ନୂଆଦିଲ୍ଲୀ: ଶନିବାର ସକାଳେ ଦୁଇ ଏସୀୟ ଦଳ ବାଂଲାଦେଶ ଓ ଆଫଗାନିସ୍ତାନ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବେ। ବିଶ୍ବକପ୍‌ରେ ଯଦିଓ ଦୁଇ ଦଳ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌ ଖେଳୁଛନ୍ତି, କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ବାଂଲାଦେଶ ଆଗରେ ରହିବ। ହେଲେ ଗତ କିଛି ବର୍ଷ ଧରି ଆଫଗାନିସ୍ତାନ ମଧ୍ୟ ବଡ଼ ବଡ଼ ଦଳମାନଙ୍କୁ ଟକ୍କର ଦେଉଥିବାରୁ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳିବ। ବାଂଲାଦେଶ ଦଳରୁ ତମିମ ଇକବାଲ୍‌ଙ୍କୁ ବାଦ୍‌ ଦିଆଯିବା ପରଠୁ ସମସ୍ତଙ୍କ ନଜର ଶେଷ ବିଶ୍ବକପ୍‌ ଖେଳୁଥିବା ସାକିବ୍‌ ଅଲ୍‌ ହାସନଙ୍କ ଉପରେ ରହିବ। ସାକିବ୍‌ଙ୍କ ବ୍ୟତୀତ ଦ୍ରୁତ ବୋଲର ମୁସ୍ତାଫିଜୁର ‌ରେହମାନ୍‌, ୱିକେଟକିପର ମୁସ୍ତାଫିକର ରହିମ, ଲିଟନ୍‌ ଦାସ, ମହମୁଦୁଲ୍ଲାଙ୍କ ପାଖରେ ଅଭିଜ୍ଞତା ରହିଥିବା ବେଳେ ନଜମୁଲ ସାଣ୍ଟୋ ବାଂଲାଦେଶର ସର୍ବାଧିକ ରନ୍‌ ସଂଗ୍ରହକାରୀ (୬୯୮) ଭାବେ ଲୟରେ ଅଛନ୍ତି। ତମିମଙ୍କ ବଦଳରେ ଲିଟନ୍‌ଙ୍କୁ ପାଳି ଆରମ୍ଭ କରିବାକୁ ଦାୟିତ୍ବ ମିଳିପାରେ।

Advertisment

ସେହିପରି ତସ୍କିନ୍‌ ଅହମଦ, ସୋରିଫୁଲ ଇସଲାମ, ତୋହିଦ ହୃଦୟ ଦଳକୁ ସନ୍ତୁଳନ‌ ଦେଉଛନ୍ତି। ତେବେ ବାଂଲାଦେଶର ମୁଖ୍ୟ ଅସ୍ତ୍ର ହେଉଛି ସ୍ପିନ ବୋଲିଂ। ସାକିବ୍‌ଙ୍କ ସହ ମେହିଦି ମିରାଜ, ମେହିଦି ହାସନ ଓ ନସୁମ ଅହମଦ ଭାରତୀୟ ପିଚ୍‌ରେ ୱିକେଟ୍‌ ପାଇବା ସମ୍ଭବ ହେବ। ଅପରପକ୍ଷେ ୨୦୧୯ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନକୁ ଅସୁବିଧାରେ ପକାଇଥିବା ଆଫଗାନିସ୍ତାନ ପୁଣି ଥରେ ଚଳିତ ବିଶ୍ବକପ୍‌ରେ ପଦଚିହ୍ନ ଛାଡ଼ିବାକୁ ଚାହିଁବ। ହାସମୁତୁଲ୍ଲା ସାହିଦିଙ୍କ ନେତୃତ୍ବାଧିନ ଏହି ଦଳ ମହମ୍ମଦ ନବି, ରସିଦ ଖାନ୍‌, ମୁଜିବ ଉର୍‌ ରେହମାନ, ନୂର ଅହମଦଙ୍କୁ ନେଇ ସ୍ପିନ ବୋଲିଂରେ ବିଶ୍ବରେ ଆଗରେ ରହିବ। ଏହାଛଡ଼ା ଦଳର ଭଲ ବ୍ୟାଟିଂ କ୍ରମ ରହିଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ଚିନ୍ତାର କାରଣ ରହିଛି।

ପ୍ରମୁଖ ଖେଳାଳିଙ୍କ ବିନା ପଡ଼ିଆକୁ ଓହ୍ଲାଇବେ ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା
କିଛି ପ୍ରମୁଖ ଖେଳାଳିଙ୍କ ବିନା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିଶ୍ବକପ୍‌ରେ ଶନିବାର ଅଭିଯାନ ଆରମ୍ଭ କର‌ିବେ। ଗତ କିଛି ଦିନ ଧରି ଦୁଇ ଦଳ ଆଘାତ ଜନିଜ ସମସ୍ୟା ଦେଇ ଗତି କରୁଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନରିକ୍‌ ନର୍ଖିୟା ଓ ସିସାନ୍ଦା ମଗଲା ଏହି ବିଶ୍ବକପ୍‌ରେ ଖେଳୁନାହାନ୍ତି। ଏମାନଙ୍କ ଅନୁପସ୍ଥିତିରେ କାଗି ସୋ ରବାଦା ଓ ଯୁବ ଖେଳାଳି ଗେରାଲ୍ଡ କୋଏତଜିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ। ସ୍ପିନର କେଶବ ମହାରାଜ ଓ ତାବ୍ରାଇଜ୍‌ ସାମ୍‌ସି ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା ବେଳେ ଭାରତୀୟ ସ୍ଥିତି ଆହୁରି ଉନ୍ନତ ଖେଳ ଦେଖାଇବାକୁ ଦାୟିତ୍ବ ରହିବ। ଡେଭିଡ୍‌ ମିଲର ଓ ଅଧିନାୟକ ତେମ୍ବା ବଭୁମା ଏବେ ଭଲ ଲୟରେ ଅଛନ୍ତି। ଉଭୟଙ୍କ ସହ ୱିକେଟକିପର ବ୍ୟାଟର କ୍ବିଣ୍ଟନ ଡି’କକ୍‌ ଶୀର୍ଷ କ୍ରମକୁ ଶକ୍ତି ଯୋଗାଇବେ। ତେବେ ହେନରିକ କ୍ଲାସେଁ ମଧ୍ୟକ୍ରମରେ ଦଳ ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି। ଅନ୍ୟପକ୍ଷରେ ପ୍ରମୁଖ ବୋଲରଙ୍କ ଅନୁପସ୍ଥିତିରେ ମହେଶ ତୀକ୍ଷଣା ଓ ବାମହାତୀ ସ୍ପିନର ଦୁନିଥ ୱେଲା‌ଲଗେଙ୍କ ଉପରେ ଶ୍ରୀଲଙ୍କା ନିର୍ଭର କରିବ। ଲାହିରୁ କୁମାରା, ଦିଲଦାସ ମଧୁଶଙ୍କା, ମଥୀସା ପଥିରଣା ଓ କାସୁନ ରଜିଥାଙ୍କ ଉପରେ ଦ୍ରୁତ ବୋଲିଂ ଦାୟିତ୍ବ ରହିବ। ତେବେ ଦିମୁଥ କରୁଣାରତ୍ନେ, କୁସାଲ ପେରେରା, ପଥୁମ ନିଶଙ୍କା, ସଦିରା ସମରବିକ୍ରମାଙ୍କୁ ନେଇ ସ୍ବଭାବିକ ବ୍ୟାଟିଂକ୍ରମ ରହିଥିଲା ବେଳେ କୁସାଲ ମେଣ୍ଡିସ୍‌ ବ୍ୟାଟିଂ ଗଭୀରତା ପ୍ରଦାନ କରୁଛନ୍ତି। ଏସବୁ ସତ୍ତ୍ବେ ପଥୁମ ନିଶଙ୍କା ଓ ଅଧିନାୟକ ଦସୁନ ଶଣକାଙ୍କୁ ନେଇ ପ୍ରାରମ୍ଭିକ ବ୍ୟାଟିଂ ଏବେବି ଚିନ୍ତାଜନକ ରହିଛି। ତଥାପି ଦଳଗତ ପ୍ରଦର୍ଶନ ଭିତରେ ଦଳ ବିଶ୍ବକପ୍‌ ଜିତିବାକୁ ଚାହୁଁଥିବା ଶଣକା କହିଛନ୍ତି।