ବଡ଼ ମୁକାବିଲା ଆଜି, ଭାରତ-ନେଦରଲାଣ୍ଡ୍

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍‌। ସେମିଫାଇନାଲ୍‌ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର ବିଜେତା ନେଦରଲାଣ୍ଡ୍ ବଡ଼ ପ୍ରତିବଂଧକ। ଗତ ଥରର ଉପ ବିଜେତା ନେଦରଲାଣ୍ଡ୍‌କୁ ହରାଇବା ସହଜ ନ ଥିଲେ ବି କଳିଙ୍ଗ ପ୍ରଶଂସକ ଏବଂ ଆଟାକିଂ ହକିକୁ ଆଧାର କରି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଗୁରୁବାର ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ ବୋଲି ଏଫ୍‌ଆଇଏଚ୍‌ର ସଂଶୋଧିତ ଖେଳସୂଚୀରୁ ଜଣାପଡ଼ିଛି। ଅପରାହ୍ନ ୪.୪୫ ମିନିଟରେ ତୃତୀୟ କ୍ବାର୍ଟର ଫାଇନାଲରେ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ବେଲ୍‌ଜିୟମ୍‌ ଭେଟିବ ୨ ଥର ବିଜେତା ଜର୍ମାନିକୁ। ଇତିହାସକୁ ପଛରେ ପକାଇ ନୂଆ ଫର୍ଦ ଯୋଡ଼ିବା ଲକ୍ଷ୍ୟରେ ରହିଛି ହରେନ୍ଦ୍ର ସିଂହଙ୍କ ଭାରତୀୟ ଦଳ। ଭାରତୀୟ ଦଳ ଏବେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରେନ୍ଦ୍ର। ଭାରତ ଲିଗ୍ ପର୍ଯ୍ୟାୟରେ ୩ରୁ ଦୁଇଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ରଖି ସିଧାସଳଖ କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିଲା। ନେଦରଲାଣ୍ଡ୍‌ ପୁଲ୍‌ ‘ଡି’ରେ ୨ ବିଜୟ, ୧ ପରାଜୟ ସହିତ ଦ୍ବିତୀୟ ସ୍ଥାନରେ ରହି କ୍ରସ୍ ଓଭର ଖେଳି ଆସିଛି। ମଙ୍ଗଳବାର କ୍ରସ୍ ଓଭରରେ ବେଲ୍‌ଜିୟମ୍ ୫-୦ରେ ପାକିସ୍ତାନକୁ ଏବଂ ନେଦରଲାଣ୍ଡ୍ ସମାନ ଗୋଲ୍ ବ୍ୟବଧାନ ୫-୦ରେ କାନାଡ଼ାକୁ ହରାଇଥିଲା।

ଏହି ଦେଶ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍ ହେଉ ଅବା ମୋଟ ମୁକାବିଲା କିଛି ବି ଭାରତ ସପକ୍ଷରେ ନାହିଁ। ବିଶ୍ବକପ୍‌ରେ ଉଭୟ ଦେଶ ୬ ଥର ଭେଟିଥିଲେ। ନେଦରଲାଣ୍ଡକୁ ବିଶ୍ବ ମଇଦାନରେ ହରାଇ ନାହିଁ। ୫ ଥର ସିଧାସଳଖ ହାରିଥିବା ବେଳେ ଅନ୍ୟଟି ପେନାଲଟି ସୁଟଅଉଟରେ ହାରିଛି। ଶେଷ ଥର ପାଇଁ ଚଳିତ ବର୍ଷ ବ୍ରେଡା (ନେଦରଲାଣ୍ଡ)ରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ୧-୧ ଗୋଲ୍‌ରେ ଅମୀମାଂସିତ ରଖିବା ଦଳକୁ ଆତ୍ମବିଶ୍ବାସରେ ରଖିଛି। ଭାରତ ୧୯୭୫ ମସିହାରେ ଶେଷ ଥର ପାଇଁ ସେମିଫାଇନାଲ୍‌ ପ୍ରବେଶ କରିବା ସହ ଏକମାତ୍ର ଥର ବିଶ୍ବ ବିଜେତା ହୋଇଥିଲା। ଏବେ ସେହି ଇତିହାସର ପିଛା କରୁଛି ଭାରତ। ସାମ୍ପ୍ରତିକ ପ୍ରଦର୍ଶନ ଏବଂ ମାନ୍ୟତା ଦୃଷ୍ଟିରୁ ଉଭୟ ଦଳ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ। ମାନ୍ୟତାରେ ଭାରତ ୫ ଏବଂ ନେଦରଲାଣ୍ଡ୍ ୪ରେ ରହିଛନ୍ତି। ଏହି ବିଶ୍ବକପ୍‌ରେ ନେଦଲାଣ୍ଡ୍ ୪ ମ୍ୟାଚ୍ ଖେଳି କ୍ଲାନ୍ତ ଥିବାରୁ ଭାରତ ଏହାର ଫାଇଦା ନେଇପାରେ। ଭାରତ ୫ ଦିନର ବିଶ୍ରାମ ପରେ ଏବଂ ନେଦରଲାଣ୍ଡ ମାତ୍ର ଗୋଟିଏ ଦିନର ବିରାମ ପରେ ଆସି ଖେଳିବ।

ବୀରେନ୍ଦ୍ର ଅବିଚ୍ଛେଦ୍ୟ ଅଙ୍ଗ: ହରେନ୍ଦ୍ର
ଭାରତୀୟ ଦଳ ସବୁ ଆହ୍ବାନକୁ ସମ୍ମୁଖୀନ କରିବାକୁ ପ୍ରସ୍ତୁତ ଏବଂ ଶାରୀରିକ ଓ ମାନସିକ ଭାବେ ଦୃଢ଼ ରହିଛି ବୋଲି କହିଛନ୍ତି ଭାରତୀୟ ଦଳ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଭଲ ପ୍ରଦର୍ଶନ କରିବାକୁ ଖେଳାଳିମାନେ ସଂକଳ୍ପବଦ୍ଧ। ନେଦରଲାଣ୍ଡ୍ ବିପକ୍ଷ କ୍ବାର୍ଟର ଫାଇନାଲ୍‌ ସବୁ ଦୃଷ୍ଟି କୋଣରୁ ସମତୁଲ ଲଢ଼େଇ ହେବ ବୋଲି କହିଥିଲେ ହରେନ୍ଦ୍ର ସିଂହ। ପେନାଲଟି କର୍ନରରେ ଥିବା ଦୁର୍ବଳତା ବିଶେଷ ଚିନ୍ତାର କାରଣ ନୁହେଁ। ବରଂ ପ୍ରଶଂସକମାନେ ଆମ ପାଇଁ ଦ୍ବାଦଶ ଖେଳାଳି ଭାବେ ଯେଉଁ ଅତିରିକ୍ତ ଶକ୍ତି ଭରୁଛନ୍ତି ଏହା ଉତ୍ସାହ ଦେଉଛି, ଚାପ ନୁହେଁ ବୋଲି ହରେନ୍ଦ୍ର କହିଥିଲେ। ହକିର ମ‌ୌଳିକତା ରଖି ଦଳ ଖେଳିବ ବୋଲି ସେ କହିଥିଲେ। ପିଆର୍‌ ଶ୍ରୀଜେଶ, ମନପ୍ରୀତ୍ ସିଂହ, ବୀରେନ୍ଦ୍ର ଲାକ୍ରା, ହରମନପ୍ରୀତ୍ ସିଂହ, ମନଦୀପ ସିଂହ ପ୍ରମୁଖ ଦଳର ଆଭ୍ୟନ୍ତରୀଣ ଅଙ୍ଗ ଏବଂ ପ୍ରମୁଖ ଖେଳାଳି ବୋଲି କହିଥିଲେ ପ୍ରଶିକ୍ଷକ। ତିନିଟି ପଏଣ୍ଟ-ଗୋଲ୍ ଦେବା, ଗୋଲ୍‌ରେ ସଜାଗ ରହିବା ଏବ ପେନାଲଟି କର୍ନର ଅର୍ଜନ କରିବା ଉପରେ ଆମେ ଏକାଗ୍ର ରହିଛୁ। ୬୦ ମିନିଟ୍‌ ଖେଳ ନୁହେଁ, ବିରାମକୁ ମିଶାଇ ୭୪ ମିନିଟ୍ ପାଇଁ ପ୍ରସ୍ତୁତ ରହିବାକୁ ଖେଳାଳିଙ୍କୁ କୁହାଯାଇଛି ବୋଲି ପ୍ରକାଶ କରିଥିଲେ ହରେନ୍ଦ୍ର। ଭାରତୀୟ ଦଳ ଅଧିନାୟକ ମନପ୍ରୀତ୍ ସିଂହ ମଧ୍ୟ ଗୁରୁବାରର ମୁକାବିଲା ପାଇଁ ଦଳ ପ୍ରସ୍ତୁତ ବୋଲି କହିଥିଲେ। ରିଓ ଅଲିମ୍ପିକ୍ସ ପରଠାରୁ ଦଳ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତି ଆସୁଛି। ଏହି ଦୁଇ ବର୍ଷ ମଧ୍ୟରେ ଆମେ ଅନେକ କିଛି ଉନ୍ନତି କରିଛୁ ବୋଲି କହିଥିଲେ ମନପ୍ରୀତ୍ ସିଂହ। ଭାରତୀୟ ଦଳର ଗୋଲରକ୍ଷକ ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ମଧ୍ୟ ବୁଧବାରର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଥଟ୍ଟା ପରିହାସରେ ଦିଲଦାର ଥିବା ଶ୍ରୀଜେଶ କହିଥିଲେ ଆମକୁ ବିଶ୍ବକପ୍ ଜିତିବାର ଅଛି। ନୂଆ ଆରମ୍ଭ ହେଉଛି, ସକରାତ୍ମକ ଦିଗକୁ ନେଇ ଆଗକୁ ବଢ଼ୁଛୁ ବୋଲି ପ୍ରକାଶ କରିଥିଲେ।

ଅତୀତ ନିରାଶା
ଭାରତ ଏବଂ ନେଦରଲାଣ୍ଡ ହକି ସମ୍ପର୍କ ୧୯୭୩ ମସିହା ବିଶ୍ବକପ୍‌ରୁ ଲମ୍ବିଛି। ଏହି ଦୁଇ ଏସୀୟ-ୟୁରୋପୀୟ ଶକ୍ତି ମଧ୍ୟରେ ମୋଟ ୧୦୫ ମୁକାବିଲା ଖେଳାଯାଇଛି। ଭାରତ ୩୩ ଜିତି ୪୮ ହାରିଛି। ଅବଶିଷ୍ଟ ୨୪ ମ୍ୟାଚ୍ ଅମୀମାଂସିତ ରହିଛି। ବିଶ୍ବକପ୍‌ରେ ହୋଇଥିବା ୬ ମୁକାବିଲାରୁ ନେଦରଲାଣ୍ଡ୍ ସବୁ ଜିତିଛି। ୫ଟି ସିଧାସଳଖ ଏବଂ ଗୋଟିଏ ପେନାଲଟି ସୁଟ୍ ଆଉଟ୍‌ରେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ୨୦୧୩ ମସିହା ପରଠାରୁ ଦେଖିଲେ ଭାରତ ବିଗତ ୫ରୁ ୪ ଜିତି ଗୋଟିଏ ଅମୀମାଂସିତ ରଖି ୫୦ ପ୍ରତିଶତ ସଫଳତା ହାର ରଖିଛି। ଏହା ମନପ୍ରୀତ୍ ସିଂହଙ୍କ ଦଳକୁ ଆତ୍ମବିଶ୍ବାସ ଦେଇଛି।

ସମ୍ବନ୍ଧିତ ଖବର