ଆଜିଠୁ ଅଷ୍ଟ୍ରେଲିଆ-ଭାରତ ଦିନିକିଆ ଶୃଙ୍ଖଳା: ବିଶ୍ବକପ୍‌ ବର୍ଷର ପ୍ରଥମ ପରୀକ୍ଷା

ସିଡ୍‌ନି: ଖରାପ ସମୟ ଦେଇ ଗତି କରୁଥିବା ଅସନ୍ତୁଳିତ ଅଷ୍ଟ୍ରେଲିଆ ଦଳ ଏବଂ ସନ୍ତୁଳିତ ଭାରତ ମଧ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା। ବିଶେଷକରି ବିଶ୍ବକପ୍‌ ବର୍ଷରେ ଉଭୟ ଦଳ ପାଇଁ ସିଡ୍‌ନିରେ ଶନିବାର ପ୍ରଥମ ପରୀକ୍ଷା ହେବ। ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଉଭୟ ଦଳ ଏହି ଶୃଙ୍ଖଳାକୁ ଗୁରୁତ୍ବ ଦେବେ। ଶୃଙ୍ଖଳା ଜିତି ମନୋବଳ ମଧ୍ୟ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ। ତେବେ ଭାରତର ଲମ୍ବା ଗସ୍ତସୂଚୀ ମଧ୍ୟରେ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍‌ ହାରିବାରୁ ବର୍ତିଯାଇଥିଲା। ସେହିପରି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୨ରେ ହାରିଯାଇଥିଲା ବେଳେ ଶେଷ ଟେଷ୍ଟ୍‌ରେ ମଧ୍ୟ ବର୍ଷା ଭାରତଠୁ ବିଜୟ ଛଡ଼ାଇ ନେଇଥିଲା। ତଥାପି ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଉତ୍ସବ ପାଳନର ୪ ଦିନ ପରେ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ଉଭୟ ଦଳ ମଧ୍ୟ ନୂଆ ରୂପରେ କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌କୁ ଭୁଲି ସୀମିତ ଓଭର ଫର୍ମାଟ୍‌ ଉପରେ ଦୃଷ୍ଟିନିବଦ୍ଧ କରିସାରିଛନ୍ତି। ୨୦୧୭ ଜାନୁଆରି ପରଠୁ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ୨୪ ଦିନିକିଆ ମ୍ୟାଚ୍‌ ଖେଳି ଜିତିଛି ମାତ୍ର ୩। ପୁଣି ଦକ୍ଷିଣ ଆଫ୍ରିକାରେ ବଲ୍‌ ବିକୃତି ପ୍ରସଙ୍ଗ ପରଠୁ ଅଷ୍ଟ୍ରେଲିଆ କୌଣସି ଗୋଟିଏ ହେଲେ ଶୃଙ୍ଖଳା ଜିତିବାରେ ସମର୍ଥ ହୋଇନି। ଫଳରେ ଚଳିତ ବର୍ଷ ଇଂଲଣ୍ଡ୍‌ରେ ଆୟୋଜିତ ବିଶ୍ବକପ୍‌ ପୂର୍ବରୁ ଏହି ଦଳକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଛି। ଦିନିକିଆ ଶୃଙ୍ଖଳାରେ କିନ୍ତୁ ଉଭୟ ଦଳର ପ୍ରଥମ ତିନି ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅଧିନାୟକ ଆରୋନ୍‌ ଫିଞ୍ଚ୍‌, ଆଲେକ୍ସ କୋରେ ଓ ଉସ୍‌ମାନ ଖୱାଜା ଘରୋଇ ଅଷ୍ଟ୍ରେଲିଆର ଏବଂ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନ୍‌ ଭାରତୀୟ ଦଳର ତ୍ରାଣକର୍ତା ସାଜିବେ। ନିଜ ନିଜ ଦଳର ବିଜୟ ବିଶେଷକରି ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଘରୋଇ ଦଳର ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଏବଂ ଭ୍ରମଣକାରୀ ଦଳର ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଅଷ୍ଟ୍ରେଲିଆରେ ରୋହିତଙ୍କ ନାମରେ ସର୍ବାଧିକ ସ୍କୋର୍‌
ଅଷ୍ଟ୍ରେଲିଆରେ ଉଭୟ ଦଳ ମଧ୍ୟରେ ଦିନିକିଆ ମୁକାବିଲାରେ ଭାରତର ରୋହିତ ଶର୍ମା ବ୍ୟାଟିଂରେ ବହୁ ଆଗରେ ରହିଛନ୍ତି। ଉଭୟ ଦଳ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାର କୀର୍ତିମାନ ରୋହିତଙ୍କ ନାମରେ ରହିଛି। ୨୦୧୫ ମେଲ୍‌ବର୍ନ ଦିନିକିଆରେ ୧୩୮ ରନ୍‌ କରିଥିବା ରୋହିତ ଗତ ୨୦୧୬ ପର୍ଥ ଦିନିକିଆରେ ଅପରାଜିତ ୧୭୧ ରନ୍‌ କରିଥିଲେ। ଯାହାକି କଙ୍ଗାରୁ ମା‌ଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ରହିଛି। ଅନ୍ୟତମ ଭାରତୀୟ ଭାବେ ଯୁବରାଜ ସିଂହ (୨୦୦୪ ସିଡ୍‌ନି ଦିନିକିଆ)ଙ୍କ ୧୩୯ ମଧ୍ୟ ଶୀର୍ଷ-୫ ସର୍ବାଧିକ ସ୍କୋର୍‌ ତାଲିକାରେ ସାମିଲ ଅଛି। ସେହିପରି ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ (୨୦୧୬ ପର୍ଥ ଦିନିକିଆ)ଙ୍କ ୧୪୯ ଓ ମାଥ୍ୟୁ ହେଡେନ୍‌ (୨୦୦୪ ସିଡ୍‌ନି ଦିନିକିଆ)ଙ୍କ ୧୨୬ ସର୍ବାଧିକ ସ୍କୋର୍‌ ତାଲିକାରେ ରହିଛି। ହେଲେ ହେଡେନ୍‌ ସକ୍ରିୟ ନଥିଲା ବେଳେ ସ୍ମିଥ୍‌ ବାସନ୍ଦ ଦଣ୍ଡ ଭୋଗୁଛନ୍ତି।

ସିଡ୍‌ନିରେ ଅଷ୍ଟ୍ରେଲିଆ ପଲା ଭାରି
ଟେଷ୍ଟ୍‌ ଶୃଙ୍ଖଳା ହାରିଯିବା ପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ଅଷ୍ଟ୍ରେଲିଆ ଦଳ ଦିନିକିଆ ଶୃଙ୍ଖଳାକୁ ନୂଆ ରୂପରେ ଓହ୍ଲାଇବ। ତଥାପି ପରିସଂଖ୍ୟାନ ଦେଖି‌ଲେ ସିଡ୍‌ନିରେ ଭାରତଠୁ ଘରୋଇ ଦଳର ପଲା ଭାରି ରହିଛି। ଏଠାରେ ଉଭୟ ଦଳ ପରସ୍ପର ସହ ମୋଟ ୧୬ ମ୍ୟାଚ୍‌ ଖେଳିଥିଲା ବେଳେ ଅଷ୍ଟ୍ରେଲିଆ ୧୩ ଜିତି ବହୁ ଆଗରେ ରହିଛି। ଭାରତ ଜିତିଛି ମାତ୍ର ୨ ମ୍ୟାଚ୍‌। ଶେଷଥର ପାଇଁ ଭାରତ ଏହି ପଡ଼ିଆରେ ୨୦୧୬ରେ ଜିତିଥିଲା। ଡେଭିଡ୍‌ ୱର୍ନର ଏବଂ ମିଚେଲ ମାର୍ସଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୩୩୧ ରନ୍‌ର ଲକ୍ଷ୍ୟ ଭାରତ ସାମ୍‌ନାରେ ରଖିଥିଲା। ଏହାର ପିଛା କରିଥିବା ଭାରତ ମନୀଷ ପାଣ୍ଡେଙ୍କ ୮୧ ବଲ୍‌ରୁ ଅପରାଜିତ ୧୦୪ ରନ୍‌ ବଳରେ ୨ ବଲ୍‌ ପୂର୍ବରୁ ବିଜୟ ହାସଲ କରିଥିଲା। ଅବଶ୍ୟ ଏଥର ଦଳରେ ୱର୍ନର କିମ୍ବା ମିଚେଲ ମାର୍ସ ନାହାନ୍ତି।

ମାଇଲଖୁଣ୍ଟ ଅ‌ପେକ୍ଷାରେ
ଶିଖର ଧାୱନ୍‌, ରବୀନ୍ଦ୍ର ଜାଦେଜା ଓ ଭୁବନେଶ୍ବର କୁମାରଙ୍କ ପାଇଁ ମାଇଲଖୁଣ୍ଟ ଅପେକ୍ଷା ରଖିଛି। ଆଉ ୬୫ ରନ୍‌ କରିପାରିଲେ ଧାୱନ୍‌ ୫୦୦୦ ଏବଂ ୧୮ ରନ୍‌ କଲେ ଜାଦେଜା ଦିନିକିଆରେ ୨୦୦୦ ରନ୍‌ ପୂରଣ କରିବେ। ସେହିପରି ୧୦୦ ୱିକେଟ୍‌ ଅକ୍ତିଆର କରିବାର ମାଇଲଖୁଣ୍ଟ ଛୁଇଁବାପାଇଁ ଭୁବନେଶ୍ବର କୁମାରଙ୍କୁ ମାତ୍ର ଗୋଟିଏ ୱିକେଟ୍‌ର ଆବଶ୍ୟକତା ରହିଛି।

ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଜାଦେଜା
ଟିଭି ସୋ’ରେ ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇ ନିଲମ୍ବନର ସାମ୍‌ନା କରିବା ପରେ ଭାରତୀୟ ଦଳରୁ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଓ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌ ବିଦା ହୋଇଛନ୍ତି। ଏପରିସ୍ଥଳେ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ରବୀନ୍ଦ୍ର ଜାଦେଜା ଚୂଡାନ୍ତ ଏକାଦଶରେ ଖେଳିବା ସମ୍ଭାବନା ଅଧିକ ରହିଛି। ଜା‌ଦେଜା ଖେଳିଲେ ୟୁଜ୍‌ବେନ୍ଦର ଚହଲ୍‌ ଓ ଖଲିଲ ଅହମ୍ମଦଙ୍କ ମଧ୍ୟରୁ ଜଣକୁ ବାହାରେ ବସିବାକୁ ପଡ଼ିବ।

୮ ବର୍ଷ ପରେ ଖେଳିବେ ସିଡ୍‌ଲେ
ଦଳୀୟ ଦୃଷ୍ଟିକୋଣକୁ ବିଚାରକୁ ନେଲେ ଦ୍ରୁତ ବୋଲର ପିଟର ସିଡ୍‌ଲେ ୮ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବେ। ହେଲେ ବିଶେଷଜ୍ଞ ସ୍ପିନର ଆଦାମ୍‌ ଜାମ୍ପା, ଅଲ୍‌ରାଉଣ୍ଡର ମିଚେଲ ମାର୍ସ ସିଡ୍‌ନି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲା ବେଳେ ବ୍ୟାଟିଂରେ ଅଭିଜ୍ଞ ସନ୍‌ ମାର୍ସଙ୍କ ସହିତ ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌ ମଧ୍ୟକ୍ରମ ସମ୍ଭାଳିବେ। ଅଷ୍ଟ୍ରେଲିଆ ମଧ୍ୟ ଦିନକ ପୂର୍ବରୁ ତା’ର ଚୂଡାନ୍ତ ଏକାଦଶ ଚୟନ କରିସାରିଛି। ଅଧିନାୟକ ଫିଞ୍ଚ୍‌ଙ୍କ ସହ ଆଲେକ୍ସ କୋରେ ପାଳି ଆରମ୍ଭ କରିବା ନିଶ୍ଚିତ ହୋଇଛି।

ପାଗ ଶୁଖିଲା ରହିବ
ଏଠାରେ ଖେଳାଯାଇଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ମ୍ୟାଚ୍‌ରେ ବର୍ଷା ବାଧା ସୃଷ୍ଟି କରିଥିଲା ବେଳେ ଆଗକୁ ଅଧିକରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି। ହେଲେ ଖୁସିର ଖବର ହେଲା ଶନିବାର ସିଡ୍‌ନିରେ ପାଗ ପୂରା ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି। ଚଳିତ ବର୍ଷ ମଧ୍ୟ ସିଡ୍‌ନି ପିଚ୍‌ ବ୍ୟାଟିଂ ଅନୁକୁଳ ରହିଛି। ଏହି ପିଚ୍‌ରେ ବଡ଼ ସ୍କୋର୍‌ ହେବ ବୋଲି କ୍ୟୁରେଟର୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଚୂଡାନ୍ତ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କୋରେ, ଉସ୍‌ମାନ ଖୱାଜା, ସନ୍‌ ମାର୍ସ, ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌, ମାର୍କସ୍‌ ଷ୍ଟୋଇନିକ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ପିଟର ସିଡ୍‌ଲେ, ଝେ ରିଚାର୍ଡସନ୍‌, ନାଥନ୍‌ ଲାୟନ୍‌ ଓ ଜାସନ୍‌ ବେରେନ୍‌ଡ୍ରଫ୍।

ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍‌, ଅମ୍ବାଟି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ରକ୍ଷକ), କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, କୁଲ୍‌ଦୀପ୍‌ ଯାଦବ, ୟୁଜ୍‌ବେନ୍ଦର ଚହଲ୍‌/ଖଲିଲ ଅହମ୍ମଦ, ମହମ୍ମଦ ସାମି।

ସମ୍ବନ୍ଧିତ ଖବର