ଆଜିର ଅର୍ଜୁନ: ମହାନ ଦୌଡ଼ରେ ମୁଲାର୍
ମସ୍କୋ: ରୁଷିଆ ବିଶ୍ୱକପ୍ରେ ଯେଉଁ କେତେଜଣ ଖେଳାଳିଙ୍କ ନିକଟରେ ପୂର୍ବରୁ ବିଶ୍ୱକପ୍ ଜିତିବାର ଗୌରବ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜର୍ମାନିର ପ୍ରତିଭାବାନ ଥମାସ୍ ମୁଲାର୍। ୨୮ ବର୍ଷୀୟ ଏହି ଅଗ୍ରଭାଗ ଖେଳାଳି ଏବେ ଜର୍ମାନି ଜାତୀୟ ଦଳ ଏବଂ ନିଜ କ୍ଲବ୍ ବେୟର୍ନ ମ୍ୟୁନିକ୍ର ଉପ ଅଧିନାୟକ ମଧ୍ୟ ରହିଛନ୍ତି। ମୁଲାର ମଧ୍ୟ ମଧ୍ୟକ୍ରମରେ ଖେଳିଥାନ୍ତି ଜଣେ ଆକ୍ରାମକ ପ୍ରତିଭାଭାବେ। ସେଣ୍ଟର୍ ଫରଓ୍ଵାର୍ଡ ଏବଂ ଉଭୟ ଓ୍ଵିଙ୍ଗ୍ରେ ମଧ୍ୟ ଖେଳିବାରେ ସେ ଅଭ୍ୟସ୍ତ। ନିଜ ଅବସ୍ଥିତି, ଦଳୀୟ ମନୋଭାବ, ଷ୍ଟାମିନା ଆଦି ବଳରେ ଗୋଲ୍ ଦେବା ଏବଂ ସୁଯୋଗ ସୃଷ୍ଟି କରିବାରେ ରହିଛି ମୁଲାରଙ୍କ ଦକ୍ଷତା। ୨୦୦୯-୧୦ରେ ଲୁଇସ୍ ଭାନ୍ ଗଲ୍ ଜର୍ମାନି ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଏହି ପ୍ରତିଭାଙ୍କୁ ଚିହ୍ନଟ କରି ଆଣନ୍ତି ଜାତୀୟ ଦଳକୁ। ୨୦୧୨-୧୩ ମସିହାରେ ବେୟର୍ନ ମ୍ୟୁନିକ୍ର ଐତିହାସିକ ତ୍ରିମୁକୁଟ (ଲିଗ୍, କପ୍ ଏବଂ ଚାମ୍ପିଅନ୍ସ ଲିଗ୍) ବିଜୟରେ ମୁଲାର ଥିଲେ ମୁଖ୍ୟ ନାୟକ। ମୋଟ ଉପରେ ସେ ଦେଇଥିଲେ ୨୩ ଗୋଲ୍। ୨୦୧୦ ମସିହାରେ ଜାତୀୟ ଦଳରୁ ଖେଳି ଦକ୍ଷିଣ ଅଫ୍ରିକା ବିଶ୍ୱକପ୍ରେ ୬ ମ୍ୟାଚ୍ରୁ ୫ ଗୋଲ୍ ଦେଇଥିଲେ। ଜର୍ମାନି ହୋଇଥିଲା କାଂସ୍ୟ ବିଜେତା। ମୁଲାର କିନ୍ତୁ ଜିତି ନେଇଥିଲେ ଶ୍ରେଷ୍ଠ ଯୁବ ଖେଳାଳି ସମ୍ମାନ ଏବଂ ଅଗ୍ରଣୀ ଗୋଲ୍ ସ୍କୋରର୍ ଭାବେ ହାସଲ କରିଥିଲେ ସୁନା ଜୋତା। ୨୦୧୪ ମସିହାରେ କିନ୍ତୁ ତାଙ୍କ ପ୍ରଦର୍ଶନ ବଳରେ ହିଁ ଜର୍ମାନି ବିଶ୍ୱ ମୁକୁଟ ଜିତିଥିଲା ଚତୁର୍ଥ ଥର ପାଇଁ। ଏଥର ବି ସେ ଦେଇଥିଲେ ୫ ଗୋଲ୍ ଏବଂ ଜିତିଥିଲେ ରୌପ୍ୟ ବଲ୍ ଓ ରୌପ୍ୟ ଜୋତା ସମ୍ମାନ। ବିଶ୍ୱକପ୍ ଅଲ୍ ଷ୍ଟାର୍ ଏବଂ ଡ୍ରିମ୍ ଟିମ୍ରେ ବି ରହିଥିଲା ମୁଲାରଙ୍କ ନାମ।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଦଳକୁ କିନ୍ତୁ ମୁଲାରଙ୍କ ପ୍ରବେଶ ହୁଏ ବିଭିନ୍ନ ବୟସ ବର୍ଗରୁ। ୧୬ ବର୍ଷରୁ କମ୍ ବର୍ଗଠାରୁ ଆରମ୍ଭ କରି ୨୧ ବର୍ଷରୁ କମ୍ ପର୍ଯ୍ୟନ୍ତ ସେ ଖେଳିଛନ୍ତି ଜର୍ମାନି ପାଇଁ। ଏବେ ଲଗାତାର ତୃତୀୟ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି ଏହି ତାରକା ଖେଳାଳି। ଫୁଟ୍ବଲର୍ ଜଣେ ଅଲରାଉଣ୍ଡର୍ ଭାବେ ଥମାସ୍ ମୁଲାରଙ୍କଠାରୁ ମଧ୍ୟ ଜର୍ମାନି ଏଥର ଆଶା ରଖିବ ଅଧିକ। ଅଭିଜ୍ଞତା ଏବଂ ଦକ୍ଷତାର ଭରପୁର ମିଶ୍ରଣରେ ସେ ମଧ୍ୟ ଚମତ୍କାରିତା ଦେଖାଇବାକୁ ପ୍ରତିଶ୍ରୁତିବଦ୍ଧ। ଦେଶ ପାଇଁ ସେ ଅଦ୍ୟାବଧି ୯୦ ମ୍ୟାଚ୍ ଖେଳି ଦେଇ ସାରିଛନ୍ତି ୩୮ ଗୋଲ୍। ଏଥର ଜର୍ମାନି ସଫଳ ହେଲେ ମୁଲାର ମଧ୍ୟ ଲଗାତାର ୩ ସଂସ୍କରଣରେ ପଦକ ଜିତି ହ୍ୟାଟ୍ରିକ୍ ଗୌରବ ପାଇବେ।