ଆଜି ପହଞ୍ଚିବେ ଭାରତୀୟଙ୍କ ସହ ୫ ଦଳ: ପାକିସ୍ତାନ, ଘାନା, ଗାଏନା ଆସିବେନି

ଆସିନାହାନ୍ତି ପ୍ରମୁଖ ଖେଳାଳି, ଭାରତ ପଦକ ସୁଯୋଗ ବଢ଼ିଲା

କଟକ: ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଅ˚ଶଗ୍ରହଣକାରୀ ଦଳଙ୍କ ସ˚ଖ୍ୟା କମିବାରେ ଲାଗିଛି। ପ୍ରଥମେ ଉଗାଣ୍ଡା ଓ ଜର୍ସି ଦଳ ସେମାନଙ୍କ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଭାରତ ଆସିପାରୁନଥିବା ବେଳେ ଏବେ ଭିସା ସମସ୍ୟା ପାଇଁ ପାକିସ୍ତାନ, ଗାଏନା ଓ ଘାନା ଆସିବେ ନାହିଁ ବୋଲି ଜଣାପଡ଼ିଛି। ଯଦିଓ ଏହି ଦୁଇ ଦଳ ସେମାନଙ୍କ ଅ˚ଶଗ୍ରହଣ ଦେୟ ପୂର୍ବରୁ ପୈଠ କରିସାରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଖେଳାଳିମାନଙ୍କୁ ଭାରତୀୟ ଭିସା ମିଳିପାରୁନାହିଁ। ହାତରେ ଆଉ ମାତ୍ର ଗୋଟିଏ ଦିନ ସମୟ ଥିବାରୁ ସେମାନେ ପ୍ରତିଯୋଗିତାରେ ଭାଗ ନେବା ଅସମ୍ଭବ ବୋଲି ରାଜ୍ୟ ଟେବୁଲ ଟେନିସ ସ˚ଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ମୋଟ ଅଂଶଗ୍ରହଣକାରୀ ଦେଶ ସଂଖ୍ୟା ସମ୍ଭାବ୍ୟ ୧୭ରୁ ୧୨କୁ ଖସି ଆସିଛି। ତେବେ ଆୟୋଜକ ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ଦିଆଯାଇଛି। ଯଦିଓ ସମସ୍ତ ଭାରତୀୟ ଖେଳାଳିମାନେ ଏକା ସାଙ୍ଗରେ ଆସୁନାହାନ୍ତି, ତଥାପି ପର୍ଯ୍ୟାୟକ୍ରମେ ଖେଳାଳିମାନେ ବିଶ୍ବର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରି ସିଧାସଳଖ ଭୁବନେଶ୍ବରରେ ପହଞ୍ଚୁଥିବା କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ମାନବ ଠାକ୍କର, ଅର୍ଚ୍ଚନା କାମତ, ମନିକା ବାତ୍ରା ଓ ଶରତ କମଲ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ବା˚ଲାଦେଶ, ସ୍କଟଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କାର ଖେଳାଳି ଏଠାରେ ଓହ୍ଲାଇବେ।

ମଙ୍ଗଳବାର ଖେଳାଳିମାନେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଅଭ୍ୟାସ କରିବେ। ଏଥିପାଇଁ ପ୍ରାଥମିକ ଭାବେ ୪ଟି ଟେବୁଲ୍‌କୁ ସୋମବାରଠୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ୮ରୁ ୯ଟି ଟେବୁଲ୍‌କୁ ବୃଦ୍ଧି କରାଯାଇପାରେ। ସେହିପରି ବିହାରରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରତିଯୋଗିତା ଟେବୁଲ୍‌ ଓ ମ୍ୟାଟ୍‌ ପହଞ୍ଚିବାରେ ବିଳମ୍ବ ହୋଇଛି। ତଥାପି ସୋମବାର ରାତି ସୁଦ୍ଧା ଏସବୁ କଟକରେ ପହଞ୍ଚିଯିବ ବୋଲି ରାଜ୍ୟ ସ˚ଘ ପକ୍ଷରୁ ଆଶା କରାଯାଇଛି।

କଟକ: କେତେକ ପ୍ରମୁଖ ଖେଳାଳିମାନେ ଏଥର ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଆସୁନାହାନ୍ତି। ଯାହାର ଫଳସ୍ବରୂପ ଭାରତର ପଦକ ଆଶା ବୃଦ୍ଧି ପାଇଛି। ଇ˚ଲଣ୍ଡ, ନାଇଜେରିଆ ଓ ସିଙ୍ଗାପୁରର ଶ୍ରେଷ୍ଠ ଖେଳାଳମାନେ ରାଜ୍ୟଗୋଷ୍ଠୀରେ ଖେଳିବାକୁ ଆସୁନାହାନ୍ତି। ଇ˚ଲଣ୍ଡର ଲିଆମ ପିଚଫୋର୍ଡ ଓ ପଲ୍‌ ଡ୍ରିଙ୍ଖାଲ, ନାଇଜେରିଆର ଅରୁଣା କାଦ୍ରି ଓ ସେଗୁନ ତୋରିଓଲା ଦଳ ସହିତ ଆସିନଥିଲା ବେଳେ ସିଙ୍ଗାପୁର ଏଥର ଏକ ଯୁବ ଦଳ ପଠାଇଛି। ତେଣୁ ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା କୁହାଯାଉଛି। ଶରତ କମଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏବେ ଜବରଦସ୍ତ ଫର୍ମରେ ରହିଛି। ଯଦିଓ ପୁରୁଣା କୀର୍ତ୍ତିମାନକୁ ନଜରରେ ରଖିଲେ ଶରତ ହିଁ ଏକମାତ୍ର ଆଶା ବୋଲି କୁହାଯାଉଥିଲେ ବି ସଦ୍ୟତମ ପ୍ରଦର୍ଶନ ଓ ଅନ୍ୟ ଦଳଗୁଡ଼ିକର ସ୍ଥିତିକୁ ଦେଖିଲେ ଭାରତ ପାଖରେ ସର୍ବାଧିକ ପଦକ ହାସଲ କରିବା ସୁଯୋଗ ସୃଷ୍ଟି ହୋଇଛି। ଶୁକ୍ରବାର ଶେଷ ହୋଇଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଜି.ସାଥିଆଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଯୁଗଳ ସେମିଫାଇନାଲ୍‌ରେ କୋରିଆର ଜେ.ୟଙ୍ଗସିକ୍‌ ଓ ଲି ସାଙ୍ଗସୁଙ୍କଠୁ ୧୨-୧୪, ୯-୧୧, ୮-୧୧ରେ ପରାସ୍ତ ହୋଇ କା˚ସ୍ୟ ପଦକ ଜିତିଛନ୍ତି। ଏଥି ପୂର୍ବରୁ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆର ପାୱେଲ ଡେଭିଡ୍‌ ଓ ଟାଉନସେଣ୍ଡ କେନ୍‌ଙ୍କୁ ୩-୦ରେ ହରାଇ କ୍ବାର୍ଟରରେ ପ୍ରବେଶ କରିଥିଲେ। ତେବେ ଶରତ କମଲ ଓ ହରମୀତ ଦେଶାଇଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ପୁରୁଷ ଏକକରେ ମାନବ ଠାକ୍କର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ଜି.ସାଥିଆନ୍‌ ଓ ଶରତ କମଲ ତୃତୀୟ ରାଉଣ୍ଡ, ଆନ୍ଥୋନୀ ଅମଲରାଜ ଓ ହରମୀତ ଦେଶାଇ ଦ୍ବିତୀୟ ରାଉଣ୍ଡ ପର୍ଯ୍ୟନ୍ତ ଯାଇପାରିଥିଲେ। ମହିଳା ଏକକରେ ମାଧୁରିକା ପାଟେକର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ମହିଳା ଯୁଗଳରେ ମାଧୁରିକା ଓ ସୁତୀର୍ଥ ମୁଖାର୍ଜୀଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ବି ମନିକା ବାତ୍ରା ଓ ଅର୍ଚ୍ଚନା କାମଥଙ୍କ ଯୋଡ଼ି ପ୍ରି-କ୍ବାର୍ଟର ପର୍ଯ୍ୟନ୍ତ ଖେଳିପାରିଥିଲା। ସେହିପରି ମିଶ୍ରିତ ଯୁଗଳରେ ଜି.ସାଥିଆନ୍‌ ଓ ଅର୍ଚ୍ଚନା କାମଥ ଏବ˚ ଶରତ କମଲ ଓ ମନିକା ବାତ୍ରାଙ୍କ ଯୋଡ଼ି ପ୍ରି-କ୍ବାର୍ଟର ପର୍ଯ୍ୟନ୍ତ ଲଢ଼େଇ କରିଥିଲେ।

ତେଣୁ ଏକକ ପ୍ରତିଯୋଗିତା ଅପେକ୍ଷା ଭାରତୀୟ ଖେଳାଳିମାନେ ଯୁଗଳ ଇଭେଣ୍ଟରେ ଅଧିକ ସଫଳତା ପାଇଛନ୍ତି। ତଥାପି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ଅନୁପସ୍ଥିତିରେ ଶରତ, ସାଥିଆଁ, ଅମଲରାଜ, ମନିକା ଓ ମାଧୁରିକା ଏକକ ପଦକ ଆଣିପାରନ୍ତି। ଏଥିସହିତ ସୋମବାର ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ପକ୍ଷରୁ ଶରତଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପୁରସ୍କୃତ କରିଥିବାରୁ ପ୍ରତିଯୋଗିତାରେ ସେ ମଧ୍ୟ ଅଧିକ ଉତ୍ସାହର ସହ ଖେଳିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର