ଆଜି ଚେନ୍ନାୟିନ୍‌କୁ ଭେଟିବ ଓଡ଼ିଶ‌ା ଏଫ୍‌ସି

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରିତିଯୋଗିତା‌‌ରେ ଓଡ଼ିଶାର ନିଜସ୍ବ ଦଳ ଓଡ଼ିଶା ଏଫ୍‌ସି ତା’ର ଦ୍ବିତୀୟ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି। ପ୍ରଥମ ଘରୋଇ ମ୍ୟାଚ୍‌ରେ ପଡ଼ୋଶୀ ଜାମସେଦପୁର ଏଫ୍‌ସିକୁ ମାତ୍‌ ଦେଇଥିବା ଓଡ଼ିଶା ଏଫ୍‌ସି ସୋମବାର ଦୁଇଥରର ବିଜେତା ଚେନାୟିନ୍‌ ଏଫ୍‌ସିକୁ ଭେଟିବ। ଚେନ୍ନାଇରେ ଖେଳାଯାଇଥିବା ଚେନ୍ନାୟିନ୍ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ (୨-୨) ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା ଓଡ଼ିଶା ଏଫ୍‌ସି। ‌ଚେନ୍ନାୟିନ୍ ଦୁଇ ଥର ଆଇଏସ୍‌ଏଲ୍‌ ବିଜେତା ହୋଇଥିଲେ ମଧ୍ୟ ଚଳିତ ବର୍ଷ ଭଲ ପ୍ରଦର୍ଶନ ଦେବାରେ ବିଫଳ ହୋଇଛି। ଏ ପର୍ଯ୍ୟନ୍ତ ୯ ମ୍ୟାଚ୍‌ ଖେଳି ୨ ବିଜୟ, ୩ ଅମୀମାଂସିତ ଓ ୪ ପରାଜୟରୁ ମୋଟ ୯ ପଏଣ୍ଟ୍‌ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ୧୦ ମ୍ୟାଚ୍‌ରୁ ୩ ଲେଖାଏଁ ବିଜୟ ଓ ଅମୀମାଂସିତ ଏବଂ ୪ ପରାଜୟ ବରଣ କରି ୧୨ ପଏଣ୍ଟ୍‌ ସହ ତାଲିକା‌ର ଷଷ୍ଠ‌ରେ ରହିଛି। କଳିଙ୍ଗରେ ପ୍ରଥମ ମ୍ୟାଚ୍ ଜିତିଥିବା ଓଡ଼ିଶା ଏଫ୍‌ସି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଛି। ସେହିପରି ଚେନ୍ନାୟିନ୍‌ ଆରମ୍ଭରୁ ଖରାପ ଖେଳିଥି‌ଲେ ମଧ୍ୟ ନିଜର ଶେଷ ୩ ମ୍ୟାଚ୍‌ରେ ୭ ଗୋଲ୍ ଦେବାକୁ ସକ୍ଷମ ହେବା ସହ କେବଳ ଗୋଟିଏ ମ୍ୟାଚ୍ ‌ହାରିଛି। ଏହି ଦଳ ଓଡ଼ିଶା ବିପକ୍ଷରେ ଜିତିବା ସହ ପୂରା ୩ ପଏଣ୍ଟ୍‌ କରାୟତ କରିବା ଲାଗି ଲକ୍ଷ୍ୟ ରଖିଛି। ଉଭୟ ଦଳ ପାଇଁ ଶ୍ରେଷ୍ଠ ୪ ମଧ୍ୟରେ ପ୍ରବେଶ କରିବାର କିଛିଟା ସୁଯୋଗ ରହିଛି। ଫଳରେ ଉଭୟ ସୋମବାରର ମ୍ୟାଚ୍‌ ଜିତିବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ।

ଚେନ୍ନାୟିନ୍‌ ବିପକ୍ଷ ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତ ଅଛୁ। ଚେନ୍ନାଇରେ ଚେନ୍ନାୟିନ୍ ବିପକ୍ଷ ମ୍ୟାଚ୍‌କୁ ଅପ୍ରତ୍ୟାଶିତ ଭାବେ ଅମୀମାଂସିତ ରଖିଥିଲୁ। ସେ ମ୍ୟାଚ୍‌ର ଥିବା ଭୁଲ୍‌କୁ ଏଠାରେ ସୁଧାରି ବିଜୟ ହାସଲ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ‌ଓଡ଼ିଶା ଏଫ୍‌ସିର ସହପ୍ରଶିକ୍ଷକ ଥାଙ୍ଗାବୋଇ ସିଙ୍ଗଟୋ। ‌ଜାମସେଦପୁର ବିପକ୍ଷରେ ଆମକୁ ଯେପରି ଦର୍ଶକ ସମର୍ଥନ ମିଳିଥିଲା ସୋମବାର ସେପରି ଆଶା ରଖିଛୁ। ଦର୍ଶକଙ୍କ ସମର୍ଥନ ହିଁ ଖେଳାଳିମାନଙ୍କୁ ଭଲ କରିବାକୁ ଶକ୍ତି ‌ଯୋଗାଇଥାଏ ବୋଲି କହିଛନ୍ତି ସିଙ୍ଗଟୋ। ଚେନ୍ନାୟିନ୍ ଅଗ୍ରଭାଗ ଭଲ ରହିଛି। ଏହାକୁ ମୁକାବିଲା କରିବା ଲାଗି ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ‌‌ଜାମସେଦପୁର ବିପକ୍ଷରେ ଯୁଗଳ ଗୋଲ୍ ଦେଇ ଦଳକୁ ବିଜୟୀ କରିଥିବା ନନ୍ଦକୁମାର ଶେକର। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇ ଜଣଙ୍କ ବାଦ୍‌ ସହପ୍ରଶିକ୍ଷକ ଜାକବୋ ଭାରେଲା ଉପସ୍ଥିତ ଥିଲେ।

ସୋମବାର ଆମେ ଓଡ଼ିଶା ଏଫ୍‌ସି ଭଳି ଦକ୍ଷ ଦଳ ବିପକ୍ଷରେ ଖେଳିବାକୁ ଯାଉଛୁ। ଆମ ଘରୋଇ ମାଟିରେ ଓଡ଼ିଶା ଏଫ୍‌ସି ସହ ପଏଣ୍ଟ୍‌ ବାଣ୍ଟିଥିଲା। ଆସନ୍ତାକାଲି ମ୍ୟାଚ୍‌ରେ ଆମେ ଚେଷ୍ଟା କରିବୁ। ଆମେ ଦୁଇ ଥରର ବିଜେତା ସତ କିନ୍ତୁ ଖେଳରେ ପୂର୍ବ ପ୍ରଦର୍ଶନକୁ ନେଇ ଆଗକୁ ବଢ଼ାଯାଏନି। ଆମେ ଚଳିତ ବର୍ଷ ଭଲ ‌କରିପାରିନୁ ହେଲେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା ଚଲାଇଛୁ। ଦଳ ଉଭୟ ଯୁବ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି। ବିଶ୍ବାସ ରହିଛି ଓଡ଼ିଶା ବିପକ୍ଷରେ ପୂରା ୩ ପଏଣ୍ଟ୍ କରାୟତ କରିବୁ ବୋଲି କହିଛନ୍ତି ଚେନ୍ନାୟିନ ଏଫ୍‌ସିର ପ୍ରଶିକ୍ଷକ ଓୱେନ୍ ‌କୋଏଲ୍‌। ଓଡ଼ିଶା ବିପକ୍ଷ ଆମ ଘରୋଇ ମ୍ୟାଚ୍‌ ପରଠୁ ଆମେ ୩ ମ୍ୟାଚ୍ ଖେଳିଛୁ। ଏହା ମଧ୍ୟରୁ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତ ରଖିବା ସହ ୭ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲୁ। ଯାହାକି ଓଡ଼ିଶା ବିପକ୍ଷରେ ଆମର ମନୋବଳକୁ ଦୃଢ଼ ରଖିବ ବୋଲି କହିଛନ୍ତି ଆନ୍ଦ୍ରେ ଶ୍ଚେମ୍ବ୍ରି।

କିପରି ଷ୍ଟାଡିୟମକୁ ‌ଯିବେ
ସୋମବାର ମ୍ୟାଚ୍‌ ପାଇଁ ଦର୍ଶକମାନେ କିପରି ‌‌ଷ୍ଟାଡିୟମକୁ ଯିବେ ଏବଂ କେଉଁଠି ଗାଡ଼ି ରଖିବେ ରବିବାର କ୍ଲବ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ୧ ନମ୍ବର ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରି ନିଜର ଗାଡ଼ି ଟେନିସ୍ କୋର୍ଟ ନିକଟରେ ରଖିବେ। ଆୱେ ଟିମ୍ ଷ୍ଟାଣ୍ଡ୍‌, ‌ନର୍ଥ ଷ୍ଟାଣ୍ଡ୍‌ ଓ ସିରାଜୁଦ୍ଦିନ୍ ଷ୍ଟାଣ୍ଡ୍‌ ପାଇଁ ଟ‌ିକେଟ୍ କିଣିଥିବା ଦର୍ଶକମାନେ ୪ ନମ୍ବର ଗେଟ୍‌ରେ ପ୍ରବେଶ କରି ସନ୍ତରଣାଗାର ନିକଟରେ ଥିବା ପାର୍କିଂରେ ନିଜର ଦୁଇଚକିଆ ଯାନ ରଖିବେ। ଅନ୍ୟ କାର୍‌ ପାସ୍‌ଧାରୀ ଦର୍ଶକମାନେ ନିଜ ଟିକେଟ୍‌ ଓ ପାସ୍‌ରେ ଲେଖାଥିବା ନିୟମାବଳୀ ଅନୁଯାୟୀ ଷ୍ଟାଡିୟମରେ ପ୍ରବେଶ କରିବେ। ଅନ୍ୟ ଦର୍ଶକମାନେ ନିଜ ନିଜର ଦୁଇଚକିଆ ଓ ଚାରିଚକିଆ ଯାନ ସହ ଗେଟ୍‌ ନମ୍ବର ୮ (ବି)ରେ ପ୍ରବେଶ କରି ସେଠାରେ ସାଧାରଣ ପାର୍କିଂସ୍ଥଳରେ ଗାଡ଼ି ରଖିବେ। ଏଥିସହ ଦର୍ଶକମାନଙ୍କ ପାଇଁ ମୋ ବସ୍‌ର ବ୍ୟବସ୍ଥା କରାଯାଇଛି। ଏକ ସ୍ବତନ୍ତ୍ର ମୋ ବସ୍‌ କଟକରୁ ବାହାରି ଗେଟ୍‌ ନମ୍ବର ୨ରେ ପହଞ୍ଚିବ। ‌ଖେଳ ଶେ‌ଷ ପରେ କଟକ ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧିତ ଖବର