ଆଜି ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ଫାଇନାଲ

କାଂସ୍ୟ ମୁକାବିଲାରେ ଭାରତ-ଜର୍ମାନି

ଭୁବନେଶ୍ୱର: ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଏହି ମହା ମୁକାବିଲା ରବିବାର ରାତିରେ ଖେଳାଯିବ। ଶୁକ୍ରବାର ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ଆୟୋଜକ ଭାରତକୁ ୧-୦ ଗୋଲ୍‌ରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା।
ଶନିବାର ରାଏପୁରରେ ଆୟୋଜିତ ଦ୍ୱିତୀୟ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆ ଏକତରଫା ଭାବେ ୟୁରୋପୀୟ ଦଳ ତଥା ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନିକୁ ୩-୦ ଗୋଲ୍‌ରେ ପରାସ୍ତ କରି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ମେଗା ଫାଇନାଲରେ ଏହି ଦୁଇ ଦଳ ମୁହାଁ ମୁହିଁ ହେବେ। ତା’ ସହ ହକି ବିଶ୍ୱ ଲିଗ୍‌ରେ ନୂଆ ଇତିହାସ ଲେଖାହେବ। ଅଷ୍ଟ୍ରେଲିଆ ବିଜୟୀ ହେଲେ ଏକମାତ୍ର ଦଳ ଭାବେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଦୁଇ ଥର ବିଜେତା ହେବାର ଗୌରବ ଅର୍ଜନ କରିବ। ଆର୍ଜେଣ୍ଟିନା ଜିତିଲେ ପ୍ରଥମ ଥର ପାଇଁ ହକି ବିଶ୍ୱ ଲିଗ୍‌ ମୁକୁଟ ପିନ୍ଧିବାର ସମ୍ମାନ ଲାଭ କରିବ। ହକି ବିଶ୍ୱ ଲିଗ୍‌ ଚଳିତ ବର୍ଷ ପରେ ବନ୍ଦ ହୋଇ ଯିବାକୁ ଥିବାରୁ ଉଭୟ ଦେଶର କୀର୍ତ୍ତିମାନ ଭାଙ୍ଗିବା ଲାଗି ଅନ୍ୟ କୌଣସି ଦେଶକୁ ସୁଯୋଗ ମିଳିବନି। ନୂଆଦିଲ୍ଲୀରେ ଆୟୋଜିତ ହକି ବିଶ୍ୱ ଲିଗର ପ୍ରଥମ ସଂସ୍କରଣରେ ନେଦରଲାଣ୍ଡ ବିଜୟୀ ହୋଇଥିଲା। ଅନ୍ୟ ପକ୍ଷରେ ରାୟପୁରରେ ଖେଳା ଯାଇଥିବା ଦ୍ୱିତୀୟ ସଂସ୍କରଣରେ ଅଷ୍ଟ୍ରେଲିଆ ବାଜି ମାରି ନେଇଥିଲା।

ଶନିବାର ରାତିରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ-ଜର୍ମାନି ମ୍ୟାଚ୍‌ ଆରମ୍ଭରୁ ଅଷ୍ଟ୍ରେଲିଆ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ଜର୍ମାନି ଅବଶ୍ୟ ୪୧ ମିନିଟ୍‌ ପର୍ଯ୍ୟନ୍ତ ଏହି ଦଳର ଆକ୍ରମଣକୁ ପ୍ରତିହତ କରି ପାରିଥିଲା। ତେବେ ୪୨ ମିନିଟ୍‌ରେ ଡାଏଲନ ଉଦରସ୍ପୁନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ୍‌ ବଳରେ କଙ୍ଗାରୁ ଦଳକୁ ଆଗୁଆ କରି ଦେଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ଆଉ ପଛକୁ ଫେରି ଚାହିଁ ନଥିଲା। ୬ ମିନିଟରେ ଜେରମି ହେଓ୍ଵାର୍ଡ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତର କରି ସ୍ଥିତି ୨-୦ କରି ନେଇଥିଲେ। ସେହିଭଳି ଶେଷ ମିନିଟରେ ଟମ୍‌ ଓ୍ଵିକାମ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଅଷ୍ଟ୍ରେଲିଆକୁ ୩-୦ ବିଜୟ ଊପହାର ଦେଇଥିଲେ। ଅଷ୍ଟ୍ରେଲିଆର ୧୯ ବର୍ଷୀୟ ଖେଳାଳି ସାର୍ପ ଲାଚଲନ ମ୍ୟାଚର ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଜର୍ମାନିର ୫ ନମ୍ବର ଖେଳାଳି ଫିଲିପ ହୁବର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଅନ୍ଧବିଶ୍ୱାସୀ ବେଲ୍‌ଜିୟମ୍‌

ଶୁକ୍ରବାର ରାତି ଅଧରେ ବେଲଜିୟମ ଦଳର କିଛି ଖେଳାଳି ସେମାନେ ରହୁଥିବା ହୋଟେଲ ସ୍ୟାଣ୍ଡି’ସ୍‌ ଟାଓ୍ଵାରରୁ ବାହାରି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ସହ କଳିଙ୍ଗ ଷ୍ଟାଡିୟମରେ ଧଶେଇ ପଶିଥିଲେ। ଷ୍ଟାଡିୟମରେ ବୁଲାବୁଲି ମଧ୍ୟ କରିଥିଲେ। ବେଲଜିୟମ୍‌ ଦଳର ଏଭଳି ଆଚରଣ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀଙ୍କୁ ଚିନ୍ତାରେ ପକାଇଥିଲା। ହୋଟେଲର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ନଜଣାଇ ଖେଳାଳିମାନେ ସଂଘବଦ୍ଧ ଭାବେ ବାହାରକୁ ଆସି ନିଜ ଦାୟିତ୍ୱ ହୀନତାର ପରିଚୟ ଦେଇଥିଲେ। ପ୍ରତିଯୋଗିତା ଖେଳା ଯାଉଥିବା ଷ୍ଟାଡିୟମକୁ ଅଧରାତିରେ ଗଲେ ପରଦିନ ଖେଳିବାକୁ ଥିବା ମ୍ୟାଚ୍‌ ଜିତିବାର ସମ୍ଭାବନା ଅଧିକ ଥିଲା ଭଳି ଅନ୍ଧବିଶ୍ୱାସ ପାଇଁ ବେଲଜିୟମ ଖେଳାଳି ଏପରି ଅଶୋଭନୀୟ କାର୍ଯ୍ୟ କରିଥିଲେ ବୋଲି ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ହେଲେ ଶନିବାର ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ ପରେ ବେଲଜିୟମ ଦଳର ଅଧିନାୟକ ଥୋମାସ ବ୍ରିଏଲ୍ସ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନଜଣାଇ ବାହାରକୁ ଆସିବା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ସେ ସ୍ୱୀକାର କରିଥିଲେ। ହେଲେ ଷ୍ଟାଡିୟମ୍‌ ଭିତରେ ପଶି ଉତ୍ପାତ କରିଥିବା ଖବରକୁ ସେ ଅସ୍ୱୀକାର କରିଥିଲେ। ହୋଟେଲ ସୁରକ୍ଷାକର୍ମୀଙ୍କୁ ନଜଣାଇ ବାହାରକୁ ଆସିବା ଠିକ୍‌ ନଥିଲା। ହେଲେ ଅନ୍ୟ ସମସ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଆମେ କେବଳ ଭୁବନେଶ୍ୱର ସହର ବୁଲି ଦେଖିବାକୁ ଚାହୁଁଥିଲୁ। ପ୍ରଶଂସକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲୁ। କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ପ୍ରବେଶ ପଥ ଦେଇ ଭିତରକୁ ପଶିଥିଲୁ। ହେଲେ କାହାର କ୍ଷତି କରି ନଥିଲୁ ବୋଲି ସେ କହିଥିଲେ। ପ୍ରତିଯୋଗିତାରେ ବେଲଜିୟମର ପ୍ରଦର୍ଶନ ନେଇ ଖୁସି ଥିଲେ ମଧ୍ୟ ଆମେ ଆହୁରି ଭଲ କରି ପାରି ଥାଆନ୍ତୁ ବୋଲି ବ୍ରିଏଲ୍ସ କହିଥିଲେ। ଭାରତ ବିପକ୍ଷ ପରାଜୟକୁ ସଡନଡେଥରେ ହାରିବା କଷ୍ଟଦାୟକ ଥିଲା ବୋଲି ସେ କହିଥିଲେ। ତାଙ୍କ ଦଳ ଅନ୍ଧବିଶ୍ୱାସ ପାଇଁ ରାତିଅଧରେ ଷ୍ଟାଡିୟମ୍‌ରେ ପଶିଥିବାକୁ ସେ ହସରେ ଉଡ଼ାଇ ଦେଇଥିଲେ। ତେବେ ଶନିବାର ମ୍ୟାଚ୍‌ରେ ସ୍ପେନକୁ ବେଲଜିୟମ୍‌ ହରାଇବା ସାଧାରଣରେ ଏହି ଭାବନାକୁ ଆହୁରି ପକ୍କା କରି ଦେଇଥିଲା। ସେହିଭଳି ରାତି ଅଧରେ କେଉଁ ପ୍ରଶଂସକ ନିକଟତର ହେବାକୁ ସେମାନେ ହୋଟେଲ ବାହାରକୁ ଆସିଥିବା ପ୍ରଶ୍ନର ବ୍ରିଏଲ୍ସ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ସେହିଭଳି ସେମିଫାଇନାଲ୍‌ ଜିତି ବିଜେତା ହେବେ ବୋଲି ସେ କରିଥିବା ଆକଳନ ବି ଭୁଲ ପ୍ରମାଣିତ ହୋଇଥିଲା।

କ୍ରିକେଟ୍‌ ତାରକାଙ୍କ ହକି ପ୍ରେମ ଦର୍ଶକ ଗ୍ୟାଲେରିରେ ବ୍ରିଜେଶ

ଶନିବାର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସାର ପଶ୍ଚିମ ଷ୍ଟାଣ୍ଡରେ ଥିବା ଭିଆଇପି ଏନ୍‌କ୍ଲୋଜରରେ କର୍ଣ୍ଣାଟକ କ୍ରିକେଟ୍‌ ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର ବ୍ରିଜେଶ ପଟେଲଙ୍କୁ ଦେଖିବାକୁ ମିଳିଥିଲା। ହକି ଇଣ୍ଡିଆର ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ସେ ଭୁବନେଶ୍ୱର ଆସି ବେଲଜିୟମ-ସ୍ପେନ୍‌ ଏବଂ ଅଷ୍ଟ୍ରେଲିଆ-ଜର୍ମାନି ମ୍ୟାଚ୍‌ର ମଜା ନେଇଥିଲେ। ପୂର୍ବରୁ କ୍ରିକେଟ୍‌ ଖେଳିବା ପାଇଁ ଏକାଧିକ ବାର ଓଡ଼ିଶା ଆସିଥିବା ବ୍ରିଜେଶ ଏଥର ହକି ପାଇଁ ଏଠାକୁ ଆସି ବେଶ୍‌ ଆନନ୍ଦିତ ଥିଲେ। ଜଣେ କ୍ରିକେଟର ହୋଇଥିଲେ ମଧ୍ୟ ହକିକୁ ମୁଁ ପିଲାବେଳୁ ଅନୁସରଣ କରୁଛି। କର୍ଣ୍ଣାଟକ କ୍ରୀଡ଼ା ସହ ଦୀର୍ଘ ଦିନ ହେବ ଜଡ଼ିତ ଥିବାରୁ ସାଂପ୍ରତିକ ଭାରତୀୟ ଦଳରରେ ଥିବା ଏସ୍‌ ଭି ସୁନୀଲ, ଏସକେ ଉଥାପ୍ପା ମୋର ପସନ୍ଦର ଖେଳାଳି। ମନପ୍ରୀତ ସିଂହ ବି ଭଲ ଖେଳୁଛନ୍ତି। ସ୍ଥାନୀୟ ଖେଳାଳି ଦୀପାସନ୍‌ ତିର୍କି, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କ ଖେଳ ମୋତେ ବେଶ୍‌ ପ୍ରଭାବିତ କରିଛି। ଶୁକ୍ରବାର ବର୍ଷା ପାଇଁ ଭାରତ ଟିକିଏ ଭଲ ଖେଳି ପାରିଲାନି। ରବିବାର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ଭାରତ ନିଶ୍ଚିତ ଭଲ କରିବ ବୋଲି ବ୍ରିଜେସ୍‌ କହିଛନ୍ତି। ରବିବାର ତୃତୀୟ-ଚତୁର୍ଥ ସ୍ଥାନ ପାଇଁ ହେବାକୁ ଥିବା ମ୍ୟାଚ୍‌ରେ ଉପସ୍ଥିତ ରହି ଭାରତୀୟ ଦଳକୁ ଉତ୍ସାହିତ କରିବେ ବୋଲି ସେ କହିଥିଲେ। ବ୍ରିଜେଶଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଦର୍ଶକ ଗ୍ୟାଲେରିରେ ବସି ମ୍ୟାଚ୍‌ର ମଜା ନେଇଥିଲେ। ସୂଚନା ଯୋଗ୍ୟ ଯେ ୬୫ ବର୍ଷୀୟ ବ୍ରିଜେସ୍‌ ଭାରତ ପକ୍ଷରୁ ୨୧ ଟେଷ୍ଟ, ୧୦ ଦିନିକିଆ ଖେଳିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରରେ ସେ ୩୭ ଶତକ ସହ ୧୧,୦୦୦ରୁ ଅଧିକ ରନ୍‌ କରିଛନ୍ତି। ନିଜ ସମୟରେ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ଥିବା ବ୍ରିଜେଶ କ୍ରିକେଟରୁ ସନ୍ୟାସ ନେବା ପରେ ୧୯୯୯ର ୁ ୨୦୧୦ ପର୍ଯ୍ୟନ୍ତ କର୍ଣ୍ଣାଟକ କ୍ରିକେଟ୍‌ ସଂଘର ସଂପାଦକ ଥିଲେ। କ୍ରିକେଟ୍‌ ସଳ କର୍ଣ୍ଣାଟକ ହକି ସହ ମଧ୍ୟ ସେ ଢେର ବର୍ଷ ଧରି ଜଡ଼ିତ ଥିଲେ। ସେ ବି ଭାରତୀୟ କ୍ରିକେଟ୍‌ ଦଳର ମୁ୍‌ଖ୍ୟ ଚୟନକର୍ତା ଥିଲେ।

ସମ୍ବନ୍ଧିତ ଖବର