ଅ‌ାଜି ମହାଲଢ଼େଇ: ମୁମ୍ବାଇ ମାଗେ ‘ହାଇ ଫାଇଭ୍’, ଦିଲ୍ଲୀ ଚାହେଁ ‘ପ୍ରଥମ ମୁକୁଟ’

ସନ୍ତୁଳିତ ରୋହିତ ସେନା, ଯୁବ ସମୃଦ୍ଧ ଦିଲ୍ଲୀ, ପ୍ରଥମ ଫାଇନାଲ୍ ଶ୍ରେଷ୍ଠ ଅନୁଭୂତି: ଶ୍ରେୟସ୍

ଦୁବାଇ: ୫୨ ଦିନ ଏବଂ ୫୯ ମ୍ୟାଚ୍‌ର ଉତ୍କଣ୍ଠା, ରୋମାଞ୍ଚ ତଥା ନାଟକୀୟ କ୍ରିକେଟ୍ ସମର ପରେ ଆଇପିଏଲ୍‌ର ଅନ୍ତିମ ମହାଲଢ଼େଇ ପାଇଁ ଦୁବାଇ ପୂରା ପ୍ରସ୍ତୁତ। କରୋନା କାଳର ସଙ୍କଟଜନକ ସ୍ଥିତି, ଜୈବ ବଳୟର ଅସ୍ବାଭାବିକ ଚାପ ତଥା‌ ନାନା ପ୍ରକାର ଅଙ୍କୁଶ ଓ କଟକଣା ମଧ୍ୟରେ ବି କ୍ରିକେଟ୍‌ର ଶ୍ରେଷ୍ଠ ରୂପକୁ ପ୍ରତିପାଦିତ କରିଥିବା ଏହି ଚର୍ଚିତ ଲିଗ୍‌ର ମେଗାଫାଇନାଲ୍ ମଙ୍ଗଳବାର ଖେଳାଯିବ। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ଲିଗ୍‌ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ ଯୋଦ୍ଧାଙ୍କୁ ନେଇ ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ। ମୁମ୍ବାଇ ପଞ୍ଚମ ଟାଇଟଲ ଜିତି ‘ହାଇ ଫାଇଭ୍’ ହାସଲ କରିବା ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ଫାଇନାଲ ଟିକେଟ ପାଇଁ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶେଷ କମାଲ ସହ ଟ୍ରଫି ମରୁଡ଼ି ଦୂର କରିବା ପାଇଁ ସଙ୍କଳ୍ପବଦ୍ଧ ରହିବ। ପ୍ରଥମ ଥର ଫାଇନାଲ୍ ଖେଳୁଥିବାରୁ ଚଳିତ ବର୍ଷର ତ୍ରୟୋଦେଶ ଋତୁ ରାଜଧାନୀ ଏକ୍ସପ୍ରେସ୍ ‘ ଦିଲ୍ଲୀ କ୍ୟାପିଟାଲ୍ସ’ ପାଇଁ ରୋଚକ ଓ ସ୍ମରଣୀୟ ହେବ ବୋଲି ମଧ୍ୟ ପ୍ରଶଂସକ ଆଶା ରଖିଛନ୍ତି। ସେପଟେ ଷଷ୍ଠ ଥର ପାଇଁ ଫାଇନାଲ୍‌କୁ ଯାଇଥିବା ‘ଇଣ୍ଡିଆନ୍ସ’ମାନେ ନିଜ ଅଭିଜ୍ଞତାକୁ ପାଥେୟ କରି ଦିଲ୍ଲୀକୁ ଏବର୍ଷ ଚତୁର୍ଥ ଥର ପାଇଁ ଧରାଶାୟୀ କରି ପୁଣି ଥରେ ଟ୍ରଫି ତୋଳି ଧରିବାର ଅନନ୍ୟ ସଫଳତା ପାଇଁ ମଇଦାନକୁ ଓହ୍ଲାଇ‌େବ। ପ୍ରଥମ କ୍ବାଲିଫାୟର ସମେତ ଏଥର ମୁମ୍ବାଇଠାରୁ ହ୍ୟାଟ୍ରିକ୍ ପରାଜୟ ବରଣ କରି ସାରିଥିବା ଦିଲ୍ଲୀ କିନ୍ତୁ ମୁମ୍ବାଇକୁ କଳେ ବଳେ କୌଶଳେ ମାତ୍ ଦେବାର ଦମ୍ଭ ଓ ଦକ୍ଷତା ରଖେ। ମଙ୍ଗଳବାରର ମହାମୁକାବିଲାରେ ବିଜୟୀ ହେଲେ ଦିଲ୍ଲୀ ପ୍ରଥମ ଥର ମୁକୁଟ ପିନ୍ଧିବା ସହ ଆଇପିଏଲ୍‌କୁ ଏକ ନୂଆ ବିଜେତା ମିଳିବ। ଦିଲ୍ଲୀ ମଧ୍ୟ ଠିକଣା ସମୟରେ ମୁମ୍ବାଇଠାରୁ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ।

 

ସନ୍ତୁଳିତ ରୋହିତ ସେନା, ଯୁବ ସମୃଦ୍ଧ ଦିଲ୍ଲୀ
ଆଇପିଏଲ୍ ଆରମ୍ଭରୁ ରୋମାଞ୍ଚଭରା ରହି ଆସିଛି। ହେଲେ ଖୁବ୍ କମ୍ ଋତୁରେ ଫାଇନାଲ୍ ଖେଳିବା ଲାଗି ହକଦାର ଦୁଇ ଦଳ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଚଳିତ ଋତୁରେ ମୁମ୍ବାଇ ତା’ର ୧୫ ମ୍ୟାଚ୍‌ରୁ ୧୦ ବିଜୟ ପାଇଛି। ଅନ୍ୟପକ୍ଷରେ ଦିଲ୍ଲୀ ୧୬ ମ୍ୟାଚ୍ ଖେଳି ୯ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସର ସନ୍ତୁଳନ କିନ୍ତୁ ପ୍ରତିପକ୍ଷ ପାଇଁ ସବୁବେଳେ ଚିନ୍ତାର କାରଣ ହୋଇଛି। ସେମାନେ ଉଭୟ ରକ୍ଷଣାତ୍ମକ ଓ ବି‌ସ୍ଫୋରକ ଖେଳ ଖେଳିବାରେ ସିଦ୍ଧହସ୍ତ। ଦିଲ୍ଲୀ ତା’ର ଯୁବ ଖେଳାଳିଙ୍କ ବଳରେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଚଳିତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ମିଳିତ ଭାବେ ୧୩୦ ଛକା ମାରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ କିନ୍ତୁ ୮୪ ଛକା ମାରିଛି। ଅଧିନାୟକ ରୋହିତ ଶର୍ମା ପ୍ରାୟତଃ ଫିକା ରହିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କ୍ବିଣ୍ଟନ୍ ଡି’କକ୍‌ଙ୍କ ଭଳି ଖେଳାଳି ଦରକାର ବେଳେ ଦାୟିତ୍ବବାନ ଖେଳ ଖେଳି ଏହି କ୍ଷତିକୁ ସଫଳତାର ସହ ଭରଣା କରି ନେଇଛନ୍ତି। ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ନୂଆ ବଲ୍‌ରେ ପ୍ରତିପକ୍ଷଙ୍କୁ ଘାଇଲା କରି ଆସୁଛନ୍ତି। ଦିଲ୍ଲୀର ଦୁଇ ବୋଲର କାଗିସୋ ରବାଦା ଓ ଅନରିକ୍ ନର୍ଖିୟା ମଧ୍ୟ କିଛି କମ୍ ନୁହନ୍ତି। ଅବଶ୍ୟ ଚଳିତ ଋତୁରେ ଖେଳିଥିବା ତିନିଟି ଯାକ ମୁକାବିଲାରେ ଦିଲ୍ଲୀକୁ ମୁମ୍ବାଇ ଧରାଣାୟୀ କରିଛି। ଦିଲ୍ଲୀ ବ୍ୟାଟିଂର ନେତୃତ୍ବ ପ୍ରାରମ୍ଭିକ ବ୍ୟାଟର୍‌ ଶିଖର ଧାୱନ ନେଉଛନ୍ତି। ସଂପ୍ରତି ସେ ଚଳିତ ଆଇପିଏଲ୍‌ର ଦ୍ବିତୀୟ ରନ୍ ସଂଗ୍ରହକାରୀ। ତେବେ ମଙ୍ଗଳବାର ବିଜେତା ହେବାକୁ ହେଲେ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ମଧ୍ୟ ଏକ ବଡ଼ ପାଳି ଖେଳିବାକୁ ହେବ। ଫାଇନାଲର ଫଳାଫଳ ଯାହା ହେଉ କି ନାହିଁ କ୍ରିକେଟ୍ ପ୍ରେମୀ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ। କାରଣ ଆଇପିଏଲ୍ ଫାଇନାଲରେ ନିୟମିତ ଖେଳୁଥିବାରୁ ତାଙ୍କ ନେତୃତ୍ବ ଶୈଳୀ ଅଭ୍ୟାସରେ ଦର୍ଶକ ପଡ଼ି ଯାଇଥିଲେ।

ଶ୍ରେୟସ୍ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାରର ଦ୍ବିତୀୟ କ୍ବାଲିଫାୟରରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଏହା ତାଙ୍କ ଆଇପିଏଲ୍ ଜୀବନର ‌ଶ୍ରେଷ୍ଠ ଅନୁଭୂତି ବୋଲି ଶ୍ରେୟସ୍ ମ୍ୟାଚ୍ ପରେ ‌ଦେଇଥିବା ସାକ୍ଷାତକାରରେ କହିଥିଲେ। ସେ କହିଛନ୍ତି ‘‘ଏହା ମୋ ପାଇଁ ଶ୍ରେଷ୍ଠ ଅନୁଭୂତି। ଯାତ୍ରା କୌଣସି ସ୍ବପ୍ନଠାରୁ କମ୍ ନଥିଲା। ଭାବନା ଉଚ୍ଚନୀଚ ରହି ଆସିଛି। ଏଣୁ ଆପଣ ଏକ ନିଦ୍ଦିଷ୍ଟ ସାରଣୀ ଅନୁସରଣ କରି ପାରିବେ ନାହିଁ। ନିୟମିତ ପରିବର୍ତ୍ତନ ଏବଂ କାଟଛାଣ୍ଟ କରିବାକୁ ହେବ। ଆସନ୍ତା ମ୍ୟାଚ୍ ମଧ୍ୟ ଆମ ପାଇଁ ଭଲ ଫଳ ନେଇ ଆ‌ସିବ ବୋଲି ଆଶା କରୁଛି। ମୁମ୍ବାଇ ଇଣ୍ଡିଆନ୍ସ ଭଳି ବଡ଼ ଏବଂ ଶକ୍ତିଶାଳୀ ଦଳ ବିପକ୍ଷରେ ଆମେ ମୁକ୍ତ ଭାବେ ଖେଳିପାରିବୁ ବୋଲି କାମନା କରୁଛି’’। ଶ୍ରେୟସ୍ ମଧ୍ୟ ଏହି ଅବସରରେ ଦଳର ମିଳିତ ପ୍ରୟାସକୁ ଭୂୟଶୀ ପ୍ରଶଂସା କରିଥିଲେ। ‘‘ଆମେ ଏକ ପରିବାର ଭଳି ଏକାଠି ରହିଥିଲୁ। ପ୍ରତ୍ୟେକ ଖେଳାଳି ଦେଇଥିବା ଯୋଗଦାନକୁ ନେଇ ମୁଁ ଗର୍ବିତ। ମୁଖ୍ୟ ଏବଂ ସହକାରୀ ପ୍ରଶିକ୍ଷକଙ୍କଠୁ ମଧ୍ୟ ଆମେ ସମର୍ଥନ ଓ ସହଯୋଗ ପାଇ ଆସୁଛୁ। ଏଭଳି ଏକ ଦଳ ପାଇବା ସୌଭାଗ୍ୟର ବିଷୟ।

ସମ୍ବନ୍ଧିତ ଖବର