁ ପ୍ରସ୍ତୁତ ୧୦ ଜଣିଆ ଚୂଡ଼ାନ୍ତ ମନୋନୟନ ଦଳରେ ଥିଲେ। ପୂର୍ବ ଜର୍ମାନିରେ ଜନ୍ମ ଗ୍ରହଣ କରି ବିଶ୍ୱକପ୍‌ ଜିତିବାରେ କ୍ରୁସ୍‌ ପ୍ରଥମ ଖେଳାଳି ହୋଇଥିଲେ। ୨୦୧୪ ବିଶ୍ୱକପ୍‌ର ବ୍ରାଜିଲ ବିପକ୍ଷ ସେମିଫାଇନାଲରେ ଦୁଇ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେବା ସହ ପର୍ତୁଗାଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସେ ଗୋଟିଏ ଗୋଲ୍‌ ଦେଇଥିଲେ। ସାଥୀ ଖେଳାଳିଙ୍କ ଏକାଧିକ ଗୋଲ୍‌ରେ ମଧ୍ୟ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା। ଅଗ୍ରଭାଗ ଖେଳାଳିଙ୍କୁ ସର୍ବାଧିକ ପାସ୍‌ ଦେଇଥିବାରୁ ବ୍ରାଜିଲ ଖେଳାଳିମାନେ ତାଙ୍କୁ ଗାରକମ ବା େଓ୍ଵଟର ନାଁ ଦେଇଥିଲେ। ୨୦୧୬ ୟୁଫାରେ ବଛା ହୋଇଥିବା ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ଲାଗି କ୍ରୁସ୍‌ ନିର୍ବାଚିତ ହୋଇଥିଲେ। ଜର୍ମାନି ପକ୍ଷରୁ ୮୨ ମ୍ୟାଚ୍‌ ଖେଳି ସେ ୧୨ ଗୋଲ୍‌ ଦେଇଛନ୍ତି। କ୍ରୁସ୍‌ ଜର୍ମାନିର ଗ୍ରିଫ୍ସଓ୍ଵାର୍ଲଡଠାରେ ୧୯୯୦ ମସିହା ଜାନୁଆରି ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବଡ଼ ଭାଇ ଜଣେ କ୍ଲବ୍‌ ସ୍ତରୀୟ ଖେଳାଳି ହୋଇଥିଲା ବେଳେ ପିତା ରୋଲାଣ୍ଡ କ୍ରୁସ୍‌ ହେଉଛନ୍ତି ଜଣେ ପ୍ରଶିକ୍ଷକ। ୨୦୧୫ ଜୁନ୍‌ ୧୩ରେ ସେ ନିଜ ଦୀର୍ଘ ଦିନର ପ୍ରେମିକା ଜେସିକାଙ୍କୁ ବିବାହ କରିଥିଲେ। ୨୦୧୬ ଜୁଲାଇ ୧୬ରେ ତାଙ୍କ ଝିଅ ଆମେଲି ଜନ୍ମଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର